ସ୍କାଉଟ୍ ଗାଇଡ଼୍‌ର ପ୍ରତିଷ୍ଠା ଦିବସ ପାଳିତ

ସ୍କାଉଟ୍ ଗାଇଡ଼୍‌ର ପ୍ରତିଷ୍ଠା ଦିବସ ପାଳିତ

ଭୁବନେଶ୍ବର,୭/୧୧ : ନଭେମ୍ବର ମାସ ୭ ତାରିଖ ଭାରତ ସ୍କାଉଟସ୍ ଓ ଗାଇଡ଼ସ୍‌ର ପ୍ରତିଷ୍ଠା ଦିବସ ରୂପେ ପ୍ରତିବର୍ଷ ପାଳିତ ହୋଇଆସୁଛି । ବିଶେଷ କରି ଚଳିତ ବର୍ଷ ୭୫ବର୍ଷ ପୂର୍ତ୍ତି ଉପଲକ୍ଷେ ସାରା ବିଶ୍ୱରେ ଆନନ୍ଦ ଉଲ୍ଲାସରେ ଏହି ପ୍ରତିଷ୍ଠା ଦିବସଟିକୁ ପାଳିତ ହେବା ସହ ଏହି ଦିବସଟିକୁ ସ୍ମରଣୀୟ କରିବା ପାଇଁ ରାଜ୍ୟର ସବୁ ଜିଲ୍ଲାରେ ପ୍ରାୟ ଏକ ଲକ୍ଷରୁ ଊର୍ଦ୍ଧ୍ୱ କବ୍‌, ବୁଲ୍‌ବୁଲ୍‌, ସ୍କାଉଟ ଗାଇଡ୍‌, ରୋଭର ଏବଂ ରେଞ୍ଜରମାନେ ରାଜରାସ୍ତାରେ ସଚେତନତା ରାଲି କରିବା ସହିତ ସ୍କାଉଟ ଏବଂ ଗାଇଡ୍‌ର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ସ୍ୱତନ୍ତ୍ର ଭାବେ ତିଆରି ହୋଇଥିବା ଲୋଗୋଟିକୁ ସମସ୍ତଙ୍କୁ ପ୍ରଦାନ କରିଥିଲେ ।

ସେହିପରି ରାଜ୍ୟ କାର୍ଯ୍ୟାଳୟରେ ବିଭିନ୍ନ ଜିଲ୍ଲାରୁ ୪୦୦ରୁ ଊର୍ଦ୍ଧ୍ୱ ସ୍କାଉଟ, ଗାଇଡ୍‌, ରୋଭର, ରେଞ୍ଜରମାନେ ସକାଳୁ ରାଜ୍ୟ କାର୍ଯ୍ୟାଳୟରୁ ବାହାରି ରାମ ମନ୍ଦିର ପାଶ୍ୱର୍ ଦେଇ ଏକ ସଚେତନତା ରାଲି କରି ଏହି ଦିବସଟିକୁ ମହାସମାରୋହରେ ପାଳନ କରିଛନ୍ତି । ଏହି ଅବସରରେ ସ୍କାଉଟ ଗାଇଡ୍‌ମାନେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝି ଏବଂ ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ କନକ ବର୍ଦ୍ଧନ ସିଂହଦେଓଙ୍କ ସମେତ ବିଭାଗୀୟ ଉଚ୍ଚ ପଦସ୍ଥ ଅଧିକାରୀମାନଙ୍କ ନିକଟକୁ ଯାଇ ଦିବସର ପ୍ରତୀକ ପତାକା ଲଗାଇ ସଂଗଠନର ବାର୍ତ୍ତା ପ୍ରଚାର କରିଛନ୍ତି ।

ଅପରାହ୍ନରେ ରାଜ୍ୟ ମୁଖ୍ୟ କମିଶନର ଡଃ. କାଳିପ୍ରସାଦ ମିଶ୍ରଙ୍କ ଉପସ୍ଥିତିରେ ପିଲାମାନଙ୍କ ମଧ୍ୟରେ ଏକ ଦଳଗତ ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଶେଷରେ ରାଜ୍ୟ ମୁଖ୍ୟ କମିଶନର ଡଃ. ମିଶ୍ରଙ୍କ ଦ୍ୱାରା କୃତୀ ପ୍ରତିଯୋଗୀମାନଙ୍କୁ ମାନପତ୍ର ସହ ଫଳକ ପ୍ରଦାନ କରାଯାଇଥିଲା ।