ଆଜିଠାରୁ ରତ୍ନଭଣ୍ଡାରର ଗଣତିମଣତି ଆରମ୍ଭ ; ଶ୍ରୀମନ୍ଦିରରେ ପ୍ରବେଶ କଲେ ଟିମ୍

ଆଜିଠାରୁ ରତ୍ନଭଣ୍ଡାରର ଗଣତିମଣତି ଆରମ୍ଭ ; ଶ୍ରୀମନ୍ଦିରରେ ପ୍ରବେଶ କଲେ ଟିମ୍

ଭୁବନେଶ୍ବର,୨୫/୩ : ଆଜିଠାରୁ ରତ୍ନଭଣ୍ଡାରର ଗଣତିମଣତି ଆରମ୍ଭ । ଏଥିପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ଦଳ ପ୍ରବେଶ କରିଛନ୍ତି ଉଲ୍ଲେଖ ଥାଉ କି ଅଳଙ୍କାର ଗଣତି ବେଳେ ଯେପରି ଦୈନନ୍ଦିନ ନୀତିକାନ୍ତି ଓ ଭକ୍ତଙ୍କ ଦର୍ଶନରେ ସମସ୍ୟା ନ ହୁଏ, ଏହାକୁ ଦୃଷ୍ଟିରେ ରଖି ଏସ୍‌ଓପି ପ୍ରସ୍ତୁତ ହୋଇଛି। ରତ୍ନଭଣ୍ଡାର ରତ୍ନ ଅଳଙ୍କାର ଗଣତି ପରେ ୧୯୭୮ ମସିହାର ତାଲିକା ସହ ମେଳକ କରାଯିବ। ମେଳକ ସହ ଏହାକୁ ଓଜନ କରାଯିବ। ଅଳଙ୍କାରକୁ ଚିହ୍ନଟ କରିବା ପାଇଁ ୨ ଜେମୋଲୋଜିଷ୍ଟ ନିୟୋଜିତ ହେବେ। ଅଳଙ୍କାରର ଡିଜିଟାଲ ଫଟୋଗ୍ରାଫି କରାଯିବ।

ଚିହ୍ନଟ, ଗଣତି ଓ ଓଜନ ପରେ ୨-୩ ପରସ୍ତ ଗୁଡ଼ାଇ ସିନ୍ଦୁକରେ ସୁରକ୍ଷିତ ରଖାଯିବ। ଏଥିପାଇଁ ୬ଟି ସିନ୍ଦୁକ ପ୍ରସ୍ତୁତ କରି ରଖାଯାଇଛି। ସୁନା ଅଳଙ୍କାର ହଳଦିଆ ରଙ୍ଗର କପଡ଼ା ଉପରେ ରଖି ବାକ୍ସରେ କ୍ରମାନ୍ବୟରେ ରଖିବା ପରେ ସିନ୍ଦୁକରେ ରଖାଯିବ। ରୁପା ଅଳଙ୍କାର ଧଳା ରଙ୍ଗର କନା ଉପରେ ଗଣତି ମଣତି କରାଯିବ। ଅନ୍ୟ ଅଳଙ୍କାର ନାଲି ରଙ୍ଗର କନା ଉପରେ ଗଣତିମଣତି କରାଯିବ। ଶ୍ରୀମନ୍ଦିର ବଣିଆ, ସରକାରୀ ବ୍ୟାଙ୍କର ବଣିଆ, ଜେମୋଲୋଜିଷ୍ଟ, ଆରବିଆଇ ଅଧିକାରୀମାନେ ଗଣନାରେ ସାମିଲ ହେବେ।

ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ.ଅରବିନ୍ଦ ପାଢ଼ୀ ଏହି ଗୁରୁତ୍ବପୂର୍ଣ୍ଣ ପ୍ରକ୍ରିୟା ସମ୍ପାଦନରେ ସମସ୍ତ ସେବକ, ନିୟୋଜିତ ଅଧିକାରୀ, ବ୍ୟକ୍ତିବିଶେଷ ତଥା ଭକ୍ତଗଣଙ୍କ ସହଯୋଗ କାମନା କରିଛନ୍ତି। ରତ୍ନଭଣ୍ଡାର ଗଣତି ମଣତି ବେଳେ ଶ୍ରୀବିଗ୍ରହଙ୍କ ନୀତି ସମ୍ପାଦନ ଅବ୍ୟାହତ ରହିବ। ସୁରକ୍ଷା ଦୃଷ୍ଟିରୁ ଭିତରକାଠରୁ ସର୍ବସାଧାରଣଙ୍କ ନିମନ୍ତେ ଦର୍ଶନ ବ୍ୟବସ୍ଥା ବନ୍ଦ ରହିବ। ଭକ୍ତମାନେ କେବଳ ବାହାର କାଠ ନିକଟରୁ ଦର୍ଶନ ସୁବିଧା ମିଳିବ।