ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆରେ ତାଣ୍ଡବ ରଚିଲା ଘୂର୍ଣ୍ଣିଝଡ଼ ; ଭାଙ୍ଗିଲା ୭୦ଘର, ଜଣେ ମୃତ
ବାରିପଦା, ୧୫/୩ : ମୟୂରଭଞ୍ଜ ଜିଲ୍ଲାର କରଞ୍ଜିଆ ତାଟୋ ନିକଟସ୍ଥ କିଆ ଗାଁରେ ଘୂର୍ଣ୍ଣିଝଡ଼ରେ ଅଘଟଣ ଘଟିଛି। ରବିବାର ଅପରାହ୍ନ ପ୍ରାୟ ୩ଟା ୩୦ମିନିଟରେ ହଠାତ୍ ପବନରେ ଉଡ଼ିଲା ଖପର ଘର । ୭୦ରୁ ଊର୍ଦ୍ଧ୍ବ ଘର କ୍ଷତିଗ୍ରସ୍ତ ହୋଇଛି । ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୧୦ରୁ ଊର୍ଦ୍ଧ୍ବ ଆହତ ହୋଇଥିବା ସୂଚନା ମିଳିଛି ।
ଭୟଙ୍କର ପବନରେ ଉପୁଡ଼ିଲା ବିଦ୍ୟୁତ ଖୁଣ୍ଟ ଓ ବଡ଼ ବଡ଼ ଗଛ । ରାସ୍ତାରେ ଯାଉଥିବା ଗାଡ଼ିଗୁଡ଼ିକ ବି ପବନରେ ଫିଙ୍ଗି ହୋଇ ପଡ଼ିଲା। ଏହି ଘୁର୍ଣ୍ଣି ଝଡ ଆସି ପ୍ରାୟ ୩୦ମିନିଟ୍ ଧରି ତାଣ୍ଡବ ରଚି ଚାଲିଥିଲା। ତିବ୍ର ପବନ ଯୋଗୁଁ ଅନେକ ଘରର ଛାତ ଉଡ଼ିଯାଇଥିବା ସହ ଅନେକ ଲୋକ ଗୁରୁତର ହୋଇଥିବା ଜଣାପଡ଼ିଛି । ଘୁର୍ଣ୍ଣି ଝଡ଼ର ପ୍ରଭାବରେ ଗୋଟିଏ ଅଟୋକୁ ମଧ୍ୟ ପବନ ଉଡ଼ାଇ ନେଇ ନିକଟସ୍ଥ ପୋଖରୀରେ ପକେଇ ଦେଇଥିବା କୁହାଯାଉଛି ।
ଆହତ ଲୋକମାନଙ୍କୁ ଉଦ୍ଧାର କରି କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟକୁ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । ତେବେ ଖବର ସଂଗ୍ରହ ସୁଦ୍ଧା ଗୁରୁତରଙ୍କ ସଂଖ୍ୟା ଅସ୍ପଷ୍ଟ ରହିଥିବାବେଳେ ଏବେ ବି ଉଦ୍ଧାର କାର୍ଯ୍ୟ ଚାଲିଛି । ଘଟଣାସ୍ଥଳରେ ଅଗ୍ନିଶମବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଚାଲୁ ରଖିଥିବା ସୂଚନା ମିଳିଛି । ଘଟଣାର ଖବରପାଇ କରଞ୍ଜିଆ ଉପଜିଲ୍ଲାପାଳ କସ୍ତୁରୀ ପଣ୍ଡା ଅନୁଧ୍ୟାନ କରିବାକୁ ଚିକିତ୍ସାଳୟରେ ପହଞ୍ଚିଛନ୍ତି। ଜଣେ ଆହତଙ୍କ ମୃତ୍ୟୁ ନେଇ କରଞ୍ଜିଆ ଏସଡିପିଓ ସୂଚନା ଦେଇଛନ୍ତି ।

Editor 


