ଜୟଙ୍କୁ ସିମ୍ପାଥି, ଘାସିରାମଙ୍କୁ ପକେଟ ଏବଂ ସ୍ନେହାଙ୍ଗିନୀଙ୍କୁ ଦଳୀୟ ଭୋଟ୍ ଭରସା
ଭୁବନେଶ୍ବର,୧୮/୧୦ : ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ପରଲୋକ ପରେ ନଭେମ୍ବର ୧୧ ତାରିଖରେ ନୂଆପଡ଼ା ବିଧାନସଭା ଆସନ ପାଇଁ ଉପନିର୍ବାଚନ ହେବ। ଏହାକୁ ନେଇ ବିଜେପି, ବିଜେଡି ଓ କଂଗ୍ରେସ ଶିବିର ଚଳଚଞ୍ଚଳ ହୋଇଯାଇଛି ।
ନୂଆପଡ଼ା ଉପନିର୍ବାଚନ କଥା ଆଲୋଚନା ପୂର୍ବରୁ ପ୍ରଥମେ ନଜର ପକାଇବା ସବୁଠୁ ଗୁରୁତ୍ବପୂର୍ଣ୍ଣ ଆଉ ରୋଚକ ଦୃଶ୍ୟର ସେହି କିଛି ପଦ କଥା । ଜୟ ଢୋଲକିଆ ବିଜେପିରେ ଯୋଗ ଦେବା ପରେ କହିଥିଲେ ଯେ, ନୂଆପଡ଼ା ଏକ ଉପାନ୍ତ ଅଞ୍ଚଳ। ଏହି ଅଞ୍ଚଳର ବିକାଶ ପାଇଁ ବାପା ରାଜେନ୍ଦ୍ର ଢୋଲକିଆ ଅନେକ ସ୍ୱପ୍ନ ଦେଖିଥିଲେ। ଏହି ଅଧୁରା ସ୍ୱପ୍ନ ପୂରଣ କରିବା ପାଇଁ ଆଜି ମୁଁ ବିଜେପିରେ ଯୋଗ ଦେଇଛି । ନୂଆପଡ଼ାକୁ ରାଜ୍ୟର ଏକ ନମ୍ବର ଜିଲ୍ଲା ଭାବେ ଗଢ଼ି ତୋଳିବାକୁ ମୁଁ ଶପଥ ନେଉଛି ।
ଏହି କଥା ଏଥିପାଇଁ ଆମେ ମନସ୍ଥ କଲୁ ଲେଖିବାକୁ କାରଣ ଏହା ସବୁଠୁ ନୂଆପଡ଼ା ଉପନିର୍ବାଚନର ରୋଚକ ଦୃଶ୍ୟ ଥିଲା । ୨୦୨୪ ନୂଆପଡ଼ା ସାଧାରଣ ନିର୍ବାଚନରେ ବିଜେଡି ପ୍ରାର୍ଥୀ ରାଜେନ୍ଦ୍ର ଢୋଲକିଆ ମୋଟ ୬୧,୮୨୨ଖଣ୍ଡ ଭୋଟ୍ ପାଇ ବିଜୟୀ ହୋଇଥିଲେ । ଦ୍ବିତୀୟ ସ୍ଥାନରେ ସ୍ବାଧିନ ଭାବେ ଠିଆ ହୋଇଥିବା ଘାସିରାମ ମାଝି ଯିଏ ଏବେ କଂଗ୍ରେସରୁ ପ୍ରାର୍ଥୀ ହୋଇଛନ୍ତି ସେ ମୋଟ୍ ୫୦,୯୪୧ଖଣ୍ଡ ଭୋଟ୍ ପାଇଥିଲେ । ସେହିଭଳି ତୃତୀୟ ସ୍ଥାନରେ ବିଜେପିରୁ ପ୍ରାର୍ଥୀ ହୋଇଥିବା ଅଭିନନ୍ଦନ ପଣ୍ଡା ପାଇଥିଲେ ୪୪,୮୧୪ଖଣ୍ଡ ଭୋଟ୍ । ଚତୁର୍ଥ ସ୍ଥାନରେ ଥିବା କଂଗ୍ରେସ ପ୍ରାର୍ଥୀ ପୂର୍ବତନ ପିସିସି ସଭାପତି ଶରତ ପଟ୍ଟନାୟକ ମୋଟ ୧୫୫୦୧ଖଣ୍ଡ ଭୋଟ୍ ପାଇଥିଲେ । କଂଗ୍ରେସ ପ୍ରାର୍ଥୀ କଂଗ୍ରେସ ଟିକେଟ୍ ପାଇଁ ଦାବିଦାର ଥିଲେ ମଧ୍ୟ ଦଳର ପ୍ରାର୍ଥୀ ହୋଇଥିଲେ ତତ୍କାଳୀନ ପିସିସି ସଭାପତି ଶରତ ପଟ୍ଟନାୟକ। ଫଳରେ ଅସନ୍ତୁଷ୍ଟ ଘାସିରାମ ସ୍ବାଧୀନ ପ୍ରାର୍ଥୀ ଭାବେ ମୈଦାନକୁ ଓହ୍ଲାଇଥିଲେ। ପରେ ବିଜେଡି ପ୍ରାର୍ଥୀ ରାଜେନ୍ଦ୍ର ଢୋଲକିଆଙ୍କ ସହ ଘାସିରାମଙ୍କର ହିଁ କଡ଼ା ମୁକାବିଲା ହୋଇଥିଲା।
ବର୍ତ୍ତମାନର ସ୍ଥିତି କିନ୍ତୁ ପୂରା ଭିନ୍ନ । ଏବେ ନୂଆପଡ଼ା ଉପନିର୍ବାଚନରେ କିଏ ବାଜିମାତ୍ କରିବ ତାହା ରୋଚକ ମୋଡ଼ ନେଇଛି । ଗୋଟିଏ ପଟେ ଜୟଙ୍କ ପାଖରେ ବାପାଙ୍କ ସିମ୍ପାଥୀ ଭୋଟ୍ କାମ କରିବାକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚାର ଖୋରାକ ଯୋଗାଇଥିବାବେଳେ ଜୟ କିନ୍ତୁ ଏବେ ବିଜେଡି ଛାଡ଼ି ବିଜେପି ଶିବିରରେ । ଯାହାକି ସମୀକରଣ ପୂରା ଭିନ୍ନ ହେବ ବୋଲି କୁହାଯାଉଛି । ସେହିଭଳି ସ୍ବାଧୀନ ଭାବେ ପୂର୍ବ ନିର୍ବାଚନରେ ପ୍ରାର୍ଥୀ ହୋଇ ହେଭି ଫାଇଟ୍ କରିଥିବା ଘାସିରାମ କ୍ଷେତ୍ରରେ ତାଙ୍କ ପକେଟ୍ ଭୋଟ୍ ଆସିବ ବୋଲି କୁହାଯାଉଛି। ଯଦି ସେ ପକେଟ୍ ଭୋଟ୍ ହାତଉ ଛନ୍ତି ତେବେ ପୁଣି ନୂଆପଡ଼ାବାସୀ ଏକ ହେଭି ଭୋଲଟେଜ୍ ଫାଇଟ୍ ଦେଖିବାକୁ ପାଇବେ ଚଳିତ ଉପନିର୍ବାଚନରେ । ମାତ୍ର ସ୍ନେହାଙ୍ଗିନୀଙ୍କ କ୍ଷେତ୍ରରେ ସମ୍ପୂର୍ଣ୍ଣ ଅଲଗା । ତାଙ୍କର ଦଳୀୟ ଭୋଟ୍ ଉପରେ ସେ ନିର୍ଭର କରିବେ ବୋଲି ଆଲୋଚନା ହେଉଛି । କିନ୍ତୁ ବିଜେଡି ସୁପ୍ରିମୋ ଏଠି ମହିଳା କାର୍ଡ଼ ଖେଳି ନିଜର ଚତୁରତା ଦେଖାଇଥିବାବେଳେ ନୂଆପଡ଼ାରୁ କାହିଁକି କେହି ପ୍ରାର୍ଥୀ ହେଲେ ନି ବୋଲି ଏବେ ସବୁଠି ପ୍ରଶ୍ନବାଚୀ । କେହି କେହି କହିବାକୁ ମଧ୍ୟ ପଛାଉନାହାନ୍ତି କି ବିଜେପି- ବିଜେଡି ମଧ୍ୟରେ ଡିଲ୍ ଫାଇନାଲ୍ ହୋଇଛି ବୋଲି । ସମୟ କହିବ କିଏ ମାରିବ ବାଜିମାତ୍ ।

Editor 


