ଷ୍ଟିଲ ସିଟି ରାଉରକେଲାରେ ଗୁଳି ମାଡ଼ ଘଟଣା ; ଜଣେ ଗୁରୁତର, ୧ ଆହତ

ଷ୍ଟିଲ ସିଟି ରାଉରକେଲାରେ ଗୁଳି ମାଡ଼ ଘଟଣା ; ଜଣେ ଗୁରୁତର, ୧ ଆହତ

ରାଉରକେଲା ୪/୧୧ :  ସୋମବାର ସକାଳ ପ୍ରାୟ ୯ଟା ସମୟରେ ରାଉରକେଲା ଟ୍ରାଫିକ ଗେଟ୍ ଅଞ୍ଚଳରେ ଗୁଳି ମାଡ଼ ଘଟଣାରେ, ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି । ଆହତ ହୋଇଥିବା ଯୁବକଙ୍କ ନାମ ଆବେଧ ରାୟ। ଆବେଧ ରାୟ ରିଙ୍ଗ ରୋଡ୍ ପାରି ହେଉଥିବାବେଳେ ଦୁଇ ଜଣ ଯୁବକ ଏକ ମୋଟର ସାଇକେଲରେ ଆସି ଗୁଳି ମାଡ଼ କରିଥିଲେ। ଘଟଣାସ୍ଥଳରୁ ୨ରାଉଣ୍ଡ ଗୁଳିର ଖୋକା ମିଳିଛି। ଗୁଳି ମାଡ଼ ପରେ ଯୁବକ ଦୁଇ ଜଣ ସେହି ମୋଟର ସାଇକେଲରେ ଫେରାର ହୋଇ ଯାଇଥିଲେ। ଆବେଧ ରାୟ ଙ୍କୁ ତୁରନ୍ତ ରାଉରକେଲା ସରକାରୀ ଡାକ୍ତରଖାନା (ଆରଜିଏଚ)କୁ ନିଆଯାଇଥିଲା। ସେଠାର ତାଙ୍କର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଇସ୍ପାତ ଜେନେରାଲ୍ ହସ୍ପିଟାଲ(ଆଇ ଜି ଏଚ୍)କୁ ସ୍ଥାନାନ୍ତର କରାଯାଇଛି। ଖବର ପାଇ ଘଟଣା ସ୍ଥଳରେ ଡିଏସପି ନିର୍ମଳ ଚନ୍ଦ୍ର ମହାପାତ୍ର ଏବଂ ପ୍ଲାଣ୍ଟ ସାଇଟ୍ ଥାନା ଇନ୍ସପେକ୍ଟର ଜୟ ନାରାୟଣ ଖଣ୍ଡେଇ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ।  ତେବେ ପ୍ରାଥମିକ ତଦନ୍ତରୁ ପ୍ରତିଶୋଧ ପାଇଁ ଏହି ଗୁଳି ମାଡ଼ ହୋଇଥିବା ଜଣାପଡ଼ିଛି।

       ଘଟଣାରୁ ପ୍ରକାଶ ଯେ, ୧୯୯୭ ମସିହାରେ ଆବେଧ ରାୟର ମା'ଙ୍କୁ ହତ୍ୟା କରାଯାଇଥିଲା। ତାର ପ୍ରତିଶୋଧ ନେବାକୁ ୨୦୦୨ ମସିହାରେ ଆବେଧ ଏବଂ ତା'ର ସାଥୀ ଟ୍ରାଫିକ ଗେଟ୍ ମାର୍କେଟରେ ଭଗବାନ ସାହୁ ଏବଂ ଅନ୍ୟ ଜଣେ ପାଣିଗ୍ରାହୀ ନାମକ ଯୁବକଙ୍କୁ ହତ୍ୟା କରିଥିଲେ। ଆଜି ପୁଣି ଉକ୍ତ ହତ୍ୟାକାଣ୍ଡର ପ୍ରତିଶୋଧ ନେବାକୁ ଗୁଳି ମାଡ଼ ହୋଇଥିବା ଆବେଧ ରାୟଙ୍କ ଭାଇ ଏବଂ ଭଉଣୀ ଅଭିଯୋଗ କରିଛନ୍ତି। ତେବେ ପୋଲିସ ତଦନ୍ତ ପରେ ଘଟଣା ସମ୍ପର୍କରେ ସଠିକ୍ ତଥ୍ଯ ପଦାକୁ ଆସିବ ବୋଲି ଜଣାଯାଏ।