ଦୁଃଖଦ ଅକ୍ଟୋବର ; ମନରୁ ଲିଭିନି ୨୯-୧୦-୧୯୯୯

ଦୁଃଖଦ ଅକ୍ଟୋବର ; ମନରୁ ଲିଭିନି ୨୯-୧୦-୧୯୯୯

ଭୁବନେଶ୍ବର,୨୯/୧୦ : ଚଳିତ ବର୍ଷ ୧୯୯୯ ଅକ୍ଟୋବର ୨୯ ମହାବାତ୍ୟାକୁ ୨୫ବର୍ଷ ପୂରିଛି । ସେହି ମହାବାତ୍ୟାରେ ବିଶେଷ ଭାବେ ପାରାଦ୍ବୀପ ଓ ଜଗତସିଂହପୁର ଜିଲ୍ଲା ସର୍ବାଧିକ କ୍ଷତିଗ୍ରସ୍ତ ହୋଇଥିଲା । ପ୍ରାଣ ହରାଇଥିଲେ ପ୍ରାୟ ୧୦ ହଜାରରୁ ଊର୍ଦ୍ଧ୍ବ ଲୋକେ ।

ସେ ଦିନ ଥିଲା ୧୯୯୯ ମସିହା ଅକ୍ଟୋବର ୨୯ତାରିଖ । ବଙ୍ଗୋପସାଗରରେ ସୃଷ୍ଟ ଅତିଭୀଷଣ ସାମୁଦ୍ରିକ ଝଡ଼ ଓଡ଼ିଶା ଉପକୂଳରେ ଲ୍ୟାଣ୍ଡଫଲ୍ କରିଥିଲା । ଏହାର ଲ୍ୟାଣ୍ଡଫଲ୍ ପଏଣ୍ଟ ଥିଲା ଜଗତସିଂହପୁର । ପାରାଦ୍ବୀପ ସମେତ, କୁଜଙ୍ଗ, ଏରସମା ବ୍ଲକ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଥିଲା । ପାର୍ଶ୍ବବର୍ତ୍ତି ଜିଲ୍ଲା କେନ୍ଦ୍ରାପଡ଼ା, ଭଦ୍ରକ, ପୁରୀ ଓ ଖୋର୍ଦ୍ଧା ମଧ୍ୟ ପ୍ରଭାବିତ ହୋଇଥିବାବେଳେ ଢେଙ୍କାନାଳ, ନୟାଗଡ଼ ପରି ଆଭ୍ୟନ୍ତରୀଣ ଜିଲ୍ଲା ମଧ୍ୟ ଆଶିଂକ ପ୍ରଭାବିତ ହୋଇଥିଲା । ଆଜି ବି ଓଡ଼ିଶା ଉପକୂଳରେ ବାତ୍ୟା ଆସିଲେ ମନେ ପଡ଼ିଯାଏ ୧୯୯୯ ମହାବାତ୍ୟା କଥା । ଏହାର କରାଳ ଚିତ୍ରକୁ ଆଖିରେ ଦେଖିଥିବା ଲୋକେ ଏବେ ବି ଦୁର୍ଦ୍ଦଶା, ଯନ୍ତ୍ରଣାର ସେହି ଅଭିଶପ୍ତ ବର୍ଷକୁ ଭୁଲିପାରି ନାହାନ୍ତି । 

ପୂର୍ବ ଆଶଙ୍କା ଓ ସମସ୍ତ ଆକଳନଠାରୁ ଢେର ଗୁଣା ଅଧିକ ପ୍ରଳୟଙ୍କାରୀ ରୂପ ନେଇଆସିଥିଲା ମହାବାତ୍ୟା । ଘଣ୍ଟା ପ୍ରତି ୩ଶହ କିଲୋମିଟର ଟପିଥିଲା ପବନର ବେଗ । ସମୁଦ୍ରରେ ଉଠିଥିଲା ୬ରୁ ୮ ମିଟର ପର୍ଯ୍ୟନ୍ତ ଉଚ୍ଚ ଜୁଆର । ନିଶ୍ଚିହ୍ନ ହୋଇଯାଇଥିଲା ଉପକୂଳ ଜଗତସିଂହପୁର ଜିଲ୍ଲା । ପ୍ରଭାବରେ ୨୯ ଅକ୍ଟୋବରରୁ ନଭେମ୍ବର ୧ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରାୟ ୪୪୭ମିଲି ମିଟରରୁ ୯୫୫ମି.ମି ପର୍ଯ୍ୟନ୍ତ ଅତିପ୍ରବଳ ବର୍ଷା ହୋଇଥିଲା । ଯାହା ପରବର୍ତ୍ତି ସମୟରେ ବନ୍ୟା ସୃଷ୍ଟି କରିଥିଲା । ବୈତରଣୀ, ବୁଢାବଳଙ୍ଗ ଓ ସାଳନ୍ଦୀ ନଦୀ ଅବବାହିକାରେ ପ୍ରବଳ ବର୍ଷା ହେବା ଫଳରେ ଯାଜପୁର, ଭଦ୍ରକ, କେନ୍ଦ୍ରାପଡ଼ା, ବାଲେଶ୍ବର ଓ ମୟୁରଭଞ୍ଜ ପରି ଜିଲ୍ଲା ବନ୍ୟାରେ ବ୍ୟାପକ ଭାବେ ପ୍ରଭାବିତ ହୋଇଥିଲେ ।

ଆଜିର ଇଣ୍ଟରନେଟର ସୁବିଧା ସେତେବେଳେ ନ ଥିଲା । ବ୍ୟାପକ ଭାବେ ସଚେତନତା ଅଭାବରୁ ସେଥିରେ ଅନେକ ଲୋକଙ୍କ ଜୀବନ ହାନି ଘଟିଥିଲା । ମାତ୍ର ଆଜି ଆଉ ତାହା ନାହିଁ । ବର୍ତ୍ତମାନ ସାରା ବିଶ୍ବରେ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନାରେ ଓଡ଼ିଶାର ମଡେଲ ସର୍ବାଗ୍ରେ । ଲୋକେ ସଚେତନ ହେଉଛନ୍ତି, ସତର୍କ ହେଉଛନ୍ତି । ଯାହା ଫଳରେ ବହୁଳ ଭାବେ ଧନ ଜୀବନ କ୍ଷତି ହେବାରୁ ବର୍ତ୍ତି ଯାଉଛି । 

ସରକାରୀ ଭାବେ ରାଜ୍ୟରେ ମୋଟ ୯ ହଜାର ୮ ଶହ ୮୫ ଜଣଙ୍କ ଜୀବନ ଯାଇଥିବା ଦର୍ଶାଯାଏ । ମୋଟ ମୃତ୍ୟୁ ସଂଖ୍ୟାର ପ୍ରାୟ ୮,୧୧୯ ଜଣ କେବଳ ଜଗତସିଂହପୁର ଜିଲ୍ଲାର ଥିଲେ । ତଥାପି ବର୍ଷ ବର୍ଷ ପର୍ଯ୍ୟନ୍ତ ଶତାଧିକ ନିଖୋଜଙ୍କ ପତ୍ତା ମିଳି ନ ଥିଲା । ଅନେକ ଚିହ୍ନଟ ହୋଇପାରିନଥିବା ମୃତଦେହ ମଧ୍ୟ ଉଦ୍ଧାର ହୋଇଥିଲା । ସରକାରୀ ତଥ୍ୟଠାରୁ ମୃତ୍ୟୁ ସଂଖ୍ୟା ଢେର ଅଧିକ ବୋଲି ମଧ୍ୟ ଚର୍ଚ୍ଚା ହୁଏ ।

୨୦୧୩ ମସିହା ଅକ୍ଟୋବର ୧୨ତାରିଖ ଓଡ଼ିଶା ଉପକୂଳରେ ତାଣ୍ଡବ ରଚିଥିବା ଅନ୍ୟତମ ବାତ୍ୟା ଥିଲା ‘ଫାଇଲିନ’ । ସେହିଭଳି ଫାଇଲିନର ପରବର୍ଷ ୨୦୧୪ ମସିହା ଅକ୍ଟୋବର ୧୨ ତାରିଖରେ ବାତ୍ୟା ହୁଡହୁଡ ଲ୍ୟାଣ୍ଡଫଲ କରିଥିଲା । ଏହା ଓଡିଶା ଉପକୂଳରେ ସିଧା ଲ୍ୟାଣ୍ଡଫଲ ନକରି ଆନ୍ଧ୍ରର ଉପକୂଳ ସହର ବିଶାଖାପାଟନମରେ ଲ୍ୟାଣ୍ଡଫଲ କରି ବ୍ୟାପକ କ୍ଷତି ଘଟାଇଥିଲା । ପରେ ପରେ ୨୦୧୮ ମସିହା ଅକ୍ଟୋବର ୧୧ ତାରିଖରେ ଉତ୍ତର ଆନ୍ଧ୍ର ପ୍ରଦେଶ ଏବଂ ଦକ୍ଷିଣ ଓଡିଶାର ଉପକୂଳ ଅତିକ୍ରମ କରି ଅତି ଭୟଙ୍କର ସାଇକ୍ଲୋନିକ ଝଡ ଭାବରେ ତାଣ୍ଡବ ରଚିଥିଲା ‘ତିତିଲ’ । ଏହା ପରେ ବାତ୍ୟା ‘ଅମ୍ଫାନ’ ମଧ୍ୟ ଓଡିଶା ଓ ପଶ୍ଚିମବଙ୍ଗ ସୀମାବର୍ତ୍ତୀ ଉପକୂଳରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା ।