ସମୟ.....

ସମୟ.....

ତିନୋଟି ଅକ୍ଷରର ସମାହାର କିନ୍ତୁ ମୂଲ୍ୟବୋଧ ଖୁବ୍ ଅଧିକ। ଯଦି ମହତ୍ତ୍ୱକୁ ବୁଝି କାର୍ଯ୍ୟ କରାନଯାଏ, ବହି ଯାଉଥିବା ପାଣିକୁ ଯେମିତି ଅଟକାଇ ପାରି ହୁଏନା, ସେମିତି ହାତରୁ ଚାଲି ଯାଇଥିବା ସମୟକୁ ନା ଧରି ହୁଏ, ନା ପୁନର୍ବାର ଖୋଜିଲେ ବି ପାଇ ହୁଏ।

 ଭଗବାନଙ୍କ ସୃଷ୍ଟିକୁ ଯଦି କିଏ ବଞ୍ଚାଇ ରଖିପାରିଛି, ସେ ହେଉଛି କେବଳ ମଣିଷ। ତାର ଉପଯୁକ୍ତ କର୍ମ ଏ ସୃଷ୍ଟିକୁ ଆଗକୁ ନେଇଥାଏ। ସମୟ ଥିଲା ଯେତେବେଳେ ପରସ୍ପର ଭିତରେ ସ୍ନେହ, ମମତାର ବନ୍ଧନ ଏକ ସୂତ୍ରରେ ସମସ୍ତଙ୍କୁ ବାନ୍ଧି ରଖିଥିଲା। ସବୁରି ହୃଦୟରେ ଦୟା, କ୍ଷମା ଓ ସହନଶୀଳତାର ମନୋଭାବ ପରିପୂର୍ଣ୍ଣ ହୋଇ ରହିଥିଲା। କିନ୍ତୁ ବର୍ତ୍ତମାନ ଆମେ ଏତେ ମାତ୍ରାରେ ଆସୁରିକ ପ୍ରବୃତ୍ତିର ହୋଇଯାଇଛେ ଗଣମାଧ୍ୟମର ପ୍ରତିଟି ପୃଷ୍ଠାକୁ ଓଲଟାଇଲା ବେଳକୁ କେବଳ ଲୋମହର୍ଷଣକାରୀ ଘଟଣା ଦେଖିବାକୁ ମିଳୁଛି। ବାପା, ମାଆଙ୍କ ପାଖରେ ସନ୍ତାନମାନଙ୍କର କୌଣସି ମୂଲ୍ୟ ନାହିଁ ଏବଂ ସନ୍ତାନ ପାଖରେ ମା, ବାପାଙ୍କର। ଭାଇ ଭାଇ ଓ ଭାଇ, ଭାଉଣି ଭିତରେ ରହିଥିବା ସ୍ନେହ, ମମତାର ବନ୍ଧନ ମଧ୍ୟରେ ଦେଖିବାକୁ ମିଳୁଛି ସ୍ୱାର୍ଥପରତାର ପରିଭାଷା। ପରିବାର ଠାରୁ ଦୂରରେ ରହିବା ପାଇଁ ଏବଂ ନିଜର ପିଲାମାନଙ୍କୁ ଦୂରେଇ ରଖିବା ପାଇଁ ପୁଅ, ବୋହୂମାନେ ଅନେକ ବାହାନା ଦେଖାଇବାକୁ ପଛଘୁଞ୍ଚା ଦେଉନାହାନ୍ତି। ଆଜିର ଦୁନିଆରେ ଆମେ ପଇସା ପଛରେ ଏତେ ମାତ୍ରାରେ ଦୌଡୁଛେ, ସଂପର୍କ ଦୂରର କଥା, ପଦଟିଏ ଭଲମନ୍ଦ ବୁଝିବା ପାଇଁ ଯେମିତି କାହା ପାଖରେ ସମୟ ନାହିଁ। ଯେଉଁ ମଣିଷମାନଙ୍କର ସୃଷ୍ଟି ଏ ସଂସାରକୁ ସୁରକ୍ଷା ଦେବା, ସେମାନେ ଆଜି ତାର ଭକ୍ଷକ ସାଜିଛନ୍ତି। ରାଜରାସ୍ତାରେ ସର୍ବସମ୍ମୁଖରେ ମଣିଷ ମଣିଷକୁ ମାରି ଫୋପାଡ଼ି ଦେଉଛି। ସୂର୍ଯ୍ୟୋଦୟ ଠାରୁ ଆରମ୍ଭକରି ସୂର୍ଯ୍ୟାସ୍ତ ପର୍ଯ୍ୟନ୍ତ, ପ୍ରତିଟି ସକାଳ ଓ ରାତି ହୋଇଚାଲିଛି କଳଙ୍କିତ, ହେଲେ ପରିବର୍ତ୍ତନର ସମ୍ଭାବନା କେଉଁଠି ନାହିଁ। ଗାଁରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ଅଶାନ୍ତ ପରିବେଶ ଏବଂ ଅଧର୍ଯ୍ୟ ମନୋବୃତ୍ତିକୁ ନେଇ ପ୍ରତିକ୍ଷଣ ବଞ୍ଚିବାକୁ ପଡୁଛି ଭୟ ଓ ଆଶଙ୍କା ଭିତରେ।

ଯଦି ଏସବୁ ଭିତରେ ଆମେ ନିଜେ ନିଜକୁ ପ୍ରଶ୍ନ କରିବା, ଏ ସବୁ ପାଇଁ ଦାୟୀ କିଏ? ସମୟ ନା ସ୍ୱୟଂ ଆମେସମୟ ଶିଖାଇ ଥାଏ ନୂତନତା, ସମୟ ଦେଖାଇ ଥାଏ ଆଗକୁ ବଢ଼ିବାର ରାସ୍ତା, ସମୟ କହିଥାଏ ବେଳ ଥାଉ ଥାଉ ପ୍ରତିଟି କାର୍ଯ୍ୟକୁ ସୁଚାରୁ ରୁପେ ପାଳନ କରିବାକୁ। ତେଣୁ ସମୟ ଥାଉ ଥାଉ ଆମକୁ ପରିବର୍ତ୍ତନ ହେବାକୁ ପଡିବ, ନଚେତ୍ ସମୟର କରାଳ ସ୍ରୋତରେ ଭାସି ଯାଇ କେଉଁଠି ପହଞ୍ଚିବାକୁ ପଡିବ, ନିଜକୁ ବଞ୍ଚାଇବାକୁ ନା ଥିବ କୂଳ ନା କୀନାରା। ଆମେ ନିଜକୁ ଯେତେ ଶକ୍ତିଶାଳୀ ଭାବିଲେ ମଧ୍ୟ ସମୟ ଆମଠାରୁ ମହାଶକ୍ତିଶାଳୀ ହୋଇ  ଯେତେବେଳେ ଧ୍ବଂସାଭିମୁଖୀ ଆଡ଼କୁ ଆମକୁ ନେବ କେହିବି ଅଟକାଇ ପାରିବେ ନାହିଁ।

ସଂଯୁକ୍ତା ଦାଶ

ଭୁବନେଶ୍ବର