ଅନ୍ଧାର ଭିତରେ ବିଜେଡି କର୍ମୀ ! ବୟାନବାଜିରେ ବ୍ୟସ୍ତ ଶୀର୍ଷ ନେତା

ଅନ୍ଧାର ଭିତରେ ବିଜେଡି କର୍ମୀ ! ବୟାନବାଜିରେ ବ୍ୟସ୍ତ ଶୀର୍ଷ ନେତା

ଭୁବନେଶ୍ବର,୩୦/୮ : ବିଜେଡି କର୍ମୀ ଏବେ କାହାକୁ ଭରସା କରିବେ । କିଏ ତାଙ୍କର ସୁପ୍ରିମୋ । ଏ ନେଇ ରାଜଧାନୀର ଚା’ଖଟିରୁ ଗାଁର ଚା ଦୋକାନ ସବୁଆଡ଼େ ଚର୍ଚ୍ଚା। ବିଜେଡି ଏବେ କାହା ହାତରେ । ସବୁଦିନ ଖବରକାଗଜର ପୃଷ୍ଠାରୁ ଆରମ୍ଭ କରି ଟିଭି ଏବଂ ସୋସିଆଲ ମିଡ଼ିଆରେ ଚାଲିଛି ବରିଷ୍ଠ ନେତାଙ୍କ ବୟାନ ବାଜି । ପ୍ରତ୍ୟେକ ଦିନ କିଛି ନା କିଛି ନୂଆ ତଥ୍ୟ ନୂତନ ଗୁମର ଖୋଲୁଛି । ଅନ୍ଦର ମହଲର କଥା ଏବେ ପଦାକୁ ଆସୁଛି । ୨୦୨୪ନିର୍ବାଚନର ପରାଜୟ ପରେ କିଛି ବରିଷ୍ଠ ନେତା ଏବେ ବିଜେଡିରେ ଅଣନିଶ୍ବାସୀ ହୋଇ ନିଜର ମତ ପ୍ରକାଶ କରୁଥିବା ଦେଖାଯାଉଛି । ଯଦି ଲକ୍ଷ୍ୟ କରିବା ତେବେ ମନକୁ ପ୍ରଶ୍ନ ଆସିବ କି ବିଜେଡିରେ ସବୁ କିଛି ଠିକ୍ ଚାଲିଛି ତ ?

ଦଳର ଦୁଇ ଜଣ ବରିଷ୍ଠ ନେତା ତଥା ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଓ କେନ୍ଦୁଝର ଜିଲ୍ଲାର ବରିଷ୍ଠ ନେତା ପୂର୍ବତନ ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ର ନିଜର ମତ ପ୍ରକାଶ କରିଛନ୍ତି । ଯାହାକୁ ଲକ୍ଷ୍ୟ କଲେ ଗୋଟିଏ କଥା ମନକୁ ଆସିବ କି ବିଜେଡିରେ ଏବେ ସବୁ କିଛି ଠିକ୍ ଚାଲି ନାହିଁ। ଦଳର ବରିଷ୍ଠ ନେତାମାନେ ଜଣକ ପରେ ଜଣେ ଗଣମାଧ୍ୟମ ସାମ୍ନାକୁ ଆସି ଦଳୀୟ ସାଂଗଠନିକ ପରିଚାଳନାକୁ ନେଇ ମୁହଁ ଖୋଲିବା ସହ ଅଘୋଷିତ ସର୍ବେସର୍ବା ଭିକେ ପାଣ୍ଡିଆନଙ୍କୁ ଟାର୍ଗେଟ୍ କରିବାରେ ଲାଗିଛନ୍ତି । ବିଜେଡିରେ ସୁଜାତାଙ୍କ ସମ୍ଭାବ୍ୟ ପ୍ରବେଶକୁ ନେଇ ଦଳ ଏବେ ଦୁଇଫାଳ ହେବାରେ ଲାଗିଛି । ନବୀନଙ୍କ ଅସୁସ୍ଥତା ଓ ସାଂଗଠନିକ କାର୍ଯ୍ୟ ପ୍ରତି ବିମୁଖତା ମଧ୍ୟରେ ସୁଜାତାଙ୍କ ଏଣ୍ଟ୍ରି ବିଜେଡିରେ କେଉଁ ଢଙ୍ଗରେ ହେଉଛି ତାହା ଦଳର ଭବିଷ୍ୟତ ନିର୍ଦ୍ଧାରଣ କରିବ ବୋଲି କୁହାଯାଉଛି । ଆଗକୁ ଉପରାଷ୍ଟ୍ରପତି ନିର୍ବାଚନ ଥିବାବେଳେ ଦଳର ଆଭିମୁଖ୍ୟ ଉପରେ ମଧ୍ୟ ଦଳୀୟ ନେତାମାନେ ତୀକ୍ଷ୍ଣ ନଜର ରଖିଛନ୍ତି । 

ପ୍ରତ୍ୟେକ ଦିନ ବିଜେଡିର ଗୁମର ପଦାକୁ ଆସିବା ଏବେ ବିଜେଡି ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ବରିଷ୍ଠଙ୍କୁ ସାଇଡ୍ କରାଯାଉଥିବା ଚର୍ଚ୍ଚା ହେଉଛି । ଯାହାକୁ ଦେଇ ଦଳ ଭିତରେ କେଁ ଦେଖାଦେଇଛି । ସେହିଭଳି ଯୁବ ଏବଂ ଛାତ୍ର ସଭାପତି ଚୟନରେ ବି ଦେଖାଦେଇଛି କନ୍ଦଳ । ସବୁକିଛି ଲକ୍ଷ୍ୟ କଲେ ଅନ୍ଧାର ଭିତରେ ବିଜେଡି କର୍ମୀ ! ବୋଲି ମନକୁ ଆସୁଛି । ସମୟ କହିବ ବିଜେଡିର ସୁପ୍ରିମୋ କିଏ ? କାହାକୁ ଭରସା କରିବେ କର୍ମୀ ।