Exclusive : +୨ ଖାତା ଦେଖା ଟେଣ୍ଡରରେ ମହାଘୋଟାଲା ଅଭିଯୋଗ ; ୪ ଲକ୍ଷ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନ୍ଧାରରେ !
ଭୁବନେଶ୍ବର,୨୨/୧ : ଗଣ ଶିକ୍ଷା ବିଭାଗ ଅଧୀନରେ ଥିବା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦରେ ଏକ ବଡ଼ଧରଣର ଟେଣ୍ଡର ଅନିୟମିତତା ହୋଇଥିବା ନେଇ ସାଂଘାତିକ ଅଭିଯୋଗ ସାମ୍ନାକୁ ଆସିଛି । +୨ ଅନଲାଇନ୍ ଖାତା ଦେଖା ପାଇଁ କରାଯାଇଥିବା ଟେଣ୍ଡର ପକ୍ରିୟାରେ ସ୍ବଚ୍ଛତାକୁ ଜଳାଞ୍ଜଳି ଦିଆଯାଇ ମୋଟା ଅଙ୍କର ଅର୍ଥ କାରବାର ହୋଇଥିବା ଚର୍ଚ୍ଚା ଏବେ ଜୋର ଧରିଛି । ବିଶେଷ କରି ଚଚ୍ଚିତ ବର୍ଷ କଳା ବିଭାଗର ଖାତା ଅନଲାଇନରେ ଦେଖିବାକୁ ସରକାର ନିଷ୍ପତ୍ତି ନେଇଥିବାବେଳେ, ଏହାର ସୁଯୋଗ ନେଇ କିଛି ଉଚ୍ଚ ପଦସ୍ଥ ଅଧିକାରୀ ବାହାର ରାଜ୍ୟର ସଂସ୍ଥାକୁ ଟେଣ୍ଡର ଟେକି ଦେଇଥିବା ଅଭିଯୋଗ ହେଉଛି ।
ଗୋପନୀୟତାର ସହ ଟେଣ୍ଡର ଫିକ୍ସିଂ ?
ଅଭିଯୋଗ ଅନୁଯାୟୀ, ପ୍ରତି ବର୍ଷ ବିଜ୍ଞାନ ଓ ବାଣିଜ୍ୟ ବିଭାଗର ଖାତା ଦେଖା ଅନଲାଇନରେ ହୋଇଥାଏ । କିନ୍ତୁ ଚଳିତ ବର୍ଷ କଳା ବିଭାଗକୁ ଏଥିରେ ସାମିଲ କରାଯିବା ପରେ ଏକ ବଡ଼ ଧରଣର ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହୋଇଥିବା ସୂଚନା ରହିଛି । ପରିଷଦର ତିନି ଜଣ ପ୍ରଭାବଶାଳୀ ଅଧିକାରୀ-ଅଧ୍ୟକ୍ଷ, ସମ୍ପାଦକ ଓ ପରୀକ୍ଷା ନିୟନ୍ତ୍ରକ ଏହି ଟେଣ୍ଡରକୁ ସାର୍ବଜନୀନ ନ କରି ହାଇଦ୍ରାବାଦର ଦୁଇଟି ନିର୍ଦ୍ଦିଷ୍ଟ ସଂସ୍ଥା (Syndicate) ସହ ଗୁପ୍ତ ବୁଝାମଣା କରିଥିବା କୁହାଯାଉଛି । ଏହି ପ୍ରକ୍ରିୟାରେ କୋଟି କୋଟି ଟଙ୍କାର ଆର୍ଥିକ କାରବାର ହୋଇଥିବା ସନ୍ଦେହ କରି ପରିଷଦର କିଛି କର୍ମଚାରୀ ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି ।
ବଦଳି ନିର୍ଦ୍ଦେଶକୁ ବେଖାତିର
ଆଶ୍ଚର୍ଯ୍ୟର ବିଷୟ ହେଉଛି, କିଛି ଦିନ ପୂର୍ବରୁ ସରକାର ପରୀକ୍ଷା ନିୟନ୍ତ୍ରକଙ୍କ ବଦଳ ନିର୍ଦ୍ଦେଶ ଜାରି କରିଥିଲେ । ମାତ୍ର ସରକାରୀ ନିର୍ଦ୍ଦେଶକୁ ବେଖାତିର କରି ସେ ନିଜ ପଦବୀରେ କାର୍ଯ୍ୟ ଜାରି ରଖିବା ଏବଂ ଏଭଳି ଗୁରୁତ୍ଵପୂର୍ଣ୍ଣ ଟେଣ୍ଡର ପ୍ରକ୍ରିୟାରେ ସାମିଲ ହେବା ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି । ନିଜ ଆସନକୁ ସୁରକ୍ଷିତ ରଖି ଦୁର୍ନୀତିର ଏହି ଜାଲ ବିଛାଯାଇଥିବା ନେଇ ପରିଷଦ ମଧ୍ୟରେ ଚର୍ଚ୍ଚା ହେଉଛି ।
ଖଣ୍ଡାଧାରରେ ୪ ଲକ୍ଷ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ
ଭେଣ୍ଡର ଚୟନରେ ସ୍ବଚ୍ଛତା ନ ଥିବାରୁ ଏହାର ପ୍ରଭାବ ସିଧାସଳଖ ପରୀକ୍ଷା ଫଳାଫଳ ଏବଂ ୪ ଲକ୍ଷ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଉପରେ ପଡ଼ିବାର ଆଶଙ୍କା ରହିଛି । ଜଣେ ଅସନ୍ତୁଷ୍ଟ କର୍ମଚାରୀ ନାମ ଗୋପନ ରଖି କହିଛନ୍ତି ଯେ, “ଦୀର୍ଘ ୧୦ ବର୍ଷ ଧରି ଚାଲି ଆସୁଥିବା ସ୍ବଚ୍ଛ ପକ୍ରିୟାକୁ ଚଳିତ ବର୍ଷ କଳୁଷିତ କରାଯାଇଛି । ବାହାର ରାଜ୍ୟ ସଂସ୍ଥାକୁ ଅନୁକମ୍ପା ଦେଖାଇବା ପାଇଁ ସବୁ ନିୟମକୁ କୋହଳ କରାଯାଉଛି । ”
ସଚିବ ଓ ମନ୍ତ୍ରୀ କ’ଣ ଜାଣିନାହାନ୍ତି ?
ପରିଷବ ଅଧ୍ୟକ୍ଷଙ୍କ ଏଭଳି ଏକ ତରଫା ନିଷ୍ପତ୍ତି ପରେ ବିଭାଗୀୟ ସଚିବ ଓ ମନ୍ତ୍ରୀଙ୍କ ଭୂମିକା ଏବେ ସନ୍ଦେହ ଘେରରେ ରହିଛି । ସେମାନଙ୍କ ଅଜାଣତରେ ଏତେ ବଡ଼ ଦୁର୍ନୀତି ଚାଲିଛି ନା ସେମାନଙ୍କୁ ଅନ୍ଧାରରେ ରଖାଯାଇଛି, ତାହା ଏବେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ସରକାରଙ୍କ ଭାବ ମୂର୍ତ୍ତିକୁ କ୍ଷୁଣ୍ଣ କରିବାକୁ ଏହା ଏକ ପ୍ରୟାସ ନା ଏଥିରେ ସରକାରୀ ପ୍ରୋତ୍ସାହନ ରହିଛି, ତାହାର ଉଚ୍ଚସ୍ତରୀୟ ଚଦନ୍ତ ପାଇଁ ସାଧାରଣରେ ଦାବି ହେଉଛି ।

Editor 


