୮୦୦ ଏକର ଜମିକୁ ନେଇ ତିଆରି ହେବ ନୂଆ ଭୁବନେଶ୍ବର

୮୦୦ ଏକର ଜମିକୁ ନେଇ ତିଆରି ହେବ ନୂଆ ଭୁବନେଶ୍ବର

ଭୁବନେଶ୍ବର,୧୧/୯ : ଦିନକୁ ଦିନ ରାଜଧାନୀରେ ବଢୁଛି ଜନସଂଖ୍ୟା। ଏହାକୁ ଦୃଷ୍ଟିରେ ରଖି ଅଧିକରୁ ଅଧିକ ସହରାଞ୍ଚଳ ବିକାଶ ଦିଗରେ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛନ୍ତି ରାଜ୍ୟ ସରକାର। ଗୋଠପାଟଣା, ମଳିପଡା ଓ ଦାଶପୁର ଅଞ୍ଚଳର ପ୍ରାୟ ୮୦୦ଏକର ଜମିକୁ ନେଇ କରାଯାଇଛି ନୂଆ ଭୁବନେଶ୍ବରର ପରିକଳ୍ପନା। ଉଚ୍ଚ ଅଟ୍ଟାଳିକା ସହ ରାସ୍ତା, ସ୍ୱେରେଜ, ଡ୍ରେନେଜ ଭଳି ଆନୁଷଙ୍ଗିକ ସୁବିଧା ରହିବ ଏହି ନୂଆ ଭୁବନେଶ୍ୱରରେ। ପୂରା ପ୍ରକଳ୍ପ ପାଇଁ ବିଡିଏ ଆଗାମୀ ୧୫ ବର୍ଷରେ ୮ ହଜାର ୧୭୯ କୋଟି ଟଙ୍କା ଖର୍ଚ୍ଚ କରିବାର ଯୋଜନା କରିଛି । ନୂଆ ଭୁବନେଶ୍ୱର ପାଇଁ ଡିପିଆର ପ୍ରସ୍ତୁତ କରିବ ସିଙ୍ଗାପୁର। ନୁଆ ଭୁବନେଶ୍ବର ସହ ପୁରୁଣା ଭୁବନେଶ୍ବରକୁ ସଜାଡିବା ପାଇଁ ଯୋଜନା କରାଯାଉଛି। 

ସେହିପରି ରାଜଧାନୀକୁ ଗୋରୁ ଗାଈ ମୁକ୍ତ କରାଯିବ। ଭୁବନେଶ୍ୱରରେ ନିର୍ମାଣ ହେବ ଆଦର୍ଶ ଗୋଶାଳା। ୪୦ କୋଟି ଟଙ୍କା ବ୍ୟୟରେ ଆଦର୍ଶ ଗୋଶାଳା ନିର୍ମାଣ କରିବେ ରାଜ୍ୟ ସରକାର। ଭୁବନେଶ୍ବରର ବୁଲା ଗାଈ ଗୋରୁଙ୍କୁ ସେଠାରେ ରଖାଯିବ। ଆଦର୍ଶ ଗୋଶାଳା ପାଇଁ ଜମି ଚିହ୍ନଟ ସରିଛି। ଗୋମାତାଙ୍କ ଗୋବର ଓ ମୂତ୍ରରୁ ବିଭିନ୍ନ ପ୍ରଡକ୍ଟ ବାହାରିବ। ସରକାର ଏ ନେଇ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଏହା ପୂର୍ବରୁ ରାଜ୍ୟର ବିଭିନ୍ନ ସ୍ଥାନରେ ଗୋଶାଳା ନିର୍ମାଣ ଆରମ୍ଭ ହୋଇଥିବା କହିଛନ୍ତି ମନ୍ତ୍ରୀ। କେବଳ ସେତିକି ନୁହେଁ, ବର୍ଷାଜଳ ନିଷ୍କାସନ ଏକ ସମସ୍ୟା ହୋଇଥିବାରୁ, ଏହାର ସମାଧାନ ପାଇଁ ମଧ୍ୟ ଯୋଜନା କରାଯାଇଥିବା କହିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ।