ବିବାଦ ପରେ ମୁହଁ ଖୋଲିଲେ ନବୀନ

ବିବାଦ ପରେ ମୁହଁ ଖୋଲିଲେ ନବୀନ

ଭୁବନେଶ୍ୱର,୯/୪ : ବିଜୁ ଜନତା ଦଳ ସଭାପତି ନବୀନ ପଟ୍ଟନାୟକ ଆଜି ସନ୍ଧ୍ୟାରେ ଗଣମାଧ୍ୟମକୁ କହିଛନ୍ତି ଯେ, ସେ ସ୍ପଷ୍ଟ କରିଦେବାକୁ ଚାହାଁନ୍ତି ଯେ "ଶ୍ରୀ କାର୍ତ୍ତିକେୟ ପାଣ୍ଡିଆନ ଅତୀତରେ ରାଜ୍ୟ ଓ ଦଳ ପାଇଁ ବହୁତ ଭଲ କାମ କରିଛନ୍ତି । ସେ ଗତ ଦଶ ମାସରୁ ଅଧିକ ସମୟ ହେଲାଣି ଦଳ ଛାଡ଼ିଲେଣି ଏବଂ ଏବେ ସେ ଦଳର କୌଣସି କାମରେ ସମ୍ପୃକ୍ତ ନାହାନ୍ତି । ତେଣୁ ଦଳର କୌଣସି ନିଷ୍ପତ୍ତି ପାଇଁ ତାଙ୍କୁ ସମାଲୋଚନା ବା ବଦନାମ କରାଯିବା ଉଚିତ ନୁହେଁ " । 

ଶ୍ରୀ ପ୍ରଭାତ ତ୍ରିପାଠୀଙ୍କ ସମ୍ପର୍କରେ ଶ୍ରୀ ପଟ୍ଟନାୟକ କହିଥିଲେ ଯେ "ମୁଁ ଏଠାରେ ସ୍ପଷ୍ଟ କରିଦେବାକୁ ଚାହେଁ ଯେ ପୂର୍ବତନ ବିଧାୟକ ଶ୍ରୀ ତ୍ରିପାଠୀ chit fund case ରେ ସମ୍ପୃକ୍ତି ଅଭିଯୋଗରେ ଜେଲରେ କିଛି ବର୍ଷ କାଟି ଆସି ଛନ୍ତି । ତେଣୁ କିଛି ବର୍ଷ ତଳେ ସେ ଦଳରୁ ବହିସ୍କୃତ ହୋଇଥିଲେ । ମୁଁ ଆହୁରି ସ୍ପଷ୍ଟ କରି ଦେବାକୁ ଚାହେଁ ଯେ ଶ୍ରୀ ତ୍ରିପାଠୀ ଏବେ ବିଜେଡିର ସଦସ୍ୟ ମଧ୍ୟ ନୁହନ୍ତି " । 

ଏତଦବ୍ୟତୀତ ବଡ଼ ବଡ଼ ହୋଟେଲରେ ବିଜେଡ଼ି ନେତାମାନଙ୍କ ବୈଠକକୁ ନାପସନ୍ଦ କରି ଶ୍ରୀ ପଟ୍ଟନାୟକ କହିଥିଲେ ଯେ "ଦଳର ମୁଖ୍ୟାଳୟ ଶଙ୍ଖ ଭବନ ବହୁତ ବଡ଼ ଓ ଅନେକ ସୁବିଧା ମଧ୍ୟ ରହିଛି । ତେଣୁ ସେଠାରେ ବୈଠକ ନ କରି ହୋଟେଲରେ ବୈଠକ କରିବା ଘଟଣାକୁ ଉଚିତ ନୁହେଁ ବୋଲି ଶ୍ରୀ ପଟ୍ଟନାୟକ କହିବା ସହ ଶଙ୍ଖ ଭବନରେ ବୈଠକ କରିବା ପାଇଁ ପରାମର୍ଶ ଦେଇଥିଲେ ।