୩୮ତମ ଜାତୀୟ ଖେଳ ପ୍ରତିଯୋଗିତାରେ ଓଡିଶାକୁ ପ୍ରତିନିଧିତ୍ୱ କରିବେ ୬ ଟାଇକୋଣ୍ଡ ଖେଳାଳି ; ଆମର ଲକ୍ଷ୍ୟ ଗୋଲ୍ଡ ମେଡାଲ ହାତେଇବା – କୃଷ୍ଣଚନ୍ଦ୍ର ଦାସ

ଭୁବନେଶ୍ୱର, ୨/୨ : ଉତ୍ତରାଖଣ୍ଡର ହଲଦ୍ବାନୀରେ ଅନୁଷ୍ଠିତ ହେବାକୁ ଥିବା ୩୮ତମ ଜାତୀୟ ଖେଳ ପ୍ରତିଯୋଗିତାରେ ଭାଗ ନେବା ପାଇଁ ଓଡ଼ିଶାରୁ ବିଭିନ୍ନ ବର୍ଗରେ ୬ ଜଣ ଟାଇକୋଣ୍ଡ ଖେଳାଳିକୁ ଚୟନ କରାଯାଇଛି । ୪୯, ୬୨, ୬୭ କେଜିରୁ କମ୍ ବର୍ଗରେ ୩ଜଣ ମହିଳା ଏହି ପ୍ରତିଯୋଗିତାରେ ସାମିଲ ହେବେ। ସେହିପରି ୭୩କେଜିରୁ ଉର୍ଦ୍ଧ୍ୱ ବର୍ଗରେ ୧ ଜଣ ମହିଳା ନିଜର ଦକ୍ଷତା ଦେଖାଇବେ । ଏକକ ପୁମ୍ସିରେ ୩୦ କେଜିରୁ କମ୍ ବର୍ଗରେ ଜଣେ ଖେଳାଳି ସାମିଲ ହୋଇଛନ୍ତି । ଜାତୀୟ ସ୍ତରରେ ଓଡ଼ିଶାରୁ ୬ ଜଣ ଖେଳାଳିଙ୍କ ମଧ୍ୟରୁ ୫ଜଣ ମହିଳା ପ୍ରତିନିଧିତ୍ୱ କରୁଛନ୍ତି, ଯାହା ସମଗ୍ର ଓଡ଼ିଶା ପାଇଁ ଏକ ଗର୍ବର ବିଷୟ।
ଓଡିଶା ଟାଇକୋଣ୍ଡ ଆସୋସିଏସନ ତରଫରୁ ଏକ ସାମ୍ୱାଦିକ ସମ୍ମିଳନୀରେ ଏହି ସୂଚନା ଦିଆଯାଇଛି। ଟାଇକୋଣ୍ଡ ଖେଳକୁ ଆଗକୁ ନେବା ପାଇଁ ରାଜ୍ୟର ସମସ୍ତ ଜିଲ୍ଲାରେ ଅନେକ ପ୍ରୟାସ କରାଯାଉଛି । ଟାଇକୋଣ୍ଡ ଖେଳରେ ଖେଳାଳିମାନଙ୍କ କଠିନ ପରିଶ୍ରମ ହିଁ ଓଡ଼ିଶାକୁ ଏକ ନୂଆ ପରିଚୟ ଦେଇଛି। ଗତ ୨ ବର୍ଷ ହେଲା ଓଡ଼ିଆ ଖେଳାଳି ଜାତୀୟସ୍ତରରେ ଭାଗ ନେଇ ଉଚ୍ଚ କୋଟୀର ପ୍ରଦର୍ଶନ କରୁଛନ୍ତି ବୋଲି ଓଡିଶା ଟାଇକୋଣ୍ଡ ଆସୋସିଏସନର ସଭାପତି କୃଷ୍ଣଚନ୍ଦ୍ର ଦାସ କହିଛନ୍ତି । ଆଗାମୀ ଦିନରେ ରାଜ୍ୟ ପାଇଁ ଗୋଲ୍ଡ ମେଡାଲ ଆଣିବା ପ୍ରମୁଖ ଲକ୍ଷ୍ୟ ବୋଲି ଶ୍ରୀ ଦାସ କହିଛନ୍ତି । ସେହିପରି ଖେଳାଳିଙ୍କ ପ୍ରସ୍ତୁତିକୁ ନେଇ ବେଶ ଉତ୍ସାହିତ ଅଛନ୍ତି ଟାଇକୋଣ୍ଡ କୋଚ ଶେଖ ଅବଦୁଲ ରଫିକ୍।
ଏହି ସାମ୍ୱାଦିକ ସମ୍ମିଳନୀରେ ଉପସଭାପତି ସଞ୍ଜୟ ଜଗଦେବ, ଯୁଗ୍ମ ସମ୍ପାଦକ ଜୟକୃଷ୍ଣ ପରିଡ଼ା, ପ୍ରତିଯୋଗିତା ପରିଚାଳକ ସନ୍ତୋଷ ମହାନ୍ତି, ପୁମ୍ସିର ଟିମ୍ କୋଚ ଜେ.କେ ପରିଡା ପ୍ରମୁଖ ଉପସ୍ଥିତ ଥିଲେ ।