ପ୍ରିୟା ମ୍ୟୁଜିକ୍ ପ୍ରସ୍ତୁତ ଏକ ନିଆରା ମ୍ୟୁଜିକ୍ ଭିଡିଓ "ତୁ ମୋ ଘରଣୀ" ମୁକ୍ତିଲାଭ

ପ୍ରିୟା ମ୍ୟୁଜିକ୍ ପ୍ରସ୍ତୁତ ଏକ ନିଆରା ମ୍ୟୁଜିକ୍ ଭିଡିଓ "ତୁ ମୋ ଘରଣୀ" ମୁକ୍ତିଲାଭ

ଭୁବନେଶ୍ବର, ୧୩/୪ : ଏକ ଭିନ୍ନ ପରିକଳ୍ପନା, ଏକ ନିଆରା ଚିନ୍ତାଧାରାରେ ପ୍ରିୟା ମ୍ୟୁଜିକ୍ ପ୍ରସ୍ତୁତ କରିଥିବା ମ୍ୟୁଜିକ୍ ଭିଡ଼ିଓ ଏକ ବର୍ଣ୍ଣାଢ୍ୟ ପରିବେଶରେ ମୁକ୍ତିଲାଭ କରିଛି l ଯୁବ ପ୍ରଯୋଜକ ରିଙ୍କୁ ପ୍ରଧାନ ଏବଂ ସହଧର୍ମିଣୀ ପ୍ରିୟା ପ୍ରଧାନଙ୍କ ଦ୍ୱାରା ପ୍ରଯୋଜିତ ତୁ ମୋ ଘରଣୀ ମ୍ୟୁଜିକ୍ ଭିଡ଼ିଓରେ କୌଣସି ନାମୀ, ଦାମୀ କିମ୍ବା କୌଣସି ଇନ୍ଷ୍ଟା କି ସୋସିଆଲ ମିଡ଼ିଆର ଭାଇରାଲ୍ କଳାକାର ନାହାଁନ୍ତି, ସମସ୍ତେ କୁନି କୁନି କଳାକାର ଯେଉଁମାନେ କି ସମ୍ପୂର୍ଣ୍ଣ ନୂଆ ଏବଂ ଗୋଟିଏ ସତ ପରିବାରର ଚରିତ୍ରମାନଙ୍କୁ ନେଇ ଅଭିନୟ ମାଧ୍ୟମରେ ଚିତ୍ରଣ କରିଛନ୍ତି l ଏଭଳି ଏକ ନିଆରା ପରିକଳ୍ପନା କରିଛନ୍ତି ଓଲିଉଡ଼ ଇଣ୍ଡଷ୍ଟ୍ରିର ଜଣେ ପରିଚିତ କଳାକାର ସାଙ୍ଗକୁ ଅନେକ ଚଳଚ୍ଚିତ୍ରରେ ଲାଇନ ପ୍ରଯୋଜକ ଭାବେ କାର୍ଯ୍ୟ କରୁଥିବା ଅମର ମହାପାତ୍ର l ଅମର ସବୁବେଳେ ଇଣ୍ଡଷ୍ଟ୍ରି ପାଇଁ କିଛି ନୂଆ କରିବା ପାଇଁ ଚେଷ୍ଟା କରନ୍ତି ଏବଂ ସଫଳତା ମଧ୍ୟ ପାଇଛନ୍ତି l 

ଏହି ମ୍ୟୁଜିକ୍ ଭିଡ଼ିଓକୁ ନିର୍ଦ୍ଦେଶନା ଦେଇଛନ୍ତି ମଣ୍ଟୁ ଜେନା l ଗୀତ ରଚନା କରିଛନ୍ତି ପି. ସାରଦା, ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ପିଣ୍ଟୁ ଦାସ ଏବଂ କଣ୍ଠଦାନ କରିଛନ୍ତି ଅନ୍ତରା ଚକ୍ରବର୍ତ୍ତୀ ଏବଂ ହ୍ୟୁମାନ ସାଗର l ଚିତ୍ରତ୍ତୋଳନ କରିଛନ୍ତି ଶୁଭମ ଏବଂ ସମ୍ପାଦନା କରିଛନ୍ତି କୁନା ରାଉଳ l ଅଭିନୟରେ ଅମନ, ଅମ୍ରିତା, ଅଭିମନ୍ୟୁ, ଶ୍ଵେତା, କୋମଲ, କୁନ୍ସ, ସତ୍ୟଜିତ ଏବଂ ସାଇ ଅଛନ୍ତି l 

ଏହି ମ୍ୟୁଜିକ୍ ଭିଡିଓ ମୁକ୍ତିଲାଭ ଅବସରରେ ଓଲିଉଡ଼ର ବହୁ ଅଭିଜ୍ଞ କଳାକାର ପୃଥ୍ଵୀରାଜ ନାୟକ, ଭୂପତି ତ୍ରିପାଠୀ, ପୁଷ୍ପା ପଣ୍ଡା, ପ୍ରତିଭା ପଣ୍ଡା, ବବି ମିଶ୍ର, ହରିହର ମହାପାତ୍ର, ଜ୍ଞାନ ବାରିକ, ଅଭିନେତ୍ରୀ ନିକିତା ମିଶ୍ରଙ୍କ ସମେତ ନିର୍ଦ୍ଦେଶକ ସୁଧାଂଶୁ ମୋହନ ସାହୁ, ଟୁଟୁ ନାୟକ, ଦିଲ୍ଲୀପ ଶ୍ରୀଚନ୍ଦନ, ପ୍ରକାଶ ହରିଚନ୍ଦନ ପ୍ରମୁଖ ଯୋଗଦେଇଥିଲେ l କୁନି କୁନି କଳାକାରମାନେ ଏହି ମ୍ୟୁଜିକ୍ ଭିଡିଓରେ ଅଭିନୟ କରି ବହୁତ ଖୁସି ଅଛନ୍ତି ଏବଂ ବଡ଼ ହେଲେ ସେମାନେ ଜଣେ ଜଣେ ବଡ଼ କଳାକାର ହେବେ ବୋଲି ଖୁସି ବ୍ୟକ୍ତ କରିଥିଲେ l ପୂର୍ବରୁ ପ୍ରିୟା ମ୍ୟୁଜିକର ଏହି ଗୀତକୁ ଶ୍ରୋତା ଢେର ଭଲ ପାଇବା ଦେଇଛନ୍ତି ତେଣୁ ଆଗକୁ ମ୍ୟୁଜିକ୍ ଭିଡ଼ିଓକୁ ବି ଢେର ବେଶୀ ଭଲ ପାଇବା ଦେବେ ବୋଲି ପ୍ରଯୋଜକ ଆଶା କରିଛନ୍ତି l ଏହି ବ୍ୟାନରରେ ଆଗାମୀ ଦିନରେ ତିନିଟି ଚଳଚ୍ଚିତ୍ର ନିର୍ମାଣ ହେବାକୁ ଯାଉଛି ଯାହା ବଡ ପରଦାରେ ମୁକ୍ତିଲାଭ କରିବ ବୋଲି ଘୋଷଣା କରିଥିଲେ l