ସରକାରଙ୍କୁ ଓଡ଼ିଆ ଚଳଚ୍ଚିତ୍ର ଶିଳ୍ପ ବିଷୟରେ ଠିକ୍ ଭାବେ ବୁଝାଯାଇନଥିବା ଆଶଙ୍କା - ପ୍ରଣୟ ଜେଠୀ

ଭୁବନେଶ୍ବର, ୨୮/୭ : ନିକଟରେ ଆମ ସରକାର ବିଧାନସଭାରେ ରାଜ୍ୟର ନୂଆ ବଜେଟ ଉପସ୍ଥାପନ କରିଛନ୍ତି । ନୂଆ ସରକାରଙ୍କ ପ୍ରଥମ ବଜେଟ ହୋଇଥିବାରୁ ଏହାରି ଉପରେ ସବୁ ବର୍ଗର ଲୋକଙ୍କ ଅନେକ ଆଶା ଓ ଭରସା ରହିବା ସ୍ବାଭାବିକ । ସ୍ବାଭାବିକ ଭାବେ ସରକାର ସବୁ ବର୍ଗର ଲୋକଙ୍କୁ ସନ୍ତୁଷ୍ଟ କରିବା ପ୍ରୟାସ କରିଛନ୍ତି ଏହି ବଜେଟରେ । ତେବେ ଦୁଃଖ ଓ ପରିତାପର ବିଷୟ, ଲୋକଙ୍କ ମନୋରଞ୍ଜନ ସାଙ୍ଗକୁ ଓଡ଼ିଆ ଅସ୍ମିତାର ପ୍ରତୀକ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଥିବା ସାଂସ୍କୃତିକ କର୍ମୀ ତଥା ଓଡ଼ିଆ ସଂସ୍କୃତିର ପ୍ରଚାର ପ୍ରସାର ସାଙ୍ଗକୁ ଏହାର ପରିବେଷଣ କରୁଥିବା କଳାକାର , ପ୍ରଯୋଜକମାନଙ୍କ ପାଇଁ ନିର୍ଦ୍ଦିଷ୍ଟ ଭାବେ ବଜେଟରେ କୌଣସି ସୁବିଧା ସୁଯୋଗର ଉଲ୍ଲେଖ ନାହିଁ ।
ବିଶେଷ କରି ବର୍ତ୍ତମାନର ସମୟରେ ସବୁଠାରୁ ଅଧିକ ଲୋକପ୍ରିୟ ସିନେମା ତଥା ଏହିଭଳି ମାଧ୍ୟମର ଅଧିକ ପ୍ରଚାର ପ୍ରସାର ପାଇଁ ଆଖିଦୃଶିଆ ବ୍ୟୟ ବରାଦ ହୋଇନାହିଁ କହିଲେ ଚଳେ । ଓଡ଼ିଶା ସରକାର ସିନେମାକୁ ଏକ ଶିଳ୍ପର ମାନ୍ୟତା ଦେଇଆସିଛନ୍ତି । ତେବେ ଅନ୍ୟାନ୍ୟ ଶିଳ୍ପର ବିକାଶ ପାଇଁ ଅନେକ ପଦକ୍ଷେପ ନିଆଯାଉଥିବାବେଳେ ସିନେମା ଶିଳ୍ପକୁ ଆଗକୁ ନେବା ପାଇଁ ବଜେଟ୍ ରେ ସେଭଳି ଆଖିଦୃଶିଆ ପଦକ୍ଷେପ ନିଆଯାଇ ନାହିଁ । ଓଡ଼ିଆ ଅସ୍ମିତାର ପ୍ରତୀକ ଓଡ଼ିଆ ସଂସ୍କୃତିକୁ ଅବଲମ୍ବନ କରୁଥିବା ହଜାର ହଜାର କଳାକାର ତଥା ସିନେମା ଶିଳ୍ପ ପାଇଁ ଉପଯୁକ୍ତ ଭିତ୍ତିଭୂମି ଉପରେ ଏବେର ବିଜେପି ସରକାର ସ୍ବତନ୍ତ୍ର ଦୃଷ୍ଟି ଦେବେ ବୋଲି ଆମର ବିଶ୍ବାସ ଓ ଭରସା ରହିଛି ।