ବିଏମସିର ଅତିରିକ୍ତ କମିଶନରଙ୍କୁ ମାଡ଼ ଘଟଣା; ବିଜେପି ନେତା ଜଗନ୍ନାଥ ପ୍ରଧାନ ଗିରଫ

ଭୁବନେଶ୍ବର, ୩/୭ : BMCର ଅତିରିକ୍ତ କମିଶନରଙ୍କ ଉପରେ ହୋଇଥିବା ଆକ୍ରମଣ ଘଟଣାରେ ବିଜେପି ନେତା ଜଗନ୍ନାଥ ପ୍ରଧାନ ଗିରଫ । କ୍ୟାପିଟାଲ ହସ୍ପିଟାଲରେ ତାଙ୍କର ସ୍ବାସ୍ଥ୍ୟ ପରୀକ୍ଷା ଚାଲିଛି । ଗୁରୁବାର ସନ୍ଧ୍ୟାରେ ସେ ଡିସିପି ଅଫିସ ଆସି ଆତ୍ମ ସମର୍ପଣ କରିବା ପରେ ତାଙ୍କୁ ଗିରଫ କରାଯାଇଛି । ଏହି ଘଟଣାକୁ ନେଇ ଜଗା ପ୍ରଧାନଙ୍କ ସମର୍ଥକ ରାସ୍ତାରୋକ କରିବା ସହ ଧାରଣା ଦେଇଛନ୍ତି ।
ଆଜି ସନ୍ଧ୍ୟାରେ ଡିସିପି ଅଫିସରେ ପହଞ୍ଚିବା ପରେ ସେ କହିଥିଲେ, ଗତ ୩୦ତାରିଖ ଦିନ BMC ର ଅତିରିକ୍ତ କମିଶନରଙ୍କ ଉପରେ ହୋଇଥିବା ଆକ୍ରମଣ ଘଟଣାକୁ ମୁଁ ସର୍ବସାଧାରଣରେ ନିନ୍ଦା କରି ସାରିଛି।
ଏପରି ନିନ୍ଦନୀୟ ଘଟଣା ଗ୍ରହଣୀୟ ନୁହେଁ କି ଆଗକୁ ଘଟିବା କଥା ନୁହେଁ। ଏ ଘଟଣାରେ ମୋର ସଂପୃକ୍ତି ନ ଥିବା ସତ୍ତ୍ବେ ବିଭିନ୍ନ ଦିଗରୁ ମୋତେ ଏବଂ ମୋ ଦଳ ଏବଂ ସରକାରଙ୍କୁ ବଦନାମ୍ କରିବା ପାଇଁ ଯୋଜନାବଦ୍ଧ ଉଦ୍ୟମ କରାଗଲା। OAS Association ମଧ୍ୟ ଏହି ଯୋଜନାର ଶିକାର ହୋଇ ମୋ ଗିରଫ ଦାବି କରି ଆନ୍ଦୋଳନରତ ଅଛନ୍ତି।
ଏହି ଆନ୍ଦୋଳନ ଫଳରେ ବନ୍ୟାଞ୍ଚଳର ଦୁର୍ଗତିରେ ଥିବା ଲୋକମାନଙ୍କ ସେବା ଓ କ୍ଷୟକ୍ଷତିର ଆକଳନ ଓ କ୍ଷତିପୂରଣ ଆବଣ୍ଟନ ପ୍ରଭାବିତ ହୋଇପାରେ ତଥା ବାହୁଡ଼ା ଯାତ୍ରା ଓ ମହାପ୍ରଭୁଙ୍କ ସୁନାବେଶ ମଧ୍ୟ ପ୍ରଭାବିତ ହୋଇପାରେ।
ମୋର ଗିରଫଦାରୀ ଯଦି ଏ ସବୁ ସମସ୍ୟାର ସମାଧାନ, ତା ହେଲେ ମନମୋହନ ସାମଲଙ୍କ ନେତୃତ୍ବରେ ଭାରତୀୟ ଜନତା ପାର୍ଟି ଏବଂ ମୋହନ ଚରଣ ମାଝୀଙ୍କ ନେତୃତ୍ବରେ ଓଡ଼ିଶା ସରକାରର ସମ୍ମାନ ଓ ଓଡ଼ିଶା ତଥା ଓଡିଶାବାସୀଙ୍କ ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ମୁଁ ଉକ୍ତ ଘଟଣାର ତଦନ୍ତ କାର୍ଯ୍ୟରେ ସହଯୋଗ କରିବାକୁ ଯାଉଛି।