ବିଜେଡି ରାଜନୀତି, ପ୍ରେମ- ନବୀନ ଓ ପାଣ୍ଡିଆନ ଚର୍ଚ୍ଚା

ଭୁବନେଶ୍ବର,୨୨/୮ : ନବୀନ ନିବାସରେ ପହଞ୍ଚିଛନ୍ତି ନବୀନଙ୍କ ବଡ଼ ଭାଇ ପ୍ରେମ ପଟ୍ଟନାୟକ । ତାଙ୍କ ଓଡ଼ିଶା ଆସିବା ପରେ ଏବେ ପୁଣି ଥରେ ବିଜେଡିର ଉତ୍ତରାଧିକାରୀ କିଏ ହେବେ ତାକୁ ନେଇ ଚର୍ଚ୍ଚା ଜୋର ଧରିଛି । ନବୀନ ପୂର୍ବରୁ କହିଥିଲେ କି ତାଙ୍କ ଉତ୍ତରାଧିକାରୀ ଓଡ଼ିଶାବାସୀ ବାଛିବେ । କିନ୍ତୁ ଏବେ ଉତ୍ତରାଧିକାରୀ କିଏ ହେବେ ତାକୁ ନେଇ ବେଶ ଚର୍ଚ୍ଚା ଲାଗି ରହିଛି । କେହି କେହି କହୁଛନ୍ତି କି ପାଣ୍ଡିଆନ କେବଳ କେୟାର ଟେକର ଭାବେ ଅଛନ୍ତି । ସବୁ କିଛି ନିଷ୍ପତ୍ତି ଉଚିତ ସମୟରେ ବଡ଼ ଭାଇ ପ୍ରେମ ପଟ୍ଟନାୟକ ହିଁ ନେବେ ।
ହସ୍ପିଟାଲରୁ ଡିସଚାର୍ଜ ହୋଇ ଫେରିବା ପରେ ନବୀନଙ୍କ ସ୍ବାସ୍ଥ୍ୟ ଅବସ୍ଥା ବୁଝିବାକୁ ନବୀନ ନିବାସରେ ପହଞ୍ଚିଛନ୍ତି ବଡ଼ଭାଇ ପ୍ରେମ ପଟ୍ଟନାୟକ । ନବୀନ ନିବାସରେ ଦୁଇ ଭାଇଙ୍କ ମଧ୍ୟ ବେଶ କିଛି ସମୟ ଧରି ସାକ୍ଷାତ ଆଲୋଚନା ହୋଇଛି । ଏଥିରେ କ’ଣ ଆଲୋଚନା ହୋଇଛି ତାହା ଜଣାପଡ଼ିନଥିବାବେଳେ କୁହାଯାଉଛି କି ଦଳୀୟ ବ୍ୟାପାର ନେଇ କିଛି ଗୁରୁତ୍ବପୂର୍ଣ୍ଣ ଆଲୋଚନା ହୋଇଥାଇପାରେ । ନବୀନ ହସ୍ପିଟାଲରେ ଥିବାବେଳେ ପାଣ୍ଡିଆନଙ୍କୁ ନେଇ ଯେଉଁ ଚର୍ଚ୍ଚା ହୋଇଥିଲା ସେଥିରୁ ଜଣାପଡ଼ିଥିଲା କି ଏବେ ବି ପାଣ୍ଡିଆନଙ୍କ ଦବଦବା ବିଜେଡିରେ ପୂର୍ବ ଭଳି ରହିଛି । ମାତ୍ର ହସ୍ପିଟାଲରୁ ଡିସଚାର୍ଜ ବେଳେ ନବୀନ ପାଣ୍ଡିଆନଙ୍କ ହାତ ଧରି ଚାଲୁଥିବା ଭିଡିଓ ସାମ୍ନାକୁ ଆସିବା ପରେ ସାଧାରଣରେ ଉଠିଥିବା ଚର୍ଚ୍ଚାରେ ପୁନଃଛେଦ ପଡ଼ିଥିଲା ।
ନବୀନ ନିବାସରେ ଦୁଇ ଭାଇ ପ୍ରେମ ପଟ୍ଟନାୟକ ଓ ନବୀନ ପଟ୍ଟନାୟକଙ୍କ ସାକ୍ଷାତ ଆଲୋଚନାକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା । ଏହାରି ଭିତରେ ଏକ ବଡ଼ ପ୍ରଶ୍ନ ହେଉଛି ପ୍ରେମ ପଟ୍ଟନାୟକ ବିଜେଡି ରାଜନୀତିକୁ ନେଇ କିଛି ଆଲୋଚନା କରିପାରନ୍ତି କି ? ଯଦି ଆମେ ଦେଖିବା ତେବେ ୨୦୨୪ନିର୍ବାଚନରେ ଭି.କେ ପାଣ୍ଡିଆନଙ୍କୁ ଓଡ଼ିଶାବାସୀ ପ୍ରତ୍ୟାଖାନ କରିଛନ୍ତି । ପରୋକ୍ଷରେ ହେଉ ପଛେ ଲୋକେ ଦେଖାଇ ଦେଇଛନ୍ତି କି ସେମାନଙ୍କର କେବଳ ନବୀନ ବାବୁଙ୍କ ପ୍ରତି ନିଜର ଭଲ ପାଇବା ଅଛି । ପ୍ରବାଦ ପୁରୁଷ ବିଜୁବାବୁଙ୍କ ନାଁରେ ଗଠିତ ବିଜୁ ଜନତା ଦଳକୁ ୨୪ବର୍ଷରୁ ଅଧିକ ସମୟ ଧରି ଭଲ ପାଇବା ଅଜାଡିଛନ୍ତି ଓଡିଶାବାସୀ। ତେବେ ନବୀନଙ୍କ କ୍ଷମତା ପାଣ୍ଡିଆନ ହାଇଜାକ୍ କରିବା ନେଇ ସାଧାରଣରେ ଏକ ଧାରଣା ସୃଷ୍ଟି ହେବା ପରେ ବିଜେଡିରୁ ବିମୁଖ ହୋଇଥିଲେ ଜନତା । ଫଳରେ ନିର୍ବାଚନରେ ବିଜେଡିକୁ ବିପର୍ଯ୍ୟର ସାମ୍ନା କରିବାକୁ ପଡ଼ିଥିଲା । ତେଣୁ ପୁଣି ବିଜେଡିକୁ ଟ୍ରାକକୁ ଆଣିବାକୁ ନେତୃତ୍ବ ନେବେ କି ବିଜୁବାବୁଙ୍କ ନାତି ଅରୁଣ ପଟ୍ଟନାୟକ ? ଉଚ୍ଚ ଶିକ୍ଷିତ ଅରୁଣ ନବୀନଙ୍କ ବଡ଼ ଭାଇ ପ୍ରେମ ପଟ୍ଟନାୟକଙ୍କ ପୁଅ। ଓଡିଶାରେ ରହି ନ ଥିଲେ ବି ବିଜୁ ପରିବାର କନେକ୍ସନ୍ ତାଙ୍କୁ ଓଡିଶାବାସୀଙ୍କ ସହ ଯୋଡ଼ିପାରେ । କୁହାଯାଉଛି ବିଜେଡିର ସଂକଟ ସମୟରେ ଅରୁଣଙ୍କୁ ଉତ୍ତରାଧିକାରୀ ଘୋଷଣା କରିପାରନ୍ତି ନବୀନ।
ଏବେ ସମୟ କହିବ କିଏ ହେବେ ବିଜେଡିର ଉତ୍ତରାଧିକାରୀ । ବିଶ୍ବସ୍ତ ସୂତ୍ରରୁ ମିଳିଥିବା ଖବର ଅନୁସାରେ ନବୀନଙ୍କ ଗୋଟି ଚାଳନାରେ ପାଣ୍ଡିଆନ କେବଳ ମୋହରା । ଠିକ୍ ସମୟରେ ଉଚିତ ନିଷ୍ପତ୍ତି ନେବାରେ ମାହିର ନବୀନ କେବେ ବି ଭୁଲ୍ କରିବେ ନାହିଁ ବୋଲି କୁହନ୍ତି କିଛି ନେତା । ଅରୁଣ ହିଁ ହେବେ ଉତ୍ତରାଧିକାରୀ ଏହା ସ୍ପଷ୍ଟ । ପାଣ୍ଡିଆନ ହେଉଛନ୍ତି କେୟାର ଟେକର ।