ତ୍ରିଲୋଚନଙ୍କ କବିତା ସଂକଳନ "ଶେଷ ସ୍ବପ୍ନ" କେନ୍ଦ୍ର ସାହିତ୍ୟ ଏକାଡ଼େମୀ ଦ୍ଵାରା ପ୍ରକାଶିତ

କେନ୍ଦୁଝର, ୧୫/୫ : କେନ୍ଦୁଝର ଜିଲ୍ଲାର ଯୁବ ସାହିତ୍ୟିକ ତ୍ରିଲୋଚନ ସାହୁଙ୍କ ପ୍ରଥମ କବିତା ସଂକଳନ "ଶେଷ ସ୍ବପ୍ନ" କେନ୍ଦ୍ର ସାହିତ୍ୟ ଏକାଡ଼େମୀ ଦ୍ଵାରା ପ୍ରକାଶିତ ହୋଇଛି । ପୁସ୍ତକଟି ସାହିତ୍ୟ ଏକାଡେମୀ ୱେବସାଇଟରେ ମିଳିପାରିବ ଅଥବା ଏକାଡେମୀ ସହ ଯୋଗାଯୋଗ କରି ବହିଟି ପାଠକମାନେ ପାଇପାରିବେ ବୋଲି ଲେଖକ ତ୍ରିଲୋଚନ ସାହୁ ପ୍ରକାଶ କରିଛନ୍ତି । ଶ୍ରୀ ସାହୁ ଓଡ଼ିଶାର କଳା, ସାହିତ୍ୟ ଓ ସଂସ୍କୃତିର ପ୍ରଚାର ପ୍ରସାର ପାଇଁ ନିଜର ପ୍ରୟାସ ଜାରି ରଖିଛନ୍ତି । ଆଉ ଏଭଳି ଏକ ସଫଳତା ପାଇଁ ତାଙ୍କୁ ସବୁ ମହଲରୁ ଶୁଭେଚ୍ଛା ଜଣାଯାଇଛି । ନିଜର ପ୍ରଥମ ପୁସ୍ତକ କେନ୍ଦ୍ର ସାହିତ୍ୟ ଏକାଡେମୀ ପ୍ରକାଶ କରିଥିବାରୁ ଶ୍ରୀ ସାହୁ ଖୁସି ବ୍ୟକ୍ତ କରିଛନ୍ତି ।
ଏଥିପାଇଁ ସେ କେନ୍ଦ୍ର ସାହିତ୍ୟ ଏକାଡେମୀର ସଚିବ, ଡକ୍ଟର୍ କେ. ଶ୍ରୀନିବାସ ରାଓ, କେନ୍ଦ୍ର ସାହିତ୍ୟ ଏକାଡେମି ଓଡ଼ିଆ ଭାଷା ଉପଦେଷ୍ଟା ମଣ୍ଡଳୀର ଆବାହକ ଡ. ଗୌରହରି ଦାସ, କେନ୍ଦ୍ର ସାହିତ୍ୟ ଏକାଡେମୀ ଓଡ଼ିଆ ଭାଷା ଉପଦେଷ୍ଟା ମଣ୍ଡଳୀର ପ୍ରାକ୍ତନ ଆବାହକ ପ୍ରଫେସର୍ ଡକ୍ଟର୍ ବିଜୟାନନ୍ଦ ସିଂହ ଏବଂ ସହକାରୀ ସଂପାଦକ, କ୍ଷେତ୍ରବାସୀ ନାୟକଙ୍କ ସମେତ ଏକାଡେମୀର ଅନ୍ୟାନ୍ୟ ଅଧିକାରୀ ଏବଂ ବିଶେଷକରି ପାଠକମାନଙ୍କୁ କୃତଜ୍ଞତା ଜଣାଇଛନ୍ତି । ବହିଟି ପାଠକାଦୃତ ହେବ ବୋଲି ଶ୍ରୀ ସାହୁ ଆଶାପ୍ରକଟ କରିଛନ୍ତି । ପ୍ରକାଶ ଥାଉକି, ଶ୍ରୀ ସାହୁ ବିଗତ ଦିନରେ ଓଡ଼ିଶାର କଳା, ସାହିତ୍ୟ ଏବଂ ସଂସ୍କୃତିର ପ୍ରଚାର ପ୍ରସାର ଓ ସଂରକ୍ଷଣ ପାଇଁ ସାମାଜିକ ସଚେତନତା ମୂଳକ ସର୍ଟ ଫିଲ୍ମ ଏବଂ ଡକୁମେଣ୍ଟାରୀ ଫିଲ୍ମ କରି ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି । ଶ୍ରୀ ସାହୁ ଯାଜପୁର ଜିଲ୍ଲାର ଶିକ୍ଷା ବିଭାଗରେ ଜିଲ୍ଲା ଯୋଜନା ସଂଯୋଜକ ରୂପେ କାର୍ଯ୍ୟ କରୁଛନ୍ତି ।