ଶିମିଳିପାଳରେ ଆରମ୍ଭ ହେଲା ବାଘ ଗଣନା ; ୨ଟି ପର୍ଯ୍ୟାୟରେ ହେବ ଗଣତି

ଶିମିଳିପାଳରେ ଆରମ୍ଭ ହେଲା ବାଘ ଗଣନା ; ୨ଟି ପର୍ଯ୍ୟାୟରେ ହେବ ଗଣତି

ଖୁଣ୍ଟା,୧୫/୧୧ : ଜାତୀୟ ବ୍ୟାଘ୍ର ସଂରକ୍ଷଣ ପ୍ରାଧିକରଣ (ଏନଟିସିଏ) ପକ୍ଷରୁ ପ୍ରତି ୪ବର୍ଷ ଅନ୍ତରରେ ହେଉଥିବା ସର୍ବଭାରତୀୟ ବାଘ ଗଣନା ୨୦୨୬ମସିହାର ଶନିବାରଠାରୁ ଆରମ୍ଭ ହୋଇଛି । ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ପକ୍ଷରୁ ପ୍ରସ୍ତୁତ ରୋଡ଼ ମ୍ୟାପ ଜରିଆରେ ଦୁଇଟି ପର୍ଯ୍ୟାୟରେ ଗଣତି କାର୍ଯ୍ୟ ହେବ ବୋଲି ଜଣାପଡ଼ିଛି । ଏ ନେଇ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ କ୍ଷେତ୍ର ନିର୍ଦ୍ଦେଶକ ତଥା ଆଞ୍ଚଳିକ ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକ ଡ଼ଃ ପ୍ରକାଶ ଚାନ୍ଦ ଗୋଗିନେନି ସୂଚନା ପ୍ରଦାନ କରିଛନ୍ତି । ପ୍ରଥମ ପର୍ଯ୍ୟାୟ ଆରମ୍ଭ ହୋଇଥିବାବେଳେ ଏହାର ସମାପ୍ତ ପରେ ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହେବ ।

ପ୍ରଥମ ପର୍ଯ୍ୟାୟରେ ନଭେମ୍ବର ୨୨ତାରିଖ ପର୍ଯ୍ୟନ୍ତ ଗଣତି ପ୍ରକ୍ରିୟା ଚାଲିବ । ୩ଦିନ ପଦ ଚିହ୍ନ ସମେତ ଅନ୍ୟ ସାଙ୍କେତିକ ଚିହ୍ନ ଦେଖି ଗଣତି ହେବ । ୪ଦିନ ଲାଇନ ସର୍ଭେ ଏବଂ ଗୋଟିଏ ଦିନ ଅନ୍ୟ ଗଣତି ପ୍ରକ୍ରିୟା ହେବ। ଶନିବାର ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର ଦକ୍ଷିଣ ବନଖଣ୍ଡର ୧୦୩ବିଟରେ ଗଣତି ଆରମ୍ଭ ହୋଇଛି । ଏ ନେଇ ୧୦୩ଟିମ୍ ତାଲିମ ପ୍ରାପ୍ତ ବନ କର୍ମଚାରୀ ଗ୍ରୁପ ସାମିଲ ହୋଇଛନ୍ତି । ଦ୍ୱିତୀୟ ପର୍ଯ୍ୟାୟରେ କ୍ୟାମେରା ଟ୍ରାପ ଜରିଆରେ ଗଣତି ପ୍ରକ୍ରିୟା ଅନୁଷ୍ଠିତ ହେବ । ଶିମିଳିପାଳ ଅଭୟାରଣ୍ୟ ସାରା ପ୍ରତି ୨ବର୍ଗ କିଲୋମିଟର ବ୍ୟବଧାନରେ ୧୩୨୧ଟି ସ୍ଥାନରେ ଗଣତି ହେବ । ଏ ନେଇ ପ୍ରାୟ ୧୫୦୦ଟି ଟ୍ରାପ କ୍ୟାମେରା ଖଞ୍ଜା ଯାଇଛି । ଏହି ପ୍ରକ୍ରିୟା ଡିସେମ୍ବର ୧ତାରିଖରୁ ଆରମ୍ଭ ହେବ । ୱାଇଲ୍ଡ ଲାଇଫ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆର ବିଶେଷଜ୍ଞ ସଦସ୍ୟ ଓ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର ଅଧିକାରୀଙ୍କ ପ୍ରସ୍ତୁତି ବୈଠକ ଅନୁଯାୟୀ କାର୍ଯ୍ୟ ଆରମ୍ଭ ହୋଇଛି । 

୬ମାସ ଧରି ଚାଲିବାକୁ ଥିସବା ବାଘ ଗଣନା ନିମନ୍ତେ କାଗଜ କଲମ ପରିବର୍ତ୍ତେ ସ୍ୱତନ୍ତ୍ର ଆପ୍ଲିକେସନ ଓ ୱେବ ଲଗ୍ଇନର ବ୍ୟବହାର କରାଯିବ। ସ୍ବତନ୍ତ୍ର ସଫ୍ଟୱେର ବ୍ୟବହାର ମାଧ୍ୟମରେ ବାଘର ପ୍ରଜାତି, ବୟସ ଓ ଲିଙ୍ଗ ଆଦି ତଥ୍ୟ ଅପଲୋଡ କରାଯିବ। ଏଆଇ କ୍ୟାମେରା ବ୍ୟବହାର କରି ସ୍ଵତନ୍ତ୍ର ଆପ୍ଲିକେସନ ଓ ୱେବ ଲଗ୍ ଇନ ଦ୍ଵାରା ଏହା ସମ୍ପନ୍ନ ହେବ। ଏନେଇ ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ କର୍ତ୍ତୃପକ୍ଷ କେନ୍ଦ୍ରୀୟ ଚିଡିଆଖାନା ପ୍ରାଧ୍ୟାକରଣ (ସିଜେଡ୍) ରୁ ଅନୁମତି ପାଇବା ପରେ ଗଣନା ଆରମ୍ଭ କରିଛନ୍ତି।

ଶିମିଳିପାଳ ଉତ୍ତର, ଦକ୍ଷିଣ, ରାଇରଙ୍ଗପୁର, କରଞ୍ଜିଆ, ଆନନ୍ଦପୁର ଓ କୁଲଡିହା ଆଦି ୭ଟି ବନଖଣ୍ଡର ୧୬ଟି ରେଞ୍ଜରେ ଥିଉବା ବିଟ୍ ଅଞ୍ଚଳରେ ଏହି ଗଣନା ଆରମ୍ଭ ହେବ। ଏହି ଗଣନା ୨୦୨୬ ମାର୍ଚ୍ଚରେ ଶେଷ ହେବ। ସମସ୍ତ ତଥ୍ୟ ଏନଟିସିଏକୁ ପଠାଇବା ପରେ ୨୦୨୭ରେ ବାଘ ଗଣନା ରିପୋର୍ଟ ପ୍ରକାଶ ପାଇବ ବୋଲି ଆଞ୍ଚଳିକ ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକ ଡ.ପ୍ରକାଶ ଚାନ୍ଦ ଗୋଗିନେନୀ କହିଛନ୍ତି। ପ୍ରତିଦିନ ସକାଳ ୯ରୁ ଅପରାହ୍ନ ୪ଟା ଯାଏ ବାଘ ଗଣନା ହେବ। କ୍ୟାମେରା ଟ୍ରାଫି, ବାଘଙ୍କ ପାଦଚିହ୍ନ (ପଗ୍ ମାର୍କ) ସହ ମଳ ନମୁନା ସଂଗ୍ରହ କରାଯାଇ ଡିଏ ସାମ୍ପଲିଂ କରାଯିବାର କାର୍ଯ୍ୟକ୍ରମ ରହିଛି। ରାଜ୍ୟରେ ମହାବଳ ବାଘ ସଂଖ୍ୟା ଶିମିଳିପାଳ ଅଭୟାରଣ୍ୟରେ ସର୍ବାଧିନକ ରହିଛି। ଏହା ଦୁଇ ଗୁଣିତ ହେବ ବୋଲି କର୍ତ୍ତୃପକ୍ଷ ଆଶାବାଦୀ ହୋଇଛନ୍ତି।