ଖୁବଶୀଘ୍ର ରାଜ୍ୟରେ ଖାଲି ପଡ଼ିଥିବା ବୋର୍ଡ ଓ ନିଗମ ନିଯୁକ୍ତି

ଖୁବଶୀଘ୍ର ରାଜ୍ୟରେ ଖାଲି ପଡ଼ିଥିବା ବୋର୍ଡ ଓ ନିଗମ ନିଯୁକ୍ତି

ଭୁବନେଶ୍ୱର,୧୭/୫ : ଖୁବଶୀଘ୍ର ରାଜ୍ୟରେ ଖାଲି ପଡ଼ିଥିବା ବିଭିନ୍ନ ବୋର୍ଡ ଓ ରାଜ୍ୟ ସରକାରୀ ଉଦ୍ୟୋଗ (ପିଏସୟୁ)ଗୁଡ଼ିକର ବିଭିନ୍ନ ପଦବି ପୂରଣ ହେବ । ରାଜ୍ୟର ବିଭିନ୍ନ ବୋର୍ଡର ସଭାପତି ଓ ନିଗମଗୁଡ଼ିକର ଅଧ୍ୟକ୍ଷ ପଦରେ ମଧ୍ୟ ନିଯୁକ୍ତି ମିଳିବ । ଏଥିରେ ନେତାଙ୍କୁ ଥଇଥାନ କରାଯିବ । ଏଥିପାଇଁ ରାଜ୍ୟ ସରକାରଙ୍କ ସମସ୍ତ ୪୪ଟି ସରକାରୀ ଉଦ୍ୟୋଗକୁ ତଥ୍ୟ ମଗାଯାଇଛି । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନଙ୍କ ଗସ୍ତ ଯୋଗୁ ନିଯୁକ୍ତି ନେଇ ବ୍ୟାପକ ସମ୍ଭାବନା ଦେଖାଦେଇଛି ଯାହାକୁ ନେଇ ଆଶାୟୀ ନେତାଙ୍କ ମଧ୍ୟରେ ଉତ୍ସାହ ପରିଲକ୍ଷିତ ହୋଇଛି ।

ସାଧାରଣ ପ୍ରଶାସନ ବିଭାଗ ଚଳିତ ମାସ ୮ ତାରିଖରେ ନିଗମ ଓ ବୋର୍ଡର ପଦବି ନେଇ ତଥ୍ୟ ଦେବାକୁ ରାଜ୍ୟ ସରକାରୀ ଉଦ୍ୟୋଗ ସଚିବଙ୍କୁ ଚିଠି ଲେଖିଛି । ରାଜ୍ୟରେ ନୂଆ ସରକାର ହେବାଠୁ ଏ ପର୍ଯ୍ୟନ୍ତ ଏହି ଉଦ୍ୟୋଗଗୁଡ଼ିକରେ କେତେ ନିଯୁକ୍ତି ହୋଇଛି, ତାହାର ବିସ୍ତୃତ ଭାବେ ତଥ୍ୟ ଦେବାକୁ ଚିଠିରେ ଉଲ୍ଲେଖ କରାଯାଇଛି । ବିଶେଷ କରି ୨୦୨୪ ଜୁନ୍ ୧୨ରୁ ୨୦୨୬ ଏପ୍ରିଲ ୩୦ତାରିଖ ମଧ୍ୟରେ କେଉଁ ପିଏସୟୁରେ କେତେ ଜଣଙ୍କୁ ନିଯୁକ୍ତି ଦିଆଯାଇଛି ଓ ଆଗାମୀ ଜୁନ୍ ୩୦ ତାରିଖ ସୁଦ୍ଧା କେଉଁ ସବୁ ପଦବିରେ ନିଯୁକ୍ତି ଦିଆଯିବ, ସେ ତଥ୍ୟ ଦେବାକୁ କୁହାଯାଇଛି ।