ଅପରେଶନ ଗରୁଡ଼ରେ ୪୦୬ ଅଭିଯୁକ୍ତ ଗିରଫ

ଅପରେଶନ ଗରୁଡ଼ରେ ୪୦୬ ଅଭିଯୁକ୍ତ ଗିରଫ

ଭୁବନେଶ୍ବର,୧୭/୮ : ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆଙ୍କ ନିର୍ଦ୍ଦେଶ କ୍ରମେ ଗତ ଅଗଷ୍ଟ ୧ ତାରିଖରୁ ରାଜ୍ୟର ସମସ୍ତ ଜିଲ୍ଲା ପୋଲିସ ଏସପିଙ୍କ ନେତୃତ୍ୱରେ ଅପେରସନ"ଗରୁଡ଼" ଅଭିଯାନକୁ କାର୍ଯ୍ୟକାରୀ କରାଯାଇଥିଲା । ଏହି ଅଭିଯାନର ଦ୍ଵିତୀୟ ସପ୍ତାହ ଅର୍ଥାତ ଚଳିତ ଅଗଷ୍ଟ ୧୬ତାରିଖ ପର୍ଯ୍ୟନ୍ତ ଅପରାଧ ଏବଂ ଅପରାଧୀଙ୍କ ବିରୁଦ୍ଧରେ ପୋଲିସ ପକ୍ଷରୁ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା।  

ଏହି ଅଭିଯାନରେ ମୁଖ୍ୟତଃ ଜାମିନ ବିହୀନ ୱାରେଣ୍ଟ (NBW)କୁ କାର୍ଯ୍ୟକାରୀ କରିବା, ନିଶା ଦ୍ରବ୍ୟ ଚୋରା ଚାଲାଣକୁ ରୋକିବା, ବେଆଇନ ଅସ୍ତ୍ରଶସ୍ତ୍ର ଜବତ ଏବଂ ଅପରାଧୀଙ୍କୁ ଗିରଫ କରିବା, ଜୁଆ ଆଡ୍ଡା ଉପରେ ଚଢ଼ାଉ ଏବଂ ବିଭିନ୍ନ ଅପରାଧରେ ସମ୍ପୃକ୍ତ ଥିବା ଅଭିଯୁକ୍ତଙ୍କୁ ଗିରଫ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ଏହି ଅପରେସନର ଦ୍ଵିତୀୟ ସପ୍ତାହରେ ସମସ୍ତ ଜିଲ୍ଲାର ଏସପି ଓ ଅନ୍ୟାନ୍ୟ ଅଧିକାରୀ ସାମିଲ ହୋଇ ଅପରାଧ ଏବଂ ଅପରାଧୀଙ୍କୁ ରୋକିବାରେ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି । ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ଆଇନ ଓ ଶୃଙ୍ଖଳା) ସଞ୍ଜୟ କୁମାରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱ।ବଧାନରେ ଏହି ଅପରେସନ ସାରା ରାଜ୍ୟରେ କାର୍ଯ୍ୟକାରୀ ହେଉଛି। 

୧. କାର୍ଯ୍ୟକାରୀ ହୋଇଥିବା NBW : ୩୬୪୩

୨. ଅବକାରୀ ମାମଲା : ୧୮୦୬ମାମଲା, ୪୭,୧୦୫.୫୬ଲିଟର ମଦ ଏବଂ ନଗଦ ୩,୪୦୦ଟଙ୍କା ଜବତ

୩. ଜବତ ହୋଇଥିବା ବେଆଇନ ଅସ୍ତ୍ରଶସ୍ତ୍ର ଏବଂ ଟଙ୍କା : ୬୩ଅସ୍ତ୍ରଶସ୍ତ୍ର, ୯୫ଗୁଳିଗୋଳା,୧,୪୫,୫୦୦ ଟଙ୍କା, ୧ଟି କାର, ୩ଟି ବାଇକ୍ ଏବଂ ୨ଟି ଖାଲି ମାଗାଜିନ ଜବତ

୪. ଗଞ୍ଜେଇ ଜବତ ସହ ଏନଡିପିଏସ୍ ମାମଲା: ୫୭ଟି ମାମଲା ସହିତ ୩୦୩୦.୩୫କିଲୋଗ୍ରାମ ଗଞ୍ଜେଇ ଏବଂ ୬୬୪ଗ୍ରାମ ବ୍ରାଉନସୁଗର ଜବତ, (୯ଟି କାର, ୧୨ଟି ବାଇକ୍ ଏବଂ ୮୯,୫୨୦ଟଙ୍କା) 

୫. ଜୁଆ ମାମଲା : ୭୦ଟି ମାମଲା, ୬,୨୮,୭୨୫ଟଙ୍କା, ୩ଟି କାର, ୫୨ଟି ମୋଟର ସାଇକେଲ ଏବଂ ୪୭ଟି ମୋବାଇଲ୍ ଫୋନ୍

 ୬. ଗିରଫ ହୋଇଥିବା ଅପରାଧୀଙ୍କ ସଂଖ୍ୟା: ୪୦୬

7. ନିଶା ଶକ୍ତ ଅବସ୍ଥାରେ ଗାଡି ଚାଳନା : ୧୬୩ମାମଲା, ୧୬୩ଯାନ ଜବତ

ଉଲ୍ଲେଖଯୋଗ୍ୟ ଯେ, ଗଞ୍ଜାମ ପୋଲିସ ଜିଲ୍ଲା ସର୍ବାଧିକ ୩୮୩NBW କାର୍ଯ୍ୟକାରୀ କରିଥିବା ବେଳେ ବେଆଇନ ଅସ୍ତ୍ରଶସ୍ତ୍ର ଚୋରା ଚାଲାଣ କ୍ଷେତ୍ରରେ ୧୧ଟି ବନ୍ଧୁକ, ୫୫ ଗୋଳାବାରୁଦ ଜବତ କରିବା ସହ ୩୦ ଜଣଙ୍କୁ ଗିରଫ କରିଛି। ସେହିପରି ଜୁଆ ଆଡ୍ଡା ଉପରେ ଚଢ଼ାଉ କ୍ଷେତ୍ରରେ ସମ୍ବଲପୁର ପୋଲିସ ଜିଲ୍ଲା ୧୦ଟି ମାମଲା, ୩୧,୭୬୦ଟଙ୍କା , ୩ଟି ମୋଟର ସାଇକେଲ ଏବଂ ୭ଟି ମୋବାଇଲ୍ ଫୋନ୍ ଜବତ କରିବା ସହ ୧୮ଜଣଙ୍କୁ ଗିରଫ କରିଛି। 

ସେହିପରି NDPS ମାମଲାରେ ମଧ୍ୟ ସମ୍ବଲପୁର ଜିଲ୍ଲା ପୋଲିସ ୧୨ମାମଲା ରୁଜୁ ହୋଇଥିବାବେଳେ ୫୦.୫୮କିଲୋଗ୍ରାମ ଗଞ୍ଜେଇ, ୫ମୋଟର ସାଇକେଲ, ୨୫୯୯ବୋତଲ କଫ ସିରପ, ୧୩.୧ଷ୍ଟ୍ରିପ୍ ନାଇଟ୍ରାଜେପାନ୍ ଟାବଲେଟ୍ ଏବଂ ୨୦ପକେଟ ଇଞ୍ଜେକ୍ସନ, ୫ ମୋବାଇଲ୍ ଫୋନ୍ ଜବତ କରିବା ସହ ୨୪ ଜଣଙ୍କୁ ଗିରଫ କରିଛି। ଅବକାରୀ ମାମଲାରେ ମଧ୍ୟ ସମ୍ବଲପୁର ଜିଲ୍ଲା ପୋଲିସ ୧୮୨ଟି ମାମଲା ରୁଜୁ କରିଥିବା ବେଳେ ୧୬୧୨ଲିଟର ମଦ ଜବତ କରିବା ସହ ୧୮୨ଜଣଙ୍କୁ ଗିରଫ କରିଛି।

ସେହିପରି କନ୍ଧମାଳ ଜିଲ୍ଲା ପୋଲିସ ୫ଟନରୁ ଅଧିକ ବିସ୍ଫୋରକ ସାମଗ୍ରୀ ଜବତ କରିବା ସହ ୫ଜଣଙ୍କୁ ଗିରଫ କରିଛି । ସାଧାରଣ ଲୋକଙ୍କୁ ସେବା ଓ ସୁରକ୍ଷା ଯୋଗାଇ ଦେବାକୁ ଓଡିଶା ପୋଲିସ ପ୍ରତିଶୃତିବଦ୍ଧ। ଆଗାମୀ ଦିନରେ ମଧ୍ୟ ଅପରାଧ ଏବଂ ଅପରାଧୀମାନଙ୍କ ବିରୁଦ୍ଧରେ " ଅପେରସନ ଗରୁଡ" ଅଭିଯାନ ଜାରି ରହିବ ବୋଲି ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ଆଇନ ଓ ଶୃଙ୍ଖଳା) ସଂଜୟ କୁମାର ସୂଚନା ଦେଇଛନ୍ତି ।