ଜାନୁଆରୀ ୨୧ରୁ ଆରମ୍ଭ ହେବ ‘ଅଜିତ’ର ତିନି ଦିନିଆ ଜାତୀୟ ନାଟ୍ୟ ମହୋତ୍ସବ
ଭୁବନେଶ୍ବର,୨୦/୧ : ଓଡ଼ିଶାର ଅନ୍ୟତମ ଅଗ୍ରଣୀ ନାଟ୍ୟ ଅନୁଷ୍ଠାନ ଏବଂ ବିଶିଷ୍ଟ ଅଭିନେତା ଅଜିତ ଦାସଙ୍କ ଦ୍ୱାରା ପ୍ରତିଷ୍ଠିତ ‘ଅଭିନୟ ଜାଗୃତି ଇନଷ୍ଟିଚ୍ୟୁଟ୍ ଅଫ୍ ଥିଏଟର’ (ଅଜିତ) ନିଜର ପ୍ରତିଷ୍ଠା ଦିବସ ଅବସରରେ ୧୪ତମ ଅଜିତ ଜାତୀୟ ନାଟ୍ୟ ମହୋତ୍ସବ ଆୟୋଜନ କରିବାକୁ ଯାଉଛି। ଭୁବନେଶ୍ୱରସ୍ଥିତ ଭଞ୍ଜକଳା ମଣ୍ଡପଠାରେ ଜାନୁଆରୀ ୨୧ରୁ ୨୩ ତାରିଖ ପର୍ଯ୍ୟନ୍ତ ଏହି ମହୋତ୍ସବ ଅନୁଷ୍ଠିତ ହେବ। ପ୍ରତିଦିନ ସନ୍ଧ୍ୟା ୬ଟା ୩୦ ମିନିଟରେ ନାଟକ ପ୍ରଦର୍ଶନ ଆରମ୍ଭ ହେବ।
ଏହି ତିନି ଦିନିଆ ମହୋତ୍ସବରେ ଆସାମ ଏବଂ ଓଡ଼ିଶାର ଉଚ୍ଚକୋଟୀର ନାଟକ ପ୍ରଦର୍ଶିତ ହେବ, ଯାହା ଭାରତୀୟ ରଙ୍ଗମଞ୍ଚର ସମୃଦ୍ଧତା ଓ ବିବିଧତାକୁ ପ୍ରତିଫଳିତ କରିବ। ଜାନୁଆରୀ ୨୧ ତାରିଖରେ ଗୁଆହାଟୀର ନାଟ୍ୟ ସଂସ୍ଥା ‘ପୂର୍ବରଙ୍ଗ’ ପକ୍ଷରୁ ବିଶିଷ୍ଟ ନାଟ୍ୟ ବ୍ୟକ୍ତିତ୍ୱଦେବ ଗୋସ୍ୱାମୀଙ୍କ ନିର୍ଦ୍ଦେଶିତ ଆସାମୀ ନାଟକ “ବାସବଦତ୍ତ” ମାଧ୍ୟମରେ ମହୋତ୍ସବ ଉଦ୍ଘାଟିତ ହେବ। ଏହି ଉଦ୍ଘାଟନୀ ସନ୍ଧ୍ୟାରେ ଅଭିନେତା ଅନ୍ତର୍ଯ୍ୟାମୀ ପଣ୍ଡାଙ୍କୁ ‘ଅଜିତ ନାଟ୍ୟ ସମ୍ମାନ’ ଏବଂ କେ.କେ.ଙ୍କୁ ‘ଅଜିତ ଯୁବ ନାଟ୍ୟ ସମ୍ମାନ’ ପ୍ରଦାନ କରାଯିବ। ମହୋତ୍ସବର ଦ୍ୱିତୀୟ ଦିନ ଅର୍ଥାତ୍ ଜାନୁଆରୀ ୨୨ରେ ପୁରୀର ନାଟ୍ୟ ଅନୁଷ୍ଠାନ ‘ରଙ୍ଗଶାଳା’ ପକ୍ଷରୁ ବିକ୍ରମ କୁମାର ସାହୁଙ୍କ ନିର୍ଦ୍ଦେଶନାରେ ଓଡ଼ିଆ ନାଟକ “ନିଷିଦ୍ଧ କକ୍ଷ” ମଞ୍ଚସ୍ଥ ହେବ। ଏହି ଦିନ ବିଶିଷ୍ଟ ନାଟ୍ୟ ବ୍ୟକ୍ତିତ୍ୱ ପିତାମ୍ବର ସେନାପତିଙ୍କୁ ‘ଅଜିତ ନାଟ୍ୟ ସମ୍ମାନ’ରେ ସମ୍ମାନିତ କରାଯିବ।
ଜାନୁଆରୀ ୨୩ ତାରିଖରେ ଅନୁଷ୍ଠାନର ନିଜସ୍ୱ ପ୍ରଯୋଜନା “ସମକାଳ” ସହିତ ଏହି ମହୋତ୍ସବ ଉଦ୍ଯାପିତ ହେବ, ଯାହାର ନିର୍ଦ୍ଦେଶନା ଦେଇଛନ୍ତି ଦୀପକ ରଞ୍ଜନ ପତି (ଅମନ)। ଉଦ୍ଯାପନୀ ସମାରୋହରେ ପ୍ରେମାଞ୍ଜନ ପରିଡ଼ାଙ୍କୁ ‘ଅଜିତ ନାଟ୍ୟ ସମ୍ମାନ’ ଏବଂ ପ୍ରଣୟ ଜେଠୀଙ୍କୁ ‘ଅଜିତ ମିଡିଆ ସମ୍ମାନ’ ପ୍ରଦାନ କରାଯିବ। ‘ଅଜିତ’ର ସମ୍ପାଦିକା ମାୟା ଦାସ ସୂଚନା ଦେଇଛନ୍ତି ଯେ ଏହି ମହୋତ୍ସବରେ ପ୍ରବେଶ ଅଦେୟ ବା ମାଗଣା। ନାଟ୍ୟପ୍ରେମୀମାନେ ବହୁ ସଂଖ୍ୟାରେ ଯୋଗଦେଇ ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ସେ ନିମନ୍ତ୍ରଣ କରିଛନ୍ତି।

Editor 


