୮ ବର୍ଷ କାଳ ଚଣ୍ଡିଖୋଲ ଭୂତଳ ତୈଳ ସଂରକ୍ଷଣ ପ୍ରକଳ୍ପକୁ ପକାଇ ରଖିଥିଲ କାହିଁକି : ଭକ୍ତ

୮ ବର୍ଷ କାଳ ଚଣ୍ଡିଖୋଲ ଭୂତଳ ତୈଳ ସଂରକ୍ଷଣ ପ୍ରକଳ୍ପକୁ ପକାଇ ରଖିଥିଲ କାହିଁକି : ଭକ୍ତ

ଭୁବନେଶ୍ବର,୧୭/୫ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଶୁକ୍ରବାର ୟୁଏଇ ଗସ୍ତ ସମୟରେ ସ୍ୱାକ୍ଷରିତ ହୋଇଥିବା ପ୍ରମୁଖ ଚୁକ୍ତିନାମା ମଧ୍ୟରେ ଓଡ଼ିଶାର ଚଣ୍ଡିଖୋଲଠାରେ ପ୍ରସ୍ତାବିତ ରଣନୈତିକ ତୈଳ ସଂରକ୍ଷଣ ସୁବିଧା ସ୍ଥାନ ପାଇଛି । ଏହା କାର୍ଯ୍ୟକାରୀ ହେଲେ ଭାରତର ଶକ୍ତି ସୁରକ୍ଷାକୁ ସୁଦୃଢ଼ କରିବ ବୋଲି କୁହାଯାଇଛି । ଇଣ୍ଡିଆନ୍ ଷ୍ଟ୍ରାଟେଜିକ୍ ପେଟ୍ରୋଲିୟମ୍ ରିଜର୍ଭସ୍ ଲିମିଟେଡ୍ (ISPRL) ଏବଂ ଆବୁଧାବି ନ୍ୟାସନାଲ୍ ଅଏଲ୍ କମ୍ପାନୀ (ADNOC) ମଧ୍ୟରେ ଏକ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି। ଏହି ବୁଝାମଣାପତ୍ର ଭାରତର ପେଟ୍ରୋଲିୟମ୍ ରିଜର୍ଭରେ ୩୦ନିୟୁତ ବ୍ୟାରେଲ ପର୍ଯ୍ୟନ୍ତ ADNOC ଅଶୋଧିତ ତୈଳ ସଂରକ୍ଷଣ କରାଯିବ ବୋଲି କୁହାଯାଇଛି। ଏହି ପ୍ରକଳ୍ପ କାର୍ଯ୍ୟକାରୀ କରାଗଲେ ଭାରତର ଅଶୋଧିତ ତୈଳ ସଂରକ୍ଷଣ କ୍ଷମତା ବୃଦ୍ଧି ପାଇବା ସହ ଏଠାରେ ୫,୦୦୦ରୁ ଅଧିକ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ନିଯୁକ୍ତି ସୃଷ୍ଟି କରିବ ଏବଂ ସ୍ଥାନୀୟ ଆର୍ଥିକ କାର୍ଯ୍ୟକଳାପକୁ ପ୍ରୋତ୍ସାହିତ କରିବ ବୋଲି କୁହାଯାଇଛି।

ତେବେ ଏହି ପ୍ରକଳ୍ପ କାର୍ଯ୍ୟକାରିତାର ଅନେକ ଦିଗକୁ ନେଇ ଓଡିଶା କଂଗ୍ରେସ ପକ୍ଷରୁ ପ୍ରଶ୍ନ କରାଯାଇଛି । ପ୍ରଦେଶ କଂଗ୍ରେସ ସଭାପତି ଭକ୍ତ ଚରଣ ଦାସ ଏକ ପ୍ରେସ ବିବୃତିରେ କହିଛନ୍ତି ଯେ, ଯାଜପୁର ଜିଲ୍ଲାର ଚଣ୍ଡିଖୋଲଠାରେ ଏହି ଭୂତଳ ତୈଳ ସଂରକ୍ଷଣ ପ୍ରକଳ୍ପକୁ ୨୦୧୮ ମସିହା ଜୁନ ମାସ ୨୭ତାରିଖରେ କେନ୍ଦ୍ର କ୍ୟାବିନେଟ ଦ୍ୱାରା ୮,୭୪୩କୋଟି ଟଙ୍କାର ଏହି ପ୍ରକଳ୍ପକୁ ଅନୁମୋଦନ କରାଯାଇଥିଲା ଏବଂ ଏଠାରୁ ୪ନିୟୁତ ମେଟ୍ରିକ୍ ଟନ୍ ଭୂତଳ ଅଶୋଧିତ ତୈଳ ସଂରକ୍ଷଣ କ୍ଷମତା ସୃଷ୍ଟି କରିବାର ଲକ୍ଷ୍ୟ ରଖାଯାଇଥିଲା। ଏହାକୁ ଆଜି ସୁଦ୍ଧା ୮ ବର୍ଷ କାଳ କ’ଣ ପାଇଁ କାର୍ଯ୍ୟକାରୀ କରାଯାଇ ନଥିଲା ବୋଲି ଶ୍ରୀ ଦାସ ପ୍ରଶ୍ନ କରିଛନ୍ତି। ପ୍ରଥମତଃ, ଊକ୍ତ ପ୍ରକଳ୍ପକୁ ଗତ ୨୦୧୪ମସିହାରେ SPR କାର୍ଯ୍ୟକ୍ରମର ପର୍ଯ୍ୟାୟ ୨ ସମ୍ପ୍ରସାରଣର ଅଂଶ ଭାବରେ ୨୦୧୭ ରେ ଚଣ୍ଡିଖୋଲଠାରେ ପ୍ରକଳ୍ପ ନିର୍ମାଣ କରିବାକୁ ଘୋଷଣା କରାଯାଇଥିଲା । ଏହି ପ୍ରକଳ୍ପ ପାଇଁ ରାଜ୍ୟ ସରକାର ପୂର୍ବରୁ ଡଙ୍କାରୀ ପାହାଡ଼ ଅଞ୍ଚଳରେ ପ୍ରାୟ ୪୦୦ଏକର ଜମି ଆବଣ୍ଟନ କରିସାରିଛନ୍ତି । ଏଠାରେ ଜମି ମାଲିକମାନଙ୍କୁ ବର୍ତ୍ତମାନ ସୁଦ୍ଧା ସଠିକ ଭାବେ କ୍ଷତିପୂରଣ ରାଶି ପ୍ରଦାନ କରାଯାଇନଥିବାରୁ ଏଥିଲାଗି ଜନ ଅସନ୍ତୋଷ ଲାଗି ରହିଛି। ସେ ପଟେ ଏହି ପ୍ରକଲ୍ପକୁ କାହିଁକି ଏତେ ବିଳମ୍ବ ପର୍ଯ୍ୟନ୍ତ କାହିଁକି ପକାଇ ରଖାଯାଇଥିଲା ବୋଲି ଶ୍ରୀ ଦାସ ପ୍ରଶ୍ନ କରିଛନ୍ତି। ୨୦୧୯ ମସିହା ନିର୍ବାଚନକୁ ଆଖି ଆଗରେ ରଖି ଏହି ପ୍ରକଳ୍ପକୁ କ୍ୟାବିନେଟ ଅନୁମୋଦନ କରିଥିଲା କି ବୋଲି ଶ୍ରୀ ଦାସ ପ୍ରଶ୍ନ କରିଛନ୍ତି।

ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ଦାସ କହିଛନ୍ତି ଯେ, ଯଦି ସେହି ସମୟରେ ଏହି ପ୍ରକଳ୍ପକୁ କାର୍ଯ୍ୟକରୀ କରାଯାଇଥାନ୍ତା, ଆଜି ରାଜ୍ୟରେ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ସହ ଓଡିଶାରେ ତୈଳ ସଙ୍କଟ ଦୂର ହୋଇ ପାରି ଥାନ୍ତା। କିନ୍ତୁ ଏହାକୁ ରାଜନୈତିକ ଅଭସନ୍ଧି ରଖି ଏହି ପ୍ରକଲ୍ପକୁ କାର୍ଯ୍ୟକାରୀ କରାଯାଇ ନଥିଲା। ଶ୍ରୀ ଦାସ ଦାବି କରିଛନ୍ତି, ଏହି ପ୍ରକଳ୍ପକୁ କାର୍ଯ୍ୟକାରୀ କରାଯିବା ପୂର୍ବରୁ ସ୍ଥାନୀୟ ଅଂଚଳରେ ପରିବେଶ ନିୟନ୍ତ୍ରଣ ପ୍ରତି ଆବଶ୍ୟକ ଧ୍ୟାନ ଦିଆଯିବା ସହ ସ୍ଥାନୀୟ କ୍ଷତିଗ୍ରସ୍ତ ଲୋକଙ୍କ ଜମିର ଉଚିତ ମୂଲ୍ୟ ପ୍ରଦାନ କରାଯାଉ। ଏଥିସହ ଏଠାରେ ପ୍ରକଳ୍ପ ସ୍ଥାପନ ହେଲେ ଏଠାରେ ଯେଉଁ ପରିବେଶ ପ୍ରଦୂଷଣ ହେବ ଏଥିପାଇଁ ସରକାର ଓ ପ୍ରକଳ୍ପ କର୍ତ୍ତୃପକ୍ଷ ପୂର୍ବରୁ ପ୍ରତିକାର କରିବା ଦରକାର। ପରିବେଶ ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ସରକାର କି କି ପଦକ୍ଷେପ ନେଇଛନ୍ତି ଓ ଆଗକୁ ନେବେ ଏ ନେଇ ସରକାର ଲୋକଙ୍କୁ ଅବଗତ କରାନ୍ତୁ ବୋଲି ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ଦାସ ଦାବି କରିଛନ୍ତି।