ଓଡ଼ିଶାରେ ଜଳ ପରିଚାଳନାରେ ନୂତନ ଅଧ୍ୟାୟ : ଜଳ ଜୀବନ ମିଶନ ୨.୦ପାଇଁ MOU
ଭୁବନେଶ୍ୱର୨,୪/୩ : ଓଡିଶାରେ ଜଳ ଜୀବନ ମିଶନ ୨.୦ର କାର୍ଯ୍ୟକାରିତା ଉଦ୍ଦେଶ୍ୟରେ ଆଜି ନୂଆଦିଲ୍ଲୀଠାରେ କେନ୍ଦ୍ର ଜଳ ଶକ୍ତି ମନ୍ତ୍ରାଳୟ ଏବଂ ଓଡିଶା ସରକାରଙ୍କ ମଧ୍ୟରେ ଏକ MOU ସ୍ଵାକ୍ଷର ହୋଇଛି । ଆଭାସୀ ମାଧ୍ୟମରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଲୋକସେବା ଭବନଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ନୂଆଦିଲ୍ଲୀରେ କେନ୍ଦ୍ର ଜଳ ଶକ୍ତି ମନ୍ତ୍ରୀ ସି.ଆର୍ ପାଟିଲ ଏବଂ ରାଷ୍ଟ୍ର ମନ୍ତ୍ରୀ ବି. ସୋମନ୍ନା ଉପସ୍ଥିତ ଥିଲେ । ଏହି ଅବସରରେ ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ୱ ପାଇଁ ଜଳ ଜୀବନ ମିଶନ ଆରମ୍ଭ ହୋଇଥିବାରୁ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଧନ୍ୟବାଦ ଜଣାଇ କହିଥିଲେ ଯେ, ଦେଶର ୭୭.୩ପ୍ରତିଶତ ପରିବାରକୁ ଏପର୍ଯ୍ୟନ୍ତ ଟ୍ୟାପ୍ ସଂଯୋଗ ମିଳିଛି। କେନ୍ଦ୍ର କ୍ୟାବିନେଟ ଦ୍ୱାରା ଏହି ମିଶନର ସମ୍ପ୍ରସାରଣ ୨୦୨୮ପର୍ଯ୍ୟନ୍ତ ଅନୁମୋଦନ ମିଳିଥିବା ଓ ‘ହର ଘର ଜଳ’ ଲକ୍ଷ୍ୟ ପୂରଣ ପାଇଁ ଏହା ଏକ ମହତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ସେ କହିଥିଲେ।
ସେ କହିଥିଲେ ଯେ, ଜଳ ଜୀବନ ମିଶନ ୨.୦ଅନୁଯାୟୀ ରାଜ୍ୟ ସରକାର ଏକ ସ୍ପଷ୍ଟ ରୋଡମ୍ୟାପ୍ ପ୍ରସ୍ତୁତ କରିଛନ୍ତି। Operation & Maintenance Policy ମାଧ୍ୟମରେ ଜନସାଧାରଣଙ୍କ ଭାଗୀଦାରି, ଆର୍ଥିକ ସ୍ଥିରତା ଓ ସଠିକ୍ ରକ୍ଷଣାବେକ୍ଷଣ ଉପରେ ଜୋର ଦିଆଯାଉଛି । ସୁଜଳମ୍ ଭାରତ ପ୍ଲାଟଫର୍ମ ମାଧ୍ୟମରେ ପ୍ରାୟ ୫,୦୦୦ ଗ୍ରାମୀଣ ପାଇପ୍ ଜଳ ଯୋଜନାର IDପ୍ରସ୍ତୁତ କରାଯାଇଛି ଓ ସମସ୍ତ ଯୋଜନାର ବିତ୍ତୀୟ ସମନ୍ୱୟ ସମ୍ପନ୍ନ ହୋଇଛି । ଓଡିଶାରେ ପ୍ରତ୍ୟେକ ବ୍ୟକ୍ତି ପାଇଁ ଦିନକୁ ୭୦ ଲିଟର ପାନୀୟ ଜଳ ବ୍ୟବସ୍ଥା କରାଯାଇଥିବା ବେଳେ, ଏହି ମିଶନରେ ରାଜ୍ୟ ସରକାର ପ୍ରାୟ ୪୦ ପ୍ରତିଶତ ଅର୍ଥ ଖର୍ଚ୍ଚ କରୁଛନ୍ତି । ବସୁଧା ହେଲ୍ପଲାଇନ୍, ହ୍ୱାଟ୍ସଆପ୍ ସେବା ଓ ଡିଜିଟାଲ୍ ଗ୍ରୀଭାନ୍ସ ପ୍ଲାଟଫର୍ମ ମାଧ୍ୟମରେ ସିଟିଜେନ୍-ସେଣ୍ଟ୍ରିକ୍ ସେବାକୁ ଶକ୍ତିଶାଳୀ କରାଯାଇଛି । ଗ୍ରାମସ୍ତରରେ Village Water & Sanitation Committee (VWSC) ମାଧ୍ୟମରେ ଜନସାଧାରଣଙ୍କ ଭାଗୀଦାରି ବୃଦ୍ଧି ପାଇଛି ଓ ୩୦ଟି ଜିଲ୍ଲାରୁ ୨୫ଟି ଜିଲ୍ଲାରେ “ଜଳ ଅର୍ପଣ ଦିବସ” ସଫଳତାର ସହିତ ପାଳନ ହୋଇଛି । ବାକି ସବୁ ଜିଲ୍ଲାରେ ମଧ୍ୟ ଶୀଘ୍ର କରାଯିବ ।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଏହି ମିଶନ ମହିଳାମାନଙ୍କ ଜୀବନରେ ଏକ ବଡ଼ ପରିବର୍ତ୍ତନ ଆଣିଛି, କାରଣ ବର୍ତ୍ତମାନ ସମୟରେ ସେମାନଙ୍କୁ ପାଣି ପାଇଁ ଦୂରକୁ ଯିବାକୁ ପଡୁନାହିଁ। ଓଡିଶାରେ ଜଳ ଶକ୍ତି ଅଭିଯାନ ଏକ ଜନଆନ୍ଦୋଳନର ରୂପ ନେଇଛି। ଏହା ଅନ୍ତର୍ଗତ ୨.୨୧ ଲକ୍ଷ ଜଳ ସଂରକ୍ଷଣ ଓ ବର୍ଷାଜଳ ସଂଗ୍ରହ ଷ୍ଟ୍ରକ୍ଚର, ୪୩ ହଜାରରୁ ଅଧିକ ଜଳାଶୟ ପୁନରୁଦ୍ଧାର, ୪୨ ହଜାର ଭୂଗର୍ଭ ଜଳ ପୁନର୍ଭରଣ ଓ ୨ ଲକ୍ଷରୁ ଅଧିକ ୱାଟରଶେଡ୍ କାର୍ଯ୍ୟ ସମ୍ପନ୍ନ ହୋଇଛି। ସେହିପରି ୨ କୋଟିରୁ ଅଧିକ ଗଛ ରୋପଣ କରାଯାଇଛି। ଏହି ଅବସରରେ କେନ୍ଦ୍ର ଜଳ ଶକ୍ତି ମନ୍ତ୍ରୀ ଶ୍ରୀ ସି. ଆର ପାଟିଲ କହିଥିଲେ ଯେ ୨୦୨୪ମସିହାରୁ ଆରମ୍ଭ ହୋଇଥିବା ଏହି ଯୋଜନା ୨୦୨୬-୨୮ ପର୍ଯ୍ୟନ୍ତ ଜଳ ଜୀବନ ମିଶନ ୨.୦ମାଧ୍ୟମରେ ସମ୍ପ୍ରସାରିତ କରାଗଲା । ଏହି ମିଶନ ମହିଳାଙ୍କ ଜୀବନରେ ସୁଧାର ଆଣିବ । ଓଡ଼ିଶାରେ ଯେଉଁଠାରେ ପାଣିର ଅଭାବ ରହିଛି ସେଠାରେ ପାଣିର ଉପଲବ୍ଧତାକୁ ସୁନିଶ୍ଚିତ କରିବା ଏହି ମିଶନ ।
ଏହି କାର୍ଯ୍ୟକ୍ରମରେ ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ରବି ନାରାୟଣ ନାୟକ, ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, କେନ୍ଦ୍ର ପାନୀୟ ଜଳ ଓ ସ୍ୱଚ୍ଛତା ବିଭାଗ ସଚିବ ଅଶୋକ ମୀନା ,ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଦେଓରଞ୍ଜନ କୁମାର ସିଂହ, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶାଶ୍ୱତ ମିଶ୍ର, ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ସଞ୍ଜୀବ କୁମାର ମିଶ୍ର, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର କମିଶନର-ତଥା -ସଚିବ ଗିରିଶ ଏସ୍.ଏନ୍ ସହିତ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

Editor 


