ବାବୁ ଜିତିଲେ, ନେତା ହାରିଲେ
ଭୁବନେଶ୍ବର, ୪/୭ : ବାବୁ ଜିତିଲେ, ନେତା ହାରିଲେ । ଏ ଉକ୍ତି ଟି ଗୁରୁବାର ରାଜଧାନୀର ଛାତି ଉପରେ ଯେଉଁ ଦୃଶ୍ୟ ଦେଖିବାକୁ ମିଳିଲା ତାକୁ ନେଇ ଏତିକି କୁହାଯିବ କି ବାବୁ ଜିତିଲେ, ନେତା ହାରିଲେ ବୋଲି । ଏହି କଥା ହୁଏତ ସହଜରେ କାହାକୁ ହଜମ ହୋଇନପାରେ । ମାତ୍ର ଗତ ୩୦ତାରିଖରୁ ଚାଲିଥିବା ରାଜନୈତିକ ରୁଟି ସେକା ଭିତରେ ଏବେ ବାବୁ ଜିତିଥିବା କଥା ଚର୍ଚ୍ଚା ହେବାରେ ଲାଗିଛି । ଆଗାମୀ ଦିନରେ କିଏ କେତେ ମାଇଲେଜ ନେଲା ତାହା ସମୟ କହିବ । ମାତ୍ର ଏବେ ଏଇଆ କୁହାଯାଇ ପାରିବ କି ନେତା କେଉଁଠି କେଉଁ ହାରିଯାଇଛନ୍ତି ।
ବିଏମସି ଅତିରିକ୍ତ କମିଶନରଙ୍କ ଉପରେ ହୋଇଥିବା ଆକ୍ରମଣ ଘଟଣାରେ ବିଜେପି ନେତା ଜଗନ୍ନାଥ ପ୍ରଧାନ ଗିରଫ ହୋଇଛନ୍ତି । ଗୁରୁବାର ସନ୍ଧ୍ୟାରେ ସେ ଡିସିପି ଅଫିସ ଆସି ଆତ୍ମ ସମର୍ପଣ କରିବା ପରେ ତାଙ୍କୁ ଗିରଫ କରାଯାଇଛି । ଆଜି ସନ୍ଧ୍ୟାରେ ଡିସିପି ଅଫିସରେ ପହଞ୍ଚିବା ପରେ ସେ କହିଥିଲେ, ଗତ ୩୦ତାରିଖ ଦିନ ବିଏମସିର ଅତିରିକ୍ତ କମିଶନରଙ୍କ ଉପରେ ହୋଇଥିବା ଆକ୍ରମଣ ଘଟଣାକୁ ମୁଁ ସର୍ବସାଧାରଣରେ ନିନ୍ଦା କରି ସାରିଛି। ଏପରି ନିନ୍ଦନୀୟ ଘଟଣା ଗ୍ରହଣୀୟ ନୁହେଁ କି ଆଗକୁ ଘଟିବା କଥା ନୁହେଁ। ଏ ଘଟଣାରେ ମୋର ସଂପୃକ୍ତି ନ ଥିବା ସତ୍ତ୍ବେ ବିଭିନ୍ନ ଦିଗରୁ ମୋତେ ଏବଂ ମୋ ଦଳ ଏବଂ ସରକାରଙ୍କୁ ବଦନାମ୍ କରିବା ପାଇଁ ଯୋଜନାବଦ୍ଧ ଉଦ୍ୟମ କରାଗଲା। OAS Association ମଧ୍ୟ ଏହି ଯୋଜନାର ଶିକାର ହୋଇ ମୋ ଗିରଫ ଦାବି କରି ଆନ୍ଦୋଳନରତ ଅଛନ୍ତି।
ଏହି ଆନ୍ଦୋଳନ ଫଳରେ ବନ୍ୟାଞ୍ଚଳର ଦୁର୍ଗତିରେ ଥିବା ଲୋକମାନଙ୍କ ସେବା ଓ କ୍ଷୟକ୍ଷତିର ଆକଳନ ଓ କ୍ଷତିପୂରଣ ଆବଣ୍ଟନ ପ୍ରଭାବିତ ହୋଇପାରେ ତଥା ବାହୁଡ଼ା ଯାତ୍ରା ଓ ମହାପ୍ରଭୁଙ୍କ ସୁନାବେଶ ମଧ୍ୟ ପ୍ରଭାବିତ ହୋଇପାରେ। ମୋର ଗିରଫଦାରୀ ଯଦି ଏ ସବୁ ସମସ୍ୟାର ସମାଧାନ, ତା ହେଲେ ମନମୋହନ ସାମଲଙ୍କ ନେତୃତ୍ବରେ ଭାରତୀୟ ଜନତା ପାର୍ଟି ଏବଂ ମୋହନ ଚରଣ ମାଝୀଙ୍କ ନେତୃତ୍ବରେ ଓଡ଼ିଶା ସରକାରର ସମ୍ମାନ ଓ ଓଡ଼ିଶା ତଥା ଓଡିଶାବାସୀଙ୍କ ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ମୁଁ ଉକ୍ତ ଘଟଣାର ତଦନ୍ତ କାର୍ଯ୍ୟରେ ସହଯୋଗ କରିବାକୁ ଯାଉଛି। ଏହା କହି ସେ ଆତ୍ମସମର୍ପଣ କରିଥିଲେ ।
ଅନ୍ୟପଟେ ବିଜେପି ନେତା ଜଗନ୍ନାଥ ପ୍ରଧାନଙ୍କୁ ପୁଲିସ ଗିରଫ କରିବା ପରେ ଓଏଏସ ସଂଘ ଆନ୍ଦୋଳନ ପ୍ରତ୍ୟାହୃତ କରିଥିବା ଓଏଏସ ସଂଘ ସଭାପତି ସୂଚନା ଦେଇଛନ୍ତି। ଓଏଏସ୍ ସଂଘ କାର୍ଯ୍ୟବନ୍ଦ ଆନ୍ଦୋଳନ ପାଇଁ ନିଷ୍ପତ୍ତି ନେବାର କିଛି ଘଣ୍ଟା ମଧ୍ୟରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ(ସିଏମଓ) ତ୍ୱରିତ୍ ପଦକ୍ଷେପ ନେଇଥିଲା । ସଂଘର ବରିଷ୍ଠ କର୍ମକର୍ତ୍ତାମାନଙ୍କୁ ଡାକି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ନିଜେ ଆଲୋଚନା କରିବା ସହ ଆନ୍ଦୋଳନ ଭଳି ନିଷ୍ପତ୍ତିରୁ ନିବୃତ୍ତ ରହିବାକୁ ପରାମର୍ଶ ଦେଇଥିଲେ । ଏହାସହିତ ଘଟଣାରେ ଦୋଷୀ ସମସ୍ତଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ସରକାରଙ୍କ ଉପରେ ଚାପ ସୃଷ୍ଟି କରିବାକୁ ଉଭୟ ଆଇଏଏସ୍ ସଂଘ ଓ ଓଏଏସ୍ ସଂଘ ମିଳିତ ଭାବେ ଘଟଣାକୁ ନିନ୍ଦା କରି କାର୍ଯ୍ୟାନୁଷ୍ଠାନ ମଧ୍ୟ ଦାବି କରିଥିଲେ । ତେବେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ପରେ ଆନ୍ଦୋଳନ ନକରିବାକୁ ନିଷ୍ପତ୍ତି ନେଇ ସଂଘ ପକ୍ଷରୁ ଗଣମାଧ୍ୟମକୁ ପ୍ରେସ୍ ରିଲିଜ୍ ଜାରି କରାଗଲା । କିନ୍ତୁ ସଂଘର ଏହି ନିଷ୍ପତ୍ତିକୁ ଜିଲ୍ଲା ସଂଘମାନେ ଗ୍ରହଣ କଲେନି ଓ ଏକତରଫା ଭାବେ କାର୍ଯ୍ୟବନ୍ଦ ଆନ୍ଦୋଳନ ଆରମ୍ଭ କଲେ । ପ୍ରାୟ ୨୬ଟି ଜିଲ୍ଲା ସଂଘ ଏହି କାର୍ଯ୍ୟବନ୍ଦ ଆନ୍ଦୋଳନରେ ସାମିଲ ହେବାପରେ ଓଏଏସ୍ ସଂଘ ପୁଣିଥରେ ଏକ ଜରୁରୀ ବୈଠକ ଡାକି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୩ ଦଫା ଦାବି ପୂରଣ ପାଇଁ ମୁଖ୍ୟ ସଚିବ ମନୋଜ ଆହୁଜାଙ୍କୁ ଦାବିପତ୍ର ପ୍ରଦାନ କଲା । ଏଥିରେ ମୁଖ୍ୟ ଅଭିଯୁକ୍ତ କିଙ୍ଗପିନ୍ ଜଗନ୍ନାଥ ପ୍ରଧାନଙ୍କୁ ଗିରଫ, କାର୍ଯ୍ୟସ୍ଥଳରେ ଅଫିସରମାନଙ୍କୁ ସୁରକ୍ଷା ଓ ଆକ୍ରମଣ ଘଟଣାକୁ ସାର୍ବଜନୀନ ଭାବେ ସରକାର ନିନ୍ଦା କରିବା ପାଇଁ ନିଃସର୍ତ୍ତ ଦାବି ଜଣାଇଲା । ତେବେ ଓଏଏସ୍ ଅଫିସରମାନେ କାର୍ଯ୍ୟ ବନ୍ଦ କରିବା ସିଧାସଳଖ ସରକାରଙ୍କୁ ନାଲି ଆଖି ଦେଖାଇବା ସଦୃଶ ହୋଇଥିବା ସାଧାରଣରେ ଚର୍ଚ୍ଚା ହେଉଛି ।
ଏବେ ସାଧାରଣରେ ଚର୍ଚ୍ଚା ହେଉଛି କିଏ କେତେ ପାଓ୍ବାରଫୁଲ୍ । ନେତା ନା ବାବୁ । କିନ୍ତୁ ଏଠି ଏହା ମାନିବାକୁ ବାଧ୍ୟ ଯେ ବାବୁ ଜିତିଛନ୍ତି, ନେତା ହାରିଛନ୍ତି ।

Editor 


