ବଦଳୁଛି କି ଓଡ଼ିଆ ସିନେମାର ଧାରା ! ୬ରୁ ୬ ସିନେମା ହଲରେ ରାଜ୍ କରୁଛି

ବଦଳୁଛି କି ଓଡ଼ିଆ ସିନେମାର ଧାରା ! ୬ରୁ ୬ ସିନେମା ହଲରେ ରାଜ୍ କରୁଛି

ଭୁବନେଶ୍ବର,୧୯/୫ : ନା ସୁପରଷ୍ଟାର୍ ଅଛନ୍ତି ନା ରଜ କି ଦଶହରା । ୬ରୁ ୬ ଓଡ଼ିଆ ସିନେମା ହଲରେ ରାଜ୍ କରୁଛନ୍ତି । କଥାଟା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ଅଭିଯୋଗ, ଅଭିମାନରୁ ଦୂରେଇ ସଫଳତାର ସହ ଦର୍ଶକଙ୍କ ହୃଦୟ ଜିତୁଛି ଓଡ଼ିଆ ସିନେମା । ପୂର୍ବରୁ ଆମେ ହଲ୍ ନ ମିଳିବାର ଅଭିଯୋଗ ଶୁଣିଛେ । କିନ୍ତୁ ଏଥର ସିନେମା ହଲରେ ରାଜ୍ କରୁଛି ଓଡ଼ିଆ ସିନେମା । ସଦ୍ୟ ରିଲିଜ ହୋଇଥିବା ସିନେମା ଗୁଡ଼ିକ ଏବେ ସିନେମା ହଲରେ ଦର୍ଶକାଦୃତ ହେବାରେ ଲାଗିଛି । ଆସନ୍ତୁ ନଜର ପକାଇବା ରିଲିଜ ହୋଇଥିବା ସିନେମା ଉପରେ …

ମନ୍ତ୍ରମୁଗ୍ଧ : ଅନୁପମ ପଟ୍ଟନାୟକଙ୍କ ନିର୍ଦ୍ଦେଶିତ ବହୁଚର୍ଚ୍ଚିତ ଓଡ଼ିଆ ଚଳଚ୍ଚିତ୍ର ‘ମନ୍ତ୍ର ମୁଗ୍ଧ’ ବକ୍ସ ଅଫିସରେ ଧମାକା କରୁଛି । କେବଳ ଓଡ଼ିଶାରେ ନୁହେଁ, ରାଜ୍ୟ ବାହାରରେ ମଧ୍ୟ ଫିଲ୍ମଟି ଦର୍ଶକଙ୍କ ଭଲପାଇବା ଜିତିବାରେ ସଫଳ ହୋଇଛି । ମେ ୧ରେ ରିଲିଜ୍ ହୋଇଥିବା ଏହି ସିନେମା ୧୫ଦିନ ମଧ୍ୟରେ ୩କୋଟିରୁ ଅଧିକ ଆୟ କରି ନୂଆ ରେକର୍ଡ଼ ସୃଷ୍ଟି କରିଛି । ସୋସିଆଲ ମିଡ଼ିଆରେ ନିର୍ମାତା ଫିଲ୍ମର କଲେକ୍ସନ ସମ୍ପର୍କରେ ସୂଚନା ଦେଇଛନ୍ତି । ସେୟାର କରାଯାଇଥିବା ପୋଷ୍ଟର ଅନୁଯାୟୀ, ‘ମନ୍ତ୍ର ମୁଗ୍ଧ’ ରିଲିଜ୍‌ର ଦୁଇ ସପ୍ତାହ ମଧ୍ୟରେ ୩.୦୬କୋଟି ଟଙ୍କା ଆୟ କରିଛି । ଫିଲ୍ମଟି ଏବେ ତୃତୀୟ ସପ୍ତାହରେ ପ୍ରବେଶ କରିଥିବାବେଳେ ଦର୍ଶକଙ୍କ ଉତ୍ସାହ ଆହୁରି ବଢ଼ୁଥିବା ଦେଖିବାକୁ ମିଳିଛି । ପୋଷ୍ଟର ସହ ନିର୍ମାତା କ୍ୟାପସନରେ ଲେଖିଛନ୍ତି, “ଦୁଇ ସପ୍ତାହର ସମ୍ପୂର୍ଣ୍ଣ ମନୋରଞ୍ଜନ । ବକ୍ସ ଅଫିସରେ ୩.୦୬ କୋଟି ଟଙ୍କା ରୋଜଗାର କରିଛି ଏବଂ ପାଗଳାମି ଆହୁରି ବଢ଼ିବାରେ ଲାଗିଛି । ଏହି ଯାତ୍ରାକୁ ଅବିସ୍ମରଣୀୟ କରିଥିବା ସମସ୍ତ ପ୍ରେମ, ସମର୍ଥନ ଏବଂ ହାଉସଫୁଲ୍ ଭାଇବ୍ସ ପାଇଁ ଧନ୍ୟବାଦ ।” ସୋସିଆଲ ମିଡିଆରେ ଦର୍ଶକମାନେ ମଧ୍ୟ ଫିଲ୍ମକୁ ଭରପୂର ପ୍ରଶଂସା କରିଛନ୍ତି । କେହି ଫିଲ୍ମକୁ “ସୁପର ଡୁପର ହିଟ୍” ବୋଲି କହିଥିବା ବେଳେ ଆଉ କେହି ଏହାକୁ ବର୍ଷର ସବୁଠୁ ମନୋରଞ୍ଜନକାରୀ ଓଡ଼ିଆ ଫିଲ୍ମ ବୋଲି ମତ ଦେଇଛନ୍ତି ।

ମୁରବୀ : ମନ ଜିଣୁଛି ମେଣ୍ଟିସ୍ ଫିଲ୍ମସ୍ ନିବେଦିତ ଓଡ଼ିଆ ଚଳଚ୍ଚିତ୍ର ‘ମୁରବୀ’ । ଏପ୍ରିଲ ୧୪ରେ ମୁକ୍ତିଲାଭ ହୋଇଥିଲା ଏହି ସିନେମା । ଜାତୀୟ ପୁରସ୍କାର ବିଜେତା ବିଶାଲ ମୌର୍ଯ୍ୟ ଓ ଦେବୀ ପ୍ରସାଦ ଲେଙ୍କାଙ୍କ ପ୍ରଯୋଜନାରେ ଏହା ସେମାନଙ୍କର ପ୍ରଥମ ଫିଚର୍ ଫିଲ୍ମ । ପିନାକୀ ସିଂହ ଓ ଶିଶିର କୁମାର ସାହୁଙ୍କ ନିର୍ଦ୍ଦେଶନା ଫିଲ୍ମକୁ ଆହୁରି ମଜଭୂତ କରିଛି । ସହ-ପ୍ରଯୋଜକ ଭାବେ ଅଛତି ସୁମନ୍ତ ବୈରାଗୀ ଓ ଅଗ୍ନିମିତ୍ର ବେହେରା । ସଂଳାପ ଓ ଚିତ୍ରନାଟ୍ୟ ପି. ସନ୍ତୋଷ କୁମାରଙ୍କ ଦ୍ୱାରା ରଚିତ ହୋଇଥିବାବେଳେ ସଙ୍ଗୀତ ଦେଇଛନ୍ତି ଅଗ୍ନିମିତ୍ର ବେହେରା। ଫିଲ୍ମରେ କୁନା ତ୍ରିପାଠୀ, ଜୟପ୍ରକାଶ ଦାସ, ବିଜୟନୀ ମିଶ୍ର, ଅଙ୍କିତା ମହାନ୍ତି, ବି ଏମ୍ ବୈଶାଳୀ, ଉଦିତ ଗୁରୁ ଓ ପ୍ରସେନଜିତଙ୍କ ସମେତ ଅନେକ ପ୍ରତିଭାଶାଳୀ କଳାକାର ନିଜର ନିଖୁଣ ଅଭିନୟ ପ୍ରଦର୍ଶନ କରିଛନ୍ତି । ପୂରା ପରିବାର ଏକାଠି ବସି ଦେଖିବା ଭଳି ସିନେମାଟିଏ। ଯାହା ସବୁ ବର୍ଗର ଦର୍ଶକଙ୍କୁ ପସନ୍ଦ ଆସୁଛି ।

 

କାଙ୍ଗୁଲା : ଏପ୍ରିଲ ୨୪ରେ ମୁକ୍ତିଲାଭ କରିଥିବା ଫିଲ୍ମ ‘କାଙ୍ଗୁଲା’ ବକ୍ସ ଅଫିସ୍‌ରେ ଖୁବ୍‌ ଭଲ ବ୍ୟବସାୟ କରୁଛି । ସମ୍ବିତ ଆଚାର୍ଯ୍ୟ ଏ ଫିଲ୍ମର ମୁଖ୍ୟ ଚରିତ୍ରରେ ଅଭିନୟ କରିବା ସହିତ ପ୍ରଯୋଜକ ଅଛନ୍ତି । ଅନ୍ୟତମ ପ୍ରଯୋଜକ ଅଛନ୍ତି ଶୁଭେନ୍ଦୁ କୁମାର ମଲ୍ଲ । ନିର୍ଦ୍ଦେଶନା ଦେଇଛନ୍ତି ଅଶ୍ୱିନ ତ୍ରିପାଠୀ । ମୁଖ୍ୟ ନାୟିକା ଭାବେ ନଜର ଆସିଛନ୍ତି ସୂର୍ଯ୍ୟମୟୀ । ଅନୁଗୁଳ ଜିଲ୍ଲାର କାଙ୍ଗୁଲା ଗାଁର ଦଣ୍ଡନାଚ ଓ ସେହି ଗାଁରେ ରହୁଥି ବା ଦଣ୍ଡୁଆର ଜୀବନ କାହାଣୀ ଏ ଫିଲ୍ମରେ ଦେଖିବାକୁ ମିଳିଛି । ଏହି ଦଣ୍ଡୁଆ ଚରିତ୍ରରେ ଅଭିନୟ କରିଛନ୍ତି ସମ୍ବିତ । ସମ୍ବିତଙ୍କ କ୍ୟାରିୟରର ଏହା ସବୁଠୁ ସଫଳ ଫିଲ୍ମ, ଯାହା ବକ୍ସ ଅଫିସ୍‌ରେ ସଫଳ ବ୍ୟବସାୟ କରି ଚାଲିଛି । ଫିଲ୍ମରେ ସ୍ଥାନିତ ୪ଟି ଗୀତକୁ ଖୁବ୍ ପସନ୍ଦ କରୁଛନ୍ତି ଶ୍ରୋତା ଓ ଦର୍ଶକ । ଅନ୍ୟାନ୍ୟ ଚରିତ୍ରରେ ଅଭିନୟ କରିଛନ୍ତି ଅଭିଷେକ ଗିରି, ସୁଶାନ୍ତ ଦାସ ମହାପାତ୍ର, ଶ୍ରୀତମ ଦାସ, ଚେଣ୍ଟ, ପୁପିନ୍ଦର, ପ୍ରଦ୍ୟୁମ୍ନ ଲେଙ୍କା, ଡଲିଅପା ଓ ନଭପ୍ରୀତ । 

ମେହେରମୁଣ୍ଡା : ପରଦାକୁ ଆସିଛି ଓଡ଼ିଆ ସିନେମା ‘ମେହେର ମୁଣ୍ଡା’। ୨୬ଲକ୍ଷ ବୁଣାକାରଙ୍କ ଜୀବନ ଜୀବିକା ଓ ସଂଘର୍ଷକୁ ନେଇ ନିର୍ମିତ ହୋଇଛି ଓଡ଼ିଆ ଚଳଚ୍ଚିତ୍ର ‘ମେହେରମୁଣ୍ଡା’ । ଯେଉଁଥିରେ ରଙ୍ଗ ଓ ତନ୍ତ୍ରର ସୂକ୍ଷ୍ମତମ ଆବେଗ ପ୍ରତିଫଳିତ। ରାକେଶ ପାଢ଼ୀଙ୍କ ପ୍ରଯୋଜିତ ତଥା ନିକୁଞ୍ଜ ହୋତାଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରର ନାୟକ ଅଛନ୍ତି ଜ୍ୟୋତି ରଞ୍ଜନ ନାୟକ । ତାଙ୍କୁ ଏଥିରେ ଏକ ଭିନ୍ନ ଧରଣର ଚରିତ୍ରରେ ଦେଖିବାକୁ ମିଳିଛି । ବେଶ୍ କିଛିଦିନ ହେବ ଭିନ୍ନ ଭିନ୍ନ ଚରିତ୍ରରେ ଅଭିନୟ କରି ଜ୍ୟୋତି ଦର୍ଶକଙ୍କ ମନ ଛୁଇଁଥିବାବେଳେ ଏହା ତାଙ୍କ ଅଭିନୟ ଜୀବନର ଆଉ ଏକ ଶ୍ରେଷ୍ଠ ଚଳଚ୍ଚିତ୍ର ହେବ ବୋଲି କୁହାଯାଉଛି । ଏଥିରେ ଜ୍ୟୋତିଙ୍କ ବିପକ୍ଷରେ ନାୟିକା ଅଛନ୍ତି ଅର୍ଲିନ ଅଙ୍କିତା । ଅନ୍ୟାନ୍ୟ ପ୍ରମୁଖ ଚରିତ୍ରରେ ଅଛନ୍ତି ରାକେଶ କୁମାର ପାଢ଼ୀ ଓ ସୁଶାତ ଦାସ ମହାପାତ୍ର। 

ବିଦେହ : ମେ ୧୫ତାରିଖରେ ରିଲିଜ ହୋଇଛି ନୂଆ ଓଡ଼ିଆ ସିନେମା ‘ବିଦେହ’ । ଏଥିରେ ଜଣେ ୪୫ବର୍ଷୀୟ ଉଚ୍ଚ ମଧ୍ୟବିତ୍ତ ଗୃହିଣୀ ଭୂମିକାରେ ଅଛନ୍ତି କାଜଲ୍ । ତାଙ୍କ ଅଭିନୀତ ଚରିତ୍ର ହେଲା ଇତି । ଭୁବନେଶ୍ବରରେ ରହୁଥିଡବା ଇତିଙ୍କ ମନରେ ଲୁଚିଥୁବା ଭାବନା, ଅସ୍ଥିରତା, ମୁକ୍ତି, ଆକାଂକ୍ଷା ଓ ପ୍ରକୃତିର ନିର୍ମମ ସତ୍ୟର ଗୋଟେ ଗଭୀର ଅନୁଭବର କଥା କହୁଛି ଏହି ସିନେମା । ତାଙ୍କର ଆଉ ତିନି ଜଣ ଅନ୍ତରଙ୍ଗ ସାଙ୍ଗମାନଙ୍କ କାହାଣୀ ବି ରହିଛି । ଏହି ଫିଲ୍ମରେ ଦର୍ଶକ ତାଙ୍କୁ ଜଣାଶୁଣା ଅଭିନେତା ଗୌରବ ମହାନ୍ତିଙ୍କ ପତ୍ନୀ ଭୂମିକାରେ ଦେଖିବାକୁ ପାଉଛନ୍ତି । ଏହାଛଡ଼ା ସୁକାନ୍ତ ରଥ ବି ଏହି ସିନେମାରେ ଗୁରୁତ୍ବପୂର୍ଣ ଚରିତ୍ରରେ ନଜର ଆସୁଛନ୍ତି । ପାଖାପାଖି ୧୧ବର୍ଷ ପରେ ବଡ଼ ପରଦାକୁ ଫେରିଛନ୍ତି ନାୟିକା କାଜଲ ଶତପଥୀ । ବିୟତ ପ୍ରଜ୍ଞା ତ୍ରିପାଠୀ ଏହାର ନିର୍ଦ୍ଦେଶନା ଦେଇଛନ୍ତି। ଏହି ସିନେମା ଦର୍ଶକଙ୍କୁ ବେଶ୍ ପସନ୍ଦ ଆସୁଥିବା ଜଣାପଡ଼ିଛି ।

ଆଫା : ଭିନ୍ନ ସ୍ବାଦର ପାରିବାରିକ ଚଳଚ୍ଚିତ୍ର ‘ଆଫା’ । ଏକ ସାଧାରଣ ପରିବାରର ଅସାଧାରଣ କାହାଣୀକୁ ଚିତ୍ରିତ ହୋଇଛି ଓଡ଼ିଆ ଚଳଚ୍ଚିତ୍ର ‘ଆଫା -ଲାଇଫ୍ ଆପ୍ଟର୍ ଲାଇଫ୍'ରେ I ବାପା, ମା', ଜେଜେବାପା ଓ ଝିଅକୁ ନେଇ ଗଢ଼ା ଏହି ପରିବାରର କାହାଣୀକୁ ଦେଖିଲେ ପ୍ରତ୍ୟେକ ଦର୍ଶକଙ୍କୁ ଏହା ନିଜର କାହାଣୀ ବୋଲି ମନେ ହେଉଛି । ଜୀବନର ଏକ ଅପ୍ରତ୍ୟାଶିତ ମୋଡ଼ ଏବଂ ସମୟର ଚକ୍ରାନ୍ତକୁ ଏଥିରେ ନିଖୁଣ ଭାବେ ଚିତ୍ରଣ କରାଯାଇଛି । ଚଳଚ୍ଚିତ୍ରର ମୁଖ୍ୟ ଭୂମିକାରେ ସୁନାମଧନ୍ୟ ନିର୍ଦ୍ଦେଶକ ଅଶୋକ ପତିଙ୍କ ସୁକନ୍ୟା ଅନମୋଲ ପତି ନିଜର ଅଭିନୟ ଯାତ୍ରା ଆରମ୍ଭ କରିଛନ୍ତି। ଅନ୍ୟାନ୍ୟ ଭୂମିକାରେ କୁନା ତ୍ରିପାଠୀ, ପ୍ରୀତିରାଜ ଶତପଥୀ, ନୈନା ଦାଶ, ହର ରଥ, ସିଦ୍ଧାର୍ଥ ତିୱାରୀ ଏବଂ ଶିଶୁ କଳାକାର ମିଭାନ୍ ସିଦ୍ଧାର୍ଥ ତିୱାରୀଙ୍କ ସମେତ ବହୁ ନାମୀ କଳାକାର ଅଭିନୟ କରିଛନ୍ତି । ପ୍ରୀତିରାଜ ଶତପାଥୀ ଓ ନୈନା ଦାଶ ତିୱାରୀଙ୍କ ପ୍ରଯୋଜିତ ଏହି ଚଳଚ୍ଚିତ୍ରକୁ ପ୍ରୀତିରାଜ ଶତପଥୀଙ୍କ ନିର୍ଦ୍ଦେଶନାରେ ସହ-ନିର୍ଦ୍ଦେଶନା ଦେଇଛନ୍ତି ରାଜେଶ କୁମାର ବାରିକ ଓ କ୍ରିଷ୍ଣା। ଚଳଚ୍ଚିତ୍ରର ସଂଳାପ ରଚନା କରିଛନ୍ତି ଅଭିନେତା କୁନା ତ୍ରିପାଠୀ । ‘ଆଫା' ତେଲୁଗୁ ଭାଷାରେ ରିମେକ୍ ହେବ ।