ଆସନ୍ତା ୨ତାରିଖରୁ ଯୁକ୍ତ ଦୁଇ ଖାତା ଦେଖା

ଆସନ୍ତା ୨ତାରିଖରୁ ଯୁକ୍ତ ଦୁଇ ଖାତା ଦେଖା

ଭୁବନେଶ୍ବର,୨୫/୩ : ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍‌ଏସ୍‌ଇ) ପକ୍ଷରୁ ଆସନ୍ତା ୨ ତାରିଖରୁ ମୂଲ୍ୟାୟନ ପ୍ରକ୍ରିୟା ଆରମ୍ଭ ହେବ। କଳା, ବାଣିଜ୍ୟ, ବିଜ୍ଞାନ ଓ ଧନ୍ଦାମୂଳକ ଶିକ୍ଷା ପାଠ୍ୟକ୍ରମରେ ପ୍ରାୟ ୪ ଲକ୍ଷ ୧ ହଜାର ୬୨୫ ଛାତ୍ରଛାତ୍ରୀଙ୍କ ଖାତା ଦେଖାଯିବ। ଚଳିତ ବର୍ଷ ୩୦ ଜିଲ୍ଲାରେ ମୋଟ ୧୫୧ ମୂଲ୍ୟାୟନ କେନ୍ଦ୍ର ଖୋଲିବାକୁ ପରିଷଦ ନିଷ୍ପତ୍ତି ନେଇଥିବାବେଳେ ମୋଟ ୨୫ଲକ୍ଷ ଖାତା ଦେଖାଯିବ। ୨ଟି ପର୍ଯ୍ୟାୟରେ ଖାତା ଦେଖାଯିବ। ମେ’ ତୃତୀୟ କିମ୍ବା ଚତୁର୍ଥ ସପ୍ତାହ‌େ‌ର ପରୀକ୍ଷା ଫଳ ପ୍ରକାଶ ପାଇବ।

ଚଳିତ ମାସ ୨୩ରେ +୨ ବିଜ୍ଞାନ ପରୀକ୍ଷା ସରିଥିବାବେଳେ ୨୫ରେ ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷା ପାଠ୍ୟକ୍ରମର ପରୀକ୍ଷା ଶେଷ ହେବ। ଆସନ୍ତା ୨୮ରେ କଳା ପାଠ୍ୟକ୍ରମର ଶେଷ ବିଷୟ ଗୃହ ବିଜ୍ଞାନ ପରୀକ୍ଷା ରହିଛି। ଚଳିତ ବର୍ଷ ଉଭୟ ଇ-ମୂଲ୍ୟାୟନ ଏବଂ ପାରମ୍ପାରିକ ପଦ୍ଧତିରେ ଅଫ୍‌ ଲାଇନରେ ଖାତା ଦେଖାଯିବ। ବିଜ୍ଞାନ, ବାଣିଜ୍ୟ, ଧନ୍ଦାମୂଳକ ଶିକ୍ଷା ପାଠ୍ୟକ୍ରମର ଖାତାଦେଖା ଇ-ମୂଲ୍ୟାୟନ ହେବ। ୭୫ ଇ-ମୂଲ୍ୟାୟନ କେନ୍ଦ୍ର ହୋଇଥିବାବେଳେ ୭୬ଟି ଅଫଲାଇନ୍‌ ମୂଲ୍ୟାୟନ କେନ୍ଦ୍ର ପ୍ରତିଷ୍ଠା ହେବ। କଳା ପାଠ୍ୟକ୍ରମର ଇଂରାଜୀ ଇ-ମୂଲ୍ୟାୟନ ହେବାକୁ ଥିବାବେଳେ ଅନ୍ୟ ସମସ୍ତ ବିଷୟ ପାରମ୍ପରିକ ପଦ୍ଧତିରେ ଦେଖାଯିବ।

ଏପ୍ରିଲ ୨ରୁ ୧୩ ମଧ୍ୟରେ ପ୍ରଥମ ପର୍ଯ୍ୟାୟ ମୂଲ୍ୟାୟନ ହେବ। ପ୍ରଥମ ପର୍ଯ୍ୟାୟରେ ୮ ହଜାର ଅଧ୍ୟାପକ ଅଧ୍ୟାପିକା ଖାତା ଦେଖିବେ। ସେହିପରି ଏପ୍ରିଲ ୧୫ରୁ ୨୮ ମଧ୍ୟରେ ଦ୍ବିତୀୟ ପର୍ଯ୍ୟାୟ ମୂଲ୍ୟାୟନ ହେବ। ଦୁଇଟି ପର୍ଯ୍ୟାୟରେ ୧୬ ହଜାର ଅଧ୍ୟାପକ/ଅଧ୍ୟାପିକା ମୂଲ୍ୟାୟନ କାର୍ଯ୍ୟରେ ନିୟୋଜିତ ହେବେ। ଏପ୍ରିଲ ୨୮ ସୁଦ୍ଧା ମୂଲ୍ୟାୟନ କାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି।