ଚଳଚ୍ଚିତ୍ର ‘କର୍ମ’ର ପ୍ରଚାର ପ୍ରସାର ପାଇଁ ବାଲେଶ୍ୱରରେ କର୍ମ ଟିମ୍

ଭୁବନେଶ୍ବର, ୨୪/୯ : ପ୍ରଥମେ ବିଭିନ୍ନ ଗଣେଶ ପୂଜା ମଣ୍ଡପରେ ଟିମ୍ ପକ୍ଷରୁ ଯାଇ ଚିରିଙ୍ଗ୍ ଚିରିଙ୍ଗ୍ ଗୀତରେ ରିଲସ୍ କରିଥିବା ବିଜେତାମାନଙ୍କୁ ପୁରସ୍କାର ପ୍ରଦାନ କରି ଫିଲ୍ମ ଦେଖିବାକୁ ଅନୁରୋଧ କରିଥିଲେ। ଏବେ ବିଭିନ୍ନ କଲେଜ ଯାଇ ଟିମ୍ ତରଫରୁ ଯୋରସୋର ପ୍ରଚାର ପ୍ରସାର ଚାଲିଛି। ଏହି ଅବସରରେ ବାଲେଶ୍ଵର ଠାରେ ସ୍ରିନିକ୍ସ କଲେଜ, ବାଲେଶ୍ଵର ଏଫ୍ ଏମ୍ ମେଡିକାଲ କଲେଜ ସହ ମୁଭିଏକ୍ସ ପ୍ରେକ୍ଷାଳୟ ପରିସରରେ ଟିମ୍ ପକ୍ଷରୁ ପ୍ରଚାର କରିଥିଲେ । ବାଲେଶ୍ଵର ଠାରେ ଅଭିନେତା ମନ୍ମୟ ଦେ,ସନୋଜ, ଅଭିନେତ୍ରୀ ସୂର୍ୟମୟୀ , ନିର୍ଦ୍ଦେଶକ ଅନୁପମ ପଟ୍ଟନାୟକ,ପ୍ରଯୋଜିକା ବର୍ଷା ପଟ୍ଟନାୟକ, କ୍ରିଏଟିଭ ହେଡ୍ ମାର୍କେଟିଙ୍ଗ ଓ ପିଆର୍ ପ୍ରଣୟ ଜେଠୀ ପ୍ରମୁଖ ଯୋଗଦେଇଥିଲେ।
ଏଥର ଦୁର୍ଗା ପୂଜାରେ ମୁକ୍ତିଲାଭ କରିବାକୁ ଯାଉଛି ଓଡ଼ିଆ ଚଳଚ୍ଚିତ୍ର କର୍ମ । ଏହି ଚଳଚ୍ଚିତ୍ରଟିରେ ଦର୍ଶକ ଭରପୁର ମନରଞ୍ଜନ ହେବା ସହ ଏଥିରେ ଦେଖିବାକୁ ପାଇବେ ଆକ୍ସନ, ଡ୍ରାମା, ଡାନ୍ସ ଓ ସ୍ୱାଗ୍ । ଏଥିରେ ଅନୁଭବ ମହାନ୍ତି , ସୂର୍ୟମୟୀ ମହାପାତ୍ର ଓ ଦିବ୍ୟାଦିଶା ମହାନ୍ତି ମୁଖ୍ୟ ନାୟକ ନାୟିକାରେ ନଜର ଆସିଥିବାବେଳେ ସନୋଜ କୁମାର , ମନ୍ମୟ ଦେ ସହ ଅନେକ ଅଭିନେତା ଅଭିନେତ୍ରୀ ଏହି ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି । ଏହି ଚଳଚ୍ଚିତ୍ରରେ ଦର୍ଶକ ଅନୁଭବ ମହାନ୍ତିଙ୍କୁ ଦେଖିବାକୁ ପାଇବେ ଏକ ଅନେଷ୍ଟ ଇନଭେଷ୍ଟିଗେଟିଭ୍ ପୋଲିସ ଭୂମିକାରେ।
ହ୍ୟୁମାନ ସାଗର, ଆଶିଷ ପ୍ରଧାନ, ମଣ୍ଟୁ ଛୁରିଆ, ଅନନ୍ୟା ଶ୍ରୀତମ ନନ୍ଦ, ଗୌରବ ଆନନ୍ଦ ଓ ମୋମିଆ ପ୍ରକାଶ କଣ୍ଠ ଦାନ କରିଥିବାବେଳେ ଗୀତ ଗୁଡ଼ିକୁ ଲେଖିଛନ୍ତି ଦୁର୍ଗା ମାଧବ ପଣ୍ଡା, ସୁମିତ୍ ପଣ୍ଡା, ମନୋଜ ପଣ୍ଡା ଏବଂ ନିର୍ଦ୍ଦେଶନା ଦେଇଛନ୍ତି ଅନୁପମ ପଟ୍ଟନାୟକ । ଚଳଚ୍ଚିତ୍ରର କ୍ରିଏଟିଭ ହେଡ୍ ମାର୍କେଟିଙ୍ଗ ଓ ପିଆର୍ ଅଛନ୍ତି ପ୍ରଣୟ ଜେଠୀ । ଏହି ଚଳଚ୍ଚିତ୍ରଟି ଭୁବନେଶ୍ୱର, କଟକରେ ସୁଟିଂ କରାଯାଇଛି। ଏହି ଚଳଚ୍ଚିତ୍ରଟି ଦୁର୍ଗା ପୂଜାରେ ଓଡ଼ିଶାର ପ୍ରାୟତଃ ସିନେମା ହଲରେ ଅକ୍ଟୋବର ୯ରେ ମୁକ୍ତିଲାଭ କରିବାକୁ ଥିବାବେଳେ ଦର୍ଶକଙ୍କ ମଧ୍ୟରେ ଏବେଠାରୁ ବେଶ୍ ଉତ୍ସାହ ଦେଖା ଦେଲାଣି ।
ରିଲିଜ୍ ପୂର୍ବରୁ ଚଳଚ୍ଚିତ୍ରର ଦୁଇଟି ଗୀତ ଚିରିଙ୍ଗ୍ ଚିରିଙ୍ଗ୍ ଓ ଧିତାଙ୍ଗ୍ ଧିତାଙ୍ଗ୍ ଦର୍ଶକମାନଙ୍କ ହୃଦୟ ଛୁଇଁ ସାରିଛି। ଅନୁପମ ପଟ୍ଟନାୟକଙ୍କ ଫିଲ୍ମ ପ୍ରତୀକ୍ଷା ଜାତୀୟ ପୁରସ୍କାର ପାଇଥିବାବେଳେ ତ୍ରୀକନ୍ୟା ମଧ୍ୟ ବେଶ୍ ଲୋକପ୍ରିୟ ହୋଇଥିଲା।