ରାଉରକେଲାରେ ଇଏସ୍ଆଇ ମେଡିକାଲ୍ କଲେଜ ସ୍ଥାପନା ଦାବି

ରାଉରକେଲାରେ ଇଏସ୍ଆଇ ମେଡିକାଲ୍ କଲେଜ ସ୍ଥାପନା ଦାବି

ରାଉରକେଲା,୮/୧୧ : ହିନ୍ଦ୍ ମଜଦୁର ସଭା ପକ୍ଷରୁ ରାଉରକେଲାରେ ଇଏସ୍ଆଇ ମେଡିକାଲ୍ କଲେଜ ସ୍ଥାପନା ନେଇ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଇଏସ୍ଆଇସି ୮୩ତମ, ୮୪ତମ ଓ ୮୫ତମ ଆଞ୍ଚଳିକ କମିଟି ବୈଠକରେ ଏହା ସର୍ବସମ୍ମତି କ୍ରମେ ନିଷ୍ପତ୍ତି ଗ୍ରହଣ କରାଯାଇ ଇଏସ୍ଆଇସି କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟି ଅନୁମୋଦନ ପାଇଁ ଥିଲା । କିନ୍ତୁ କେନ୍ଦ୍ର ସରକାରଙ୍କ ଭୁଲ୍ ନିଷ୍ପତ୍ତି ଓ ଓଡିଶା ପ୍ରତି ବୈମାତୃକ ମନୋଭାବ ପୋଷଣ ଯୋଗୁଁ ଏହା ମଞ୍ଜୁର ହୋଇପାରିନଥିଲା ବୋଲି ହିନ୍ଦ୍ ମଜଦୁର ସଭା ପକ୍ଷରୁ ଅଭିଯୋଗ କରାଯାଇଛି । ସମଗ୍ର ଦେଶରେ ୨୦୦୩ ମସିହାରେ ଇଏସ୍ଆଇସି ମଡେଲ ହସ୍ପିଟାଲ ପ୍ରତିଷ୍ଠା ବେଳେ, ରାଉରକେଲା ଠାରେ ଏହାର ଯଥାର୍ଥତା ଥିବାରୁ ଇଏସ୍ଆଇସି ପକ୍ଷରୁ ରାଜ୍ୟ ସରକାର ଏହାକୁ ଅନୁମୋଦନ ପାଇଁ ପଠାଇଥିଲେ ।

ଅନ୍ଯ ରାଜ୍ଯମାନଙ୍କରେ ଇଏସ୍ଆଇସି ମେଡିକାଲ କଲେଜ ସ୍ଥାପନା ସହିତ ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ଇଏସ୍ଆଇସିର ଉଲ୍ଲେଖନୀୟ ଅଭିବୃଦ୍ଧି ସହିତ ଅଣବୀମାଭୁକ୍ତ ବ୍ଯକ୍ତି ଓ ସାଧାରଣ ଲୋକଙ୍କ ସେବାରେ ଉତ୍ସର୍ଗ ୩ଟି ଇଏସ୍ଆଇସି ମେଡିକାଲ କଲେଜ ଯାହାକି ରାଜସ୍ଥାନର ଅଲଓ୍ବାର, ବିହାରର ପାଟନା ସ୍ଥିତ ଭିଟା ଏବଂ କର୍ଣ୍ଣାଟକର ଗୁଲବର୍ଗ ଠାରେ ଅବସ୍ଥିତ ହୋଇଛି। କିନ୍ତୁ ରାଉରକେଲା ଇସ୍ପାତ କାରଖାନାରେ ଓଡିଶାର ସର୍ବାଧିକ ବୀମାଭୁକ୍ତ କର୍ମଚାରୀ ବା ଆଇପି ଥାଇ ବି ମଧ୍ୟ ବାରମ୍ବାର ଦୁର୍ଘଟଣା ଘଟୁଥିବା ବେଳେ ସେମାନଙ୍କ ଜୀବନକୁ ରକ୍ଷା କରିବା ପାଇଁ ଏକ ଉଚ୍ଚ କ୍ଷମତା ସମ୍ପନ୍ନ ସୁପର ସ୍ପେସିଆଲିଟି ହସ୍ପିଟାଲ ନଥିବାରୁ ସେମାନଙ୍କ ସହିତ ଅନ୍ଯାନ୍ଯ ଦୁର୍ଘଟଣାରେ ମଧ୍ୟ ସିରିଅସ୍ ରୋଗୀଙ୍କୁ ଚିକିତ୍ସା ପାଇଁ କଟକ ଓ ଭୁବନେଶ୍ଵର ନେଲାବେଳେ ବାଟରେ ମୃତ୍ୟୁବରଣ କରନ୍ତି। 

କିନ୍ତୁ ଯେତେବେଳେ ଓଡିଶା ଓ କେନ୍ଦ୍ରରେ ବିଜେପିର ଡବଲ ଇଞ୍ଜିନ ସରକାର ସହିତ ରାଉରକେଲା ତଥା ସୁନ୍ଦରଗଡ଼ ଜିଲ୍ଲାର ସାଂସଦ ପାଞ୍ଚ ପାଞ୍ଚ ଥର ସାଂସଦ ଭାବେ ନିର୍ବାଚିତ ହୋଇ ବର୍ତ୍ତମାନ କେନ୍ଦ୍ରରେ କ୍ଯାବିନେଟ୍ ମନ୍ତ୍ରୀ ଥିବା ସତ୍ତ୍ବେ, ଦେଶର ପ୍ରଥମ ପର୍ଯ୍ୟାୟରେ ୧୧ଟି ଏବଂ ଦ୍ବିତୀୟ ପର୍ଯ୍ୟାୟରେ ୧୦ଟି, ମୋଟ ୨୧ଟି ଇଏସ୍ଆଇସି ମେଡିକାଲ କଲେଜ ମଧ୍ଯରୁ ଗୋଟିଏ ଯଦି ରାଉରକେଲା ତଥା ସୁନ୍ଦରଗଡ଼ ଜିଲ୍ଲା ମଧ୍ଯରେ ହୋଇପାରିଥାଆନ୍ତା, ତେବେ କେତେ ରୋଗୀଙ୍କ ଅମୂଲ୍ୟ ଜୀବନ ରକ୍ଷା ହୋଇପାରିଥାଆନ୍ତା ବୋଲି ହିନ୍ଦ୍ ମଜଦୁର ସଭା ପକ୍ଷରୁ କ୍ଷୋଭ ପ୍ରକାଶ କରାଯାଇଛି। ରାଉରକେଲା ଇସ୍ପାତ କାରଖାନା ସ୍ବୀକୃତି ନିର୍ବାଚନ ପରେ ସମସ୍ତ ଶ୍ରମିକ ସଙ୍ଗଠନମାନଙ୍କୁ ନେଇ ରାଜରାସ୍ତା ଅବରୋଧ ରାଉରକେଲା ବନ୍ଦ୍ ଏବଂ ପଶ୍ଚିମ ଓଡିଶା ବନ୍ଦ ପାଳନ କରିବା ପାଇଁ ହିନ୍ଦ୍ ମଜଦୁର ସଭା ସାଧାରଣ ସମ୍ପାଦକ ଦିଗମ୍ବର ମହାନ୍ତି ଏହି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

ଏହି ସାମ୍ବାଦିକ ସମ୍ମିଳନୀରେ ସାଧାରଣ ସମ୍ପାଦକ ଦିଗମ୍ବର ମହାନ୍ତିଙ୍କ ସମେତ ସୁନ୍ଦରଗଡ ଜିଲ୍ଲା ଶିଳ୍ପାଞ୍ଚଳ ଶ୍ରମିକ ସଭାର କାର୍ଯ୍ୟକାରୀ ସଭାପତି ହରେକୃଷ୍ଣ ପାଢୀ, ଉପସଭାପତି ମହେଶ୍ବର ମହାପାତ୍ର, ଅଜୟ ନାୟକ, ଜଗବନ୍ଧୁ ଜେନା, ବିମଲ ବେହୁରିଆ, ଉମେଶ ମଲ୍ଲିକ, ଉମେଶ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।