ପୁଣି ଥରେ କେନ୍ଦ୍ରାପଡ଼ାରେ ତୁଳସୀ ବିବାହ ଓ କନ୍ଦରାସୁର ପୋଡ଼ି

କେନ୍ଦ୍ରାପଡ଼ା,୧୩/୧୧ : ସିଦ୍ଧ ବଳଦେବଜୀଉଙ୍କ କ୍ଷେତ୍ର କେନ୍ଦ୍ରାପଡ଼ା ଜିଲ୍ଲାରେ ଲୁଚି ଯାଇଥିବା ଏତିହ୍ୟ ଓ ସଂସ୍କୃତି ତୁଳସୀ ବିବାହ ଓ କନ୍ଦରାସୁର ପୋଡ଼ି ପୁଣି ଥରେ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ଆନୁକୂଲ୍ୟରେ ମହାକାଳପଡ଼ା ବ୍ଲକ ଅନ୍ତର୍ଗତ ଯଦୁପୁର ନିକଟସ୍ଥ ଗୋପୀନାଥପୁର ଶାସନ ଗୋଷ୍ଠେଶ୍ୱର୍ ପୀଠ ପ୍ରାଙ୍ଗଣରେ ବୈଦିକ ରୀତିରେ ଆୟୋଜିତ ହୋଇଯାଇଛି । ଧାର୍ମିକ ପରମ୍ପରା ଅନୁସାରେ କାର୍ତ୍ତିକ ମାସ ଶୁକ୍ଳ ପକ୍ଷ ଦ୍ୱାଦଶୀ ଦିନ ଭଗବାନ ବିଷ୍ଣୁଙ୍କର ଶାଳଗ୍ରାମ ରୂପ ସହ ତୁଳସୀ ଦେବୀଙ୍କର ବିବାହ କରାଯାଇଥାଏ।
ଏହା ଓଡ଼ିଆ ଅସ୍ମିତାର ପରିଚୟ ବହନ କରେ । କିନ୍ତୁ ଦୀର୍ଘ କିଛି ବର୍ଷ ହେବ କେନ୍ଦ୍ରାପଡ଼ାର ଏହି ପରମ୍ପରା ମଳିନ ପଡ଼ିଯାଇଥିବା ଅନୁଭବ କରି ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ପୁଣି ଥରେ ଏହି ପରମ୍ପରାକୁ ଧୁମ୍ ଧାମରେ ପାଳନ କରିଛନ୍ତି। ଟ୍ରଷ୍ଟର ସଭାପତି ଶ୍ରୀଯୁକ୍ତ ଦମନ ମହାନ୍ତିଙ୍କ ପ୍ରଚେଷ୍ଟାରେ ଶହ ଶହ ଶ୍ରଦ୍ଧାଳୁ ଭକ୍ତ ଏହି କାର୍ଯ୍ୟକ୍ରମକୁ ମନ ଭରି ଉପଭୋଗ କରିଥିଲେ । ବାଲୁକା ଶିଳ୍ପୀ ବହ୍ଲବ ମହାପାତ୍ରଙ୍କ ଦ୍ଵାରା ବଳରାମ ଓ ତୁଳସୀଙ୍କ ବାଲୁକା ମୂର୍ତ୍ତି କରାଯାଇ ଵିଵାହ କାର୍ଯ୍ୟ ହିନ୍ଦୁ ପରମ୍ପରା ଅନୁସାରେ କରାଯାଇଥିଲା। ଗୋଷ୍ଠେଶ୍ୱର ମହାଦେବଙ୍କ ମୁଖ୍ୟ ପରିଚାଳକ ବିଷ୍ଣୁଚରଣ ମହାପାତ୍ର ଏହି କାର୍ଯ୍ୟକୁ ତଦାରଖ କରିଥିଲେ।
ହରି ନାମ ସଙ୍କୀର୍ତ୍ତନ ନୈଷ୍ଠିକ ବ୍ରାହ୍ମଣଙ୍କ ଦ୍ଵାରା ବେଦ ପାଠ ଓ ହରିବୋଲ ହୁଳହୁଳିରେ ଵିଵାହ ବେଦୀ ଉଛୁଳି ପଡ଼ିଥିଲା। ଏହାପରେ ୨୫ ଫୁଟ ଉଚ୍ଚ ର ଦୀର୍ଘ ଦେହି କନ୍ଦରାସୁରକୁ ଅଗ୍ନି ସଂଯୋଗ କରି ପୋଡ଼ାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟର ଉପସଭାପତି ରଶ୍ମି ରଞ୍ଜନ ବାରିକ, ସଂସ୍କୃତି ବିଭାଗୀୟ ଅଧିକାରୀ ସଞ୍ଜୀବ କୁମାର ତରାଇ, କାଳନ୍ଦୀ ମଲ୍ଲିକ, ବେଦଜ୍ୟୋତି ଦାସ, ଗୌତମ ସାହୁ, ସମ୍ରାଟ ବିପିନ ବିହାରୀ ଦାସ ଉପସ୍ଥିତ ଥିଲେ।