ଆଇନଜୀବୀ ପରିଷଦର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି, ଓକିଲାତି ପେଶାରୁ ନିଲମ୍ବିତ ହେଲେ ଅର୍ଚ୍ଚନା ନାଗ
କଟକ,୧୭/୯ : ପୁଣି ଚର୍ଚ୍ଚାରେ ଅର୍ଚ୍ଚନା ନାଗ। ଆଇନଜୀବୀ ପେଶାରୁ ନିଲମ୍ବିତ ହେଲେ ଅର୍ଚ୍ଚନା ନାଗ। ତାଙ୍କୁ ଆଇନଜୀବୀ ପେଶାରୁ ନିଲମ୍ବନ କରିଛି ରାଜ୍ୟ ଆଇନଜୀବୀ ପରିଷଦ ବା ଷ୍ଟେଟ ବାର କାଉନସିଲ। ତାଙ୍କ ବିରୁଦ୍ଧରେ ଥିବା ଫୌଜଦାରୀ ମାମଲା ସମ୍ପର୍କିତ ତଥ୍ୟକୁ ଗୋପନ ରଖି ସେ ଓକିଲାତି ଲାଇସେନ୍ସ ହାତେଇଥିଲେ। ଅର୍ଚ୍ଚନା ନାଗଙ୍କ ନାମରେ ବିଭିନ୍ନ ଦଫା ସମ୍ବଳିତ ଫୌଜଦାରୀ ମାମଲା ରୁଜୁ ହୋଇ ଏହା ବିଚାରାଧୀନ ସତ୍ତ୍ୱେ, ଓକିଲାତି ଲାଇସେନ୍ସ ପଞ୍ଜୀକରଣ ପାଇଁ ଦାଖଲ କରିବାକୁ ଥିବା ନିର୍ଦ୍ଧାରିତ ଧାରା ୧୪, ୧୫, ୧୬, ୧୭, ୨୦(ଖ) ରେ ସେ କୌଣସି ତଥ୍ୟ ଉଲ୍ଲେଖ କରିନଥିଲେ।
ଏପରିକି ସେ ଦୁଇଟି କମ୍ପାନୀର ନିର୍ଦ୍ଦେଶକ ଅଛନ୍ତି । ଏ ସମସ୍ତ ବିଷୟରେ ଆଇନଜୀବୀ ପାଇଁ ପଞ୍ଜିକରଣ ସମୟରେ ନିର୍ଦ୍ଧାରିତ ଫର୍ମ ବିଷୟରେ ସୂଚନା ନିମନ୍ତେ ପ୍ରାବଧାନ ଥିବା ସତ୍ତ୍ୱେ ତାକୁ ମଧ୍ୟ ଗୋପନ ରଖିଥିଲେ ଅର୍ଚ୍ଚନା ନାଗ। ଏହା ଭାରତୀୟ ଅଧିବକ୍ତା ନିୟମ ୧୯୬୧ର ବିରୁଦ୍ଧାଚରଣ କରୁଥିବା ପ୍ରମାଣିତ ହେଲା ପରେ ଅର୍ଚ୍ଚନାଙ୍କ ଓକିଲାତି ଲାଇସେନ୍ସକୁ ସସ୍ପେଣ୍ଡ କରିଛି ଷ୍ଟେଟ ବାର କାଉନସିଲ। ଏହି ସବୁ ବିଷୟ ଗୁରୁତର ସହିତ ଗ୍ରହଣ କରି ବାର କାଉନସିଲ ଗତ ୧୪ତାରିଖରେ ହୋଇଥିବା ସାଧାରଣ ବୈଠକରେ ସମ୍ପୃକ୍ତ ଅର୍ଚ୍ଚନା ନାଗଙ୍କୁ ଆଇନଜୀବୀ ପେଶାରୁ ନିଲମ୍ବନ କରାଯିବା ସହ ତାଙ୍କ ବିରୁଦ୍ଧରେ ବିହିତ ଶୃଙ୍ଖଳାଗତ କାର୍ୟ୍ୟାନୁଷ୍ଠାନ ଲାଗି ନିଷ୍ପତ୍ତି ନିଆଯାଇଛି ।

Editor 


