ତ୍ରିଦିବସୀୟ ଭାଗବତ କଥା ମୃତ ପାନ କରି ବିହ୍ଵଳିତ ହେଲେ ଶ୍ରୋତା

ରାଉରକେଲା,୧୭/୯ : କୋଏଲ ନଗର ଏ ବ୍ଲକ୍ ସ୍ଥିତ ବାବା ଆଖଣ୍ଡଳମଣି ଓ ଶ୍ରୀ ଜଗନ୍ନାଥ ମନ୍ଦିର ଟ୍ରଷ୍ଟ ପକ୍ଷରୁ ଗତ ୧୪ ତାରିଖ ରୁ ୧୬ ତାରିଖ ପର୍ଯ୍ୟନ୍ତ ମନ୍ଦିର ପ୍ରାଙ୍ଗଣରେ ଡ଼ କୃଷ୍ଣକେଶବ ଷଡ଼ଙ୍ଗୀଙ୍କ ଦ୍ବାରା ପ୍ରତ୍ୟହ ସନ୍ଧ୍ୟା ୭ ଘଟିକା ରୁ ୯ଟା ପର୍ଯ୍ୟନ୍ତ ମୂଳ ସଂସ୍କୃତ ଭାଗବତ ମହାପୁରାଣ ଆଧାରିତ ତ୍ରିଦିବସୀୟ ଆଧ୍ୟାତ୍ମିକ ଭାଗବତ କଥାମୃତ ପରିବେଷଣ କରିଥିଲେ । ୧୪ତାରିଖ ଦିନ କାଳୀୟଦଳନ ଲୀଳା ସମ୍ପର୍କରେ ଆଲୋଚନା କରି ସେ କହିଲେ ଯେ କଥା ଓ କାହାଣୀ ମଧ୍ୟରେ ସୁକ୍ଷ୍ମ ପ୍ରଭେଦ ରହିଛି। ପ୍ରତ୍ୟେକ ପୈାରାଣିକ ହେଉଛି କଥା । ଭାଗବତରେ କାହାଣୀ ନଥାଏ, କଥା ଥାଏ ।
ଏହା ସହ କଥା ର ୩ ଟି ଉତ୍ତରଣ ଶ୍ରଦ୍ଧା,ରତି ଓ ଭକ୍ତି ସମ୍ପର୍କରେ ତଥା କାଳୀୟଦଳନ ବିଷୟରେ ଆଲୋଚନା କରିଥିଲେ।୧୫ ତାରିଖ ଦିନ ବଳିବାମନ ଲୀଳା ସମ୍ପର୍କରେ ଆଲୋଚନା କରି ଡା ଷଡ଼ଙ୍ଗୀ କହିଲେ ଯେ ସବୁ ସ୍ଥାନରେ ସତ୍ୟ ଧର୍ମ ନୁହେଁ। ମିଥ୍ୟା ସ୍ତ୍ରୀ ପାଖରେ, ଥଟ୍ଟା ପରିହାସ ରେ,ଘଟସୂତ୍ର, ବୃତ୍ତି ରେ,ପ୍ରାଣ ସଙ୍କଟ ସମୟରେ ଓ ଗାଇ ବ୍ରାହ୍ମଣ ଙ୍କ ସୁରକ୍ଷା ସମୟରେ କହିଲେ ଗ୍ରହଣୀୟ ହେବ।
ପୃଥିବୀ ୭ଟି ସ୍ତମ୍ଭ ଉପରେ ଠିଆ ହୋଇଛି। ସେଗୁଡିକ ହେଲା ଗୋମାତା, ବେଦ, ବ୍ରାହ୍ମଣ, ସତୀ ନାରୀ, ସତ୍ୟବାଦୀ, ନିର୍ଲୋଭ ଓ ଦାନବୀର। କଥା ଦେଇ କଥା ରଖିବା ଓ ଯିଏ ପ୍ରଭୁଙ୍କ ପାଖରେ ସମର୍ପିତ ହୁଏ,ତାକୁ ଭଗବାନ ରକ୍ଷା କରନ୍ତି ବୋଲି ସେ ବଳିବାମନ ଲୀଳା ସମ୍ପର୍କରେ ଆଲୋଚନା କରି କହିଥିଲେ । ୧୬ ତାରିଖ ଦିନ ଦାମୋଦର ଲୀଳା ସମ୍ପର୍କରେ ଆଲୋଚନା କରି କାର୍ତ୍ତିକ ମାସର ମାହାତ୍ମ୍ୟ, କୃଷ୍ଣ ଙ୍କ ଲୀଳା ମାଧ୍ୟମରେ ସମାଜକୁ ଶିକ୍ଷା, ଐଶ୍ୱର୍ଯ୍ୟ ଓ ବାତ୍ସଲ୍ୟ, ଯଶୋଦା ଓ କୃଷ୍ଣଙ୍କ ସମ୍ପର୍କରେ ଆଲୋଚନା କରିବା ସହ ଭଲକାମ କଲେ ଭଲଫଳ ଓ ମନ୍ଦକାମ ର ମନ୍ଦଫଳ ମିଳିଥାଏ ବୋଲି ଉଦାହରଣ ଦେଇ ବକ୍ତବ୍ୟ ରଖିଥିଲେ। ଉଦଯାପନୀ ସନ୍ଧ୍ୟାରେ ପାନପୋଷ ଉପଜିଲ୍ଲାପାଳ ବିଜୟ କୁମାର ନାୟକ ଅତିଥି ଭାବେ ଯୋଗଦେଇଥିଲେ।
ମନ୍ଦିର ଟ୍ରଷ୍ଟ ପକ୍ଷରୁ ଆଲୋକ ରଞ୍ଜନ ମଲ୍ଲିକ, ବ୍ରଜେନ୍ଦ୍ର ଦାଶ, ସମ୍ମାନିତ ଅତିଥି ଭାବେ ମହେନ୍ଦ୍ର କୁମାର ପଟ୍ଟନାୟକ ପ୍ରମୁଖ ବକ୍ତବ୍ୟ ରଖିବା ସହ ଡ଼ଃ ଷଡ଼ଙ୍ଗୀଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ବର୍ଷା ବିଧୌତ ସନ୍ଧ୍ୟାରେ ସହରର ବିଭିନ୍ନ ଅଞ୍ଚଳକୁ ଶ୍ରଦ୍ଧାଳୁ ମାନେ ଯୋଗଦେଇ ଭାଗବତ କଥାମୃତ କୁ ପାନକରି ନିଜକୁ ଧନ୍ୟ ମଣିଥିଲେ। କାର୍ଯ୍ୟକ୍ରମ ପରିଚାଳନା ରେ ଟ୍ରଷ୍ଟ ର ସମସ୍ତ କର୍ମକର୍ତ୍ତାମାନେ ସହଯୋଗ କରିଥିଲେ।