ହତ୍ଯା ଘଟଣାକୁ ଡକାୟତିର ରୂପ ଦେଇ ସ୍ବାମୀ ଓ ନଣଦେଇ ଗିରଫ

ରାଉରକେଲା,୧୫/୧୨ : ଗତ ୧୨ତାରିଖରେ ଟିକାୟତ ପାଲି ଥାନା ଅନ୍ତର୍ଗତ ଝିର୍ଡାପାଲି ଗ୍ରାମରେ ଘଟିଥିବା ହତ୍ଯା ଘଟଣାର ପର୍ଦ୍ଦାଫାସ କରିଛି ରାଉରକେଲା ପୋଲିସ୍। ହତ୍ୟା ଘଟଣାକୁ ଡକାୟତିର ରୂପ ଦେଇ ମୃତା ୭ ମାସର ଗର୍ଭବତୀ ସ୍ତ୍ରୀର ସ୍ବାମୀ ଓ ନଣଦେଇ (ସ୍ବାମୀର ଭିଣୋଇ) ଗିରଫ। ଶୁକ୍ରବାର ସନ୍ଧ୍ୟାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ହତ୍ୟା ଘଟଣା ସମ୍ପର୍କରେ ସୂଚନା ଦେଇଛନ୍ତି ପଶ୍ଚିମାଞ୍ଚଳ ଆରକ୍ଷୀ ଉପ-ନିରୀକ୍ଷକ (ପଶ୍ଚିମାଞ୍ଚଳ ପୋଲିସ୍ ଡିଆଇଜି) ବ୍ରିଜେଶ କୁମାର ରାୟ ଓ ରାଉରକେଲା ଆରକ୍ଷୀ ଅଧୀକ୍ଷକ ନିତେଶ ଓ୍ବାଧଓ୍ବାନୀ।
ଘଟଣାରୁ ପ୍ରକାଶ ଯେ, ଡିସେମ୍ବର ୧୨ ତାରିଖ ଦିନ ଟିକାୟତପାଲ୍ଲି ଥାନା ଅଧିକାରୀ, ହତ୍ଯା ଘଟଣାର ଆସାମୀ ଦେବେନ୍ କୁମାର ବେହେରାଙ୍କ ଠାରୁ ଖବର ପାଇଲେ ଯେ, କେତେକ ଡକାୟତ ତାଙ୍କ ସ୍ତ୍ରୀଙ୍କୁ ଗୁଳିମାରି ତାଙ୍କ ବେକରୁ ସୁନା ଚେନ୍ ଲୁଟ୍ କରିନେଇଛନ୍ତି। ଟିକାୟତପାଲ୍ଲି ଥାନା ଅଧିକାରୀ ଏବଂ କେତେକ ପୋଲିସ୍ ଅଧିକାରୀଙ୍କ ସହିତ ଘଟଣା ସ୍ଥଳରେ ପହଞ୍ଚି ଖୋଜାଖୋଜି କରିବା ପରେ କୌଣସି ଆସାମୀଙ୍କୁ ସେଠାରେ ପାଇନଥିଲେ। ପରେ ମୃତା ଗର୍ଭବତୀ ମହିଳା (ଶ୍ଯାମାମୟୀ)ଙ୍କ ପିତା ପିତାମ୍ବର ଲିଖିତ ଅଭିଯୋଗ କ୍ରମେ ପୋଲିସ୍ ପକ୍ଷରୁ ଘଟଣାର ତଦନ୍ତ ଆରମ୍ଭ କରାଯାଇଥିଲା। ଘଟଣାରୁ ଜଣାପଡିଥିଲା ଯେ, ଅନୁଗୁଳ ଜିଲ୍ଲାର ଛେଣ୍ଡିପଦାର ମୃତା ଶ୍ଯାମାମୟୀ ବେହେରା (୩୩ ବର୍ଷ) ୨୦୨୪ ଫେବୃୟାରୀ ୭ ତାରିଖରେ ଝିର୍ଡାପାଲିର ଅଭିଯୁକ୍ତ ଦେବେନ୍ କୁମାର ବେହେରାଙ୍କୁ ବିବାହ କରିଥିଲେ ଏବଂ ସେହିଦିନ ଠାରୁ ମାତ୍ର ୧୦ ଦିନ ବ୍ଯତୀତ ୧୧ ମାସ ପର୍ଯ୍ୟନ୍ତ ଶ୍ଯାମାମୟୀଙ୍କୁ ତାଙ୍କ ବାପଘରକୁ ଛଡାଯାଇ ନଥିଲା।
ଏହି ଅଭିଯୋଗ ପରେ ପଶ୍ଚିମାଞ୍ଚଳ ଡ଼ିଆଇଜି ବ୍ରିଜେଶ କୁମାର ରାୟ ଏବଂ ରାଉରକେଲା ଆରକ୍ଷୀ ଅଧୀକ୍ଷକ ନିତେଶ ଓ୍ବାଧଓ୍ବାନୀ ଅବିଳମ୍ବେ ଘଟଣା ସ୍ଥଳ ପରିଦର୍ଶନ କରିଥିଲେ। ରାଉରକେଲା ପୋଲିସ୍ ଜିଲ୍ଲାର ଦୁଇ ଅତିରିକ୍ତ ଆରକ୍ଷୀ ଅଧିକ୍ଷକଙ୍କ ଏବଂ ପାନପୋଷ ଡିଏସପି ଉପାସନା ପାଢୀଙ୍କ ନେତୃତ୍ବରେ ଏକ ସ୍ବତନ୍ତ୍ର ତଦନ୍ତକାରୀ ଟିମ୍ ଗଠନ କରାଯାଇ ତଦନ୍ତ ଆରମ୍ଭ କରାଯାଇଥିଲା।
ପାରିପାର୍ଶ୍ବିକ ପରିସ୍ଥିତି, ମୃତା ଶ୍ଯାମାମୟୀଙ୍କ ପରିବାର ଏବଂ ପଡୋଶୀଙ୍କ ବୟାନ୍ ତଥା ଫରେନସିକ୍ ପ୍ରମାଣ ଅନୁସାରେ ପୋଲିସର ସ୍ବତନ୍ତ୍ର ତଦନ୍ତକାରୀ ଟିମ୍, ଏହା ଏକ ପୂର୍ବ ପ୍ରସ୍ତୁତ ଯୋଜନାବଦ୍ଧ ହତ୍ଯା ଘଟଣା ବୋଲି ଉପନୀତ ହୋଇଥିଲେ। ଏହି ହତ୍ଯା ଘଟଣା ପଛରେ ପୂର୍ବ ପ୍ରେମ ସମ୍ପର୍କକୁ ନେଇ ହୋଇଥିବା ସ୍ପଷ୍ଟ ହୋଇଛି। ପୂର୍ବରୁ ଆସାମୀ ଦେବେନ୍ କୁମାର ବେହେରାଙ୍କ ଅନ୍ୟ ଜଣେ ଯୁବତୀଙ୍କ ସହ ପ୍ରେମ ସମ୍ପର୍କକୁ ବିରୋଧ କରୁଥିଲେ ମୃତା ଗର୍ଭବତୀ ସ୍ତ୍ରୀ ଶ୍ଯାମାମୟୀ। ତେଣୁ ପୂର୍ବ ଯୋଜନା ଅନୁଯାୟୀ ଅଭିଯୁକ୍ତ ଦେବେନ୍ କୁମାର ବେହେରା ଓ ତାଙ୍କ ଭିଣୋଇ ପୋଲିସ୍ ଏଏସଆଇ ସତ୍ଯ ନାରାୟଣ ବେହେରା ଏହି ହତ୍ୟାକାଣ୍ଡ ଭିଆଇଛନ୍ତି ବୋଲି ପୋଲିସ ଏହି ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛି।
ଦୁଇ ଅଭିଯୁକ୍ତଙ୍କୁ ଗିରଫ କରାଯିବା ସହିତ ସେମାନଙ୍କ ବିରୋଧରେ ଟିକାୟତପାଲ୍ଲି ଥାନା କେସ୍ ନମ୍ବର ୮୭ ରୁଜୁ କରାଯିବା ସହ ବିଏନ୍ଏସର ୮୫/୮୦/୬୧(୨)/୧୦୩(୧)/୩(୫)ଏବଂ ଆର୍ମ ଆକ୍ଟର ଧାରା ୨୫/୨୭ ରୁଜୁ କରାଯାଇ ଅଧିକ ତଦନ୍ତ ଜାରିରହିଛି ବୋଲି ଏହି ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରାଯାଇଛି। ଏଥିସହିତ ଗୋଟିଏ ସ୍କର୍ପିଓ (ଓଡି ୧୪ଏସି ୩୫୩୧), ଘଟଣାରେ ବ୍ଯବହୃତ ଦେଶୀ ପିସ୍ତଲ ସହ ୩ ରାଉଣ୍ଡ ଜୀବନ ଗୁଳି ଏବଂ ଗୋଟିଏ ଖୋକା ଜବତ୍ କରାଯାଇଛି ବୋଲି ରାଉରକେଲା ପୋଲିସ୍ ପକ୍ଷରୁ ପ୍ରକାଶ।