ଓଡ଼ିଆ ସିନେମା ଦିବସର ଅନୁଚିନ୍ତା

ଓଡ଼ିଆ ସିନେମା ଦିବସର ଅନୁଚିନ୍ତା

ଭୁବନେଶ୍ୱର,୨୮/୪ : ଆଜି ଓଡ଼ିଆ ସିନେମାର ଜନ୍ମଦିନ l ଆମେ କିନ୍ତୁ ଖୁସି ହେବା କି ଦୁଃଖ କରିବା ତାହା ଆଲୋଚନାର ବିଷୟ l କେଜାଣି କାହିଁକି ମନରେ ଗୁଡ଼େ ଅବଶୋଷ ରହିଯାଉଛି l ଏଭଳି କଣ ହୋଇପାରେ ଆମ ଓଡ଼ିଆ ସିନେମା ଇଣ୍ଡଷ୍ଟ୍ରି l ଯୁବ ପୀଢ଼ିଙ୍କୁ କହିଲେ ସେମାନେ ନାକ ଟେକୁଛନ୍ତି l ଓଡ଼ିଆ କଳାକାରଙ୍କ କଥା କହିଲେ ସେମାନେ ପଚାରୁଛନ୍ତି ଏମାନେ ସବୁ କିଏ ? ସେମାନେ ସତରେ ଓଡ଼ିଆ ସିନେମା ଦେଖିବାକୁ କିମ୍ବା ଓଡ଼ିଆ କଳାକାରଙ୍କୁ ଚିହ୍ନିବାକୁ ପସନ୍ଦ କରୁଛନ୍ତି ନା କରୁନାହାନ୍ତି ତାହା ସବୁ ଠୁ ବେଶୀ ଗୁରୁତ୍ୱପୂର୍ଣ୍ଣ l ସତରେ କଣ ଆମ କଳାକାର ସେମାନଙ୍କ ମନ ଜିଣିପାରୁନାହାନ୍ତି ନା ତାଙ୍କ ପାଖରେ ସେତିକି ଚମକ ରହୁନି ଜଣେ ଯୁବ ଦର୍ଶକକୁ ଆକୃଷ୍ଟ କରିବାକୁ l

          ସିନେମା ରିଲିଜ ହେଉଛି ସତ କିନ୍ତୁ ତାହା ଯେମିତି ସବୁ ସୋସିଆଲ ମିଡିଆରେ ରହିଯାଉଛି l କେବଳ କମେଣ୍ଟ ଆଉ କମେଣ୍ଟରେ l ଭୁବନେଶ୍ୱର ଓ କଟକକୁ ଛାଡିଦେଲେ ସିନେମା ଆଉ ରାଜ୍ୟର କୌଣସି ସ୍ଥାନକୁ ଆମ ଓଡ଼ିଆ ସିନେମା ଯାଇପାରୁନି l କାରଣ ଖୋଜିବାକୁ ସମସ୍ତେ ନାରାଜ l କାହିଁକି ନା ସମସ୍ତେ ସୋସିଆଲ ମିଡ଼ିଆ ଷ୍ଟାର ହେବାକୁ ପଛଘୁଞ୍ଚା ଦେଉ ନାହାନ୍ତି l ବୀର ଭଳି ଆଗକୁ ଆସି କ୍ୟାମେରା ସାମ୍ନାରେ ଲଢେଇ କରିବାକୁ ଜାରି ରହୁଛନ୍ତି l ଆଜି କାହିଁକି ଖୁସି ଛଡ଼ା ଦୁଃଖ କରିବାକୁ ଇଛା ହେଉଛି l କାରଣ ଆମ ପୁରୁଣା ଦିନର ଓଡ଼ିଆ ସିନେମା ବେଶ ଭଲ ଥିଲା ଯେମିତି ଲାଗୁଛି l

        ଆଜିର ଦିନରେ କେବଳ ସଭା ସମିତି କରି ଓଡ଼ିଆ ସିନେମାକୁ ବଞ୍ଚାଇ ରଖିବା ବ୍ୟତୀତ ଆଉ କିଛି ଯେମିତି ଦେଖା ଯାଉନି l ନୂଆ ପିଢୀ ସିନେମା ଦେଖିବାକୁ ଆସିବାକୁ ନାରାଜ l ହିନ୍ଦୀ କିମ୍ବା ଅନ୍ୟ ଆଞ୍ଚିଳିକ ଭାଷାର ସିନେମା ପଡ଼ିଲେ ଓଡ଼ିଶାର ଯୁବ ପିଢୀ ସକାଳୁ ଯାଇ ଲାଇନ ଲାଗି ଟିକେଟ କାଟି ଦେଖୁଛନ୍ତି l ମାତ୍ର ଆମ କଳାକାରଙ୍କ କଥା କହିଲେ ସେମାନେ ନିଜକୁ ନୀଚ ମନେ କରନ୍ତି ଆଉ ପଚାରୁ ଥିବା ଲୋକଙ୍କୁ ଭାବନ୍ତି ଏ ବ୍ୟକ୍ତି ଅପଡେଟ ନାହାନ୍ତି ବୋଧେ l ଅଙ୍ଗେ ଲିଭା କଥା କହିବାକୁ ପଡୁଛି l କାରଣ ଆଜି ଯେତେବେଳେ ଆମ ଇଣ୍ଡଷ୍ଟ୍ରି ଆଗାମୀ ଦିନରେ ଶତ ବାର୍ଷିକୀ ପାଳନ କରିବାକୁ ଯାଉଛି ଏଭଳି ସ୍ଥଳେ ଏଭଳି ଅନୁଶୀଳନ କରିବା ନିହାତି ଆବଶ୍ୟକ l

      ସବୁବେଳେ ସରକାରୀ ସ୍ତରର ଅବହେଳାକୁ ଦ୍ୱାହି ଦେଇ ଆମେମାନେ ପାର ହେଇଯାଉଛେ l ମାତ୍ର କେତେ ଦିନ ଏଭଳି ଗଳା ବାଟରେ ଆମେମାନେ ନିଜ ଦୋଷକୁ ଚାପି ରଖି ଆଗକୁ ବଢିବା l ଆଜି କଣ ସତରେ ଆମେ ମାନେ କେବଳ ଦୋଷ ଲଦା ଲଦି ବଞ୍ଚିବା l ପ୍ରଶ୍ନ ନିଜକୁ କରିବା ଆଉ ଉତ୍ତର ନିଜେ ଖୋଜିବା ସ୍ଥିତିରେ ଏବେ ଓଡ଼ିଆ ସିନେମା ଇଣ୍ଡଷ୍ଟ୍ରି l ଆଜି ବି ମନେ ପଡ଼ନ୍ତି ସେହି ପୁରୁଣା ଦିନର କଳାକାର l କିନ୍ତୁ ନୂଆ ପିଢୀ ଦର୍ଶକଙ୍କ ଆଦୃତ ଲାଭ କରିବାରେ ବିଫଳ ହେଉଛନ୍ତି l ଯାହା କାନ୍ଧରେ ଆଗକୁ ଯିବା କଥା ସେମାନେ ସବୁ ସୋସିଆଲ ମିଡ଼ିଆ ଯୁଦ୍ଧରେ ଲିପ୍ତ ରହୁଛନ୍ତି l ଯାହାର ସିଧା ସଳଖ ପ୍ରଭାବ ଜଣେ ଓଡ଼ିଆ ଦର୍ଶକର ମନରେ ପଡୁଛି l

      ଏବେ ବି ସମୟ ଅଛି ଆଗେଇ ଆସନ୍ତୁ l ଭଲ ସିନେମା କରିବା ଆଉ ଆମ ସିନେମାକୁ ଭୁବନେଶ୍ୱର ଓ କଟକର ସୀମା ପାର କରାଇ ସେହି ସୁଦୂର ଗାଁକୁ ନେଇଯିବା l