ଫ୍ରାଇଡେ ରିଲିଜ୍ରେ ପ୍ରେକ୍ଷାଳୟକୁ ଆସୁଛି ନୂଆ ଓଡ଼ିଆ ସିନେମା ‘ଟିକେ ଟିକେ ଅଚିହ୍ନା ତୁ’

ଭୁବନେଶ୍ୱର,୭/୬ : ଫ୍ରାଇଡେ ରିଲିଜ୍ରେ ପ୍ରେକ୍ଷାଳୟକୁ ଆସୁଛି ନୂଆ ଓଡ଼ିଆ ସିନେମା ‘ଟିକେ ଟିକେ ଅଚିହ୍ନା ତୁ’। ରାଜ୍ୟର ୩୪ଟି ହଲ୍ରେ ଏହା ରିଲିଜ୍ ହେଉଥିବାବେଳେ ସନ୍ଧ୍ୟା ୭ଟାରେ ଭୁବନେଶ୍ୱରର ଏକ ପ୍ରେକ୍ଷାଳୟରେ କଳାକାରଙ୍କ ସହ ପ୍ରିମିୟର ଅନୁଷ୍ଠିତ ହେବ । ଆମର ଷ୍ଟୁଡିଓଜ୍ ଏବଂ ଡିକେ ମୁଭିଜ୍ ବ୍ୟାନରରେ ପ୍ରସ୍ତୁତ ହୋଇଥିବା ଏହି ସିନେମାରେ ପୁଣି ଥରେ ଏକାଠି ହୋଇଛନ୍ତି ଓଲିଉଡ୍ର ଚର୍ଚ୍ଚିତ ପୁରୁଣା ଯୋଡ଼ି ସ୍ୱରାଜ-ଭୂମିକା । ‘ତୁ ମୋ ଲଭ୍ଷ୍ଟୋରୀ’ ଓ ‘ତୁ ମୋ ଲଭ୍ଷ୍ଟୋରୀ-୨’ ମ୍ୟୁଜିକାଲ୍ ହିଟ୍ ହୋଇଥିଲାବେଳେ ଏହି ସିନେମା ସେହିପରି ସଫଳତା ଆଣିଦେବ ବୋଲି ଦୁହିଁଙ୍କ ସହ ପୂରା ୟୁନିଟ୍ ଆଶାବାଦୀ ରହିଛି । କିନ୍ତୁ ଦର୍ଶକ ଓ ସମର୍ଥକ କେତେ ଭଲପାଇବା ଦେଉଛନ୍ତି ତାହା ରିଲିଜ୍ ପରେ ଜଣାପଡ଼ିବ ।
ନବୀନ ଭଣ୍ଡାରି ଓ ଦୀପକ ମିଶ୍ରଙ୍କ ପ୍ରଯୋଜିତ ଏହି ଚଳଚ୍ଚିତ୍ରରେ ସ୍ୱରାଜ, ଭୂମିକାଙ୍କ ସହ ଶୁଭମ୍ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିଛନ୍ତି । ତାପସ ସରଘରିଆ ନିର୍ଦ୍ଦେଶନା ଦେଇଥିବାବେଳେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ପ୍ରେମ୍ ଆନନ୍ଦ । ଭରଦ୍ୱାଜ ପଣ୍ଡା କାହାଣୀ, ସଂଳାପ ଓ ଚିତ୍ରନାଟ୍ୟ ଲେଖିଛନ୍ତି । ଏଥିରେ ବି ଗୀତକୁ ନେଇ ବହୁତ କିଛି ପରୀକ୍ଷା ନିରୀକ୍ଷା କରିଛନ୍ତି ପ୍ରେମ୍ ଆନନ୍ଦ । ତୁ ମୋ ଲଭ ଷ୍ଟୋରି, ତୁ ମୋ ଲଭ ଷ୍ଟୋରି ୨, ଭଳି ଟିକେ ଟିକେ ଅଚିହ୍ନା ତୁ ବି ଲୋକଙ୍କ ମନ ଛୁଇଁବ ବୋଲି କହିଛି ପୁରା ଟିମ୍ ।