ସମ୍ବଲପୁର ବଡ଼ବଜାରସ୍ଥିତ ବିବେକାନନ୍ଦ ଶିକ୍ଷାକେନ୍ଦ୍ରରେ ୭୮ତମ ସ୍ବାଧୀନତା ଦିବସ ପାଳିତ

ସମ୍ବଲପୁର ପ୍ରତିନିଧି(ଅଭ୍ୟର୍ଥନା ରଣା), ୧୫/୮ : ସମ୍ବଲପୁର ମହାନଗର ବଡ଼ବଜାରସ୍ଥିତ ବିବେକାନନ୍ଦ ଶିକ୍ଷାକେନ୍ଦ୍ର ଠାରେ ଆଜି ଦେଶର ୭୮ତମ ସ୍ବାଧୀନତା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ଶିକ୍ଷାକେନ୍ଦ୍ରର ଅଧ୍ୟକ୍ଷା ଶ୍ରୀମତୀ ବବିତା ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ରାଷ୍ଟ୍ରୀୟ ସମାରୋହରେ ବିଶିଷ୍ଟ ସମାଜସେବୀ ସଂସ୍କୃତିରତ୍ନ କାର୍ତ୍ତିକ ପ୍ରସାଦ ବହିଦାର ମୁଖ୍ୟଅତିଥି ଭାବରେ ଯୋଗଦାନ କରି ଜାତୀୟ ପତାକା ଉତ୍ତୋଳନ କରିଥିଲେ । ପରେ ସାମୁହିକ ଜାତୀୟ ସଙ୍ଗୀତ ଗାନ କରା ଯାଇଥିଲା । ସମସ୍ତଙ୍କ ଦ୍ୱାରା ଭାରତମାତା ଓ ମୁକ୍ତି ସଂଗ୍ରାମୀ ବରପୁତ୍ରମାନଙ୍କ ଜୟଗାନ କରାଯିବା ସହ ସ୍ୱାଧୀନତା ସଂଗ୍ରାମୀଙ୍କ ସ୍ମୃତି ଚାରଣ କରାଯାଇଥିଲା l
ସମାରୋହରେ ସମବେତ ଶିକ୍ଷାକେନ୍ଦ୍ରର ଛାତ୍ରଛାତ୍ରୀ, ସେମାନଙ୍କ ଅଭିଭାବକ, ଶିକ୍ଷକ ଶିକ୍ଷୟିତ୍ରୀ, ସହରର ଗଣ୍ୟମାନ୍ୟ ବୁଦ୍ଧିଜୀବି ଭଦ୍ରବ୍ୟକ୍ତି ଭଦ୍ରମହିଳାଙ୍କୁ ଉଦବୋଧନ ଦେଇ ମୁଖ୍ୟଅତିଥି ସଂସ୍କୃତିରତ୍ନ କାର୍ତ୍ତିକ ପ୍ରସାଦ ବହିଦାର କହିଲେ ଯେ - ୨୦୪୭ ସୁଦ୍ଧା ଭାରତବର୍ଷକୁ ଏକ ବିକଶିତ ରାଷ୍ଟ୍ରରେ ପରିଣତ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି । ତେଣୁ, ଛାତ୍ରଛାତ୍ରୀ ଆବାଳ ବୃଦ୍ଧ ବନୀତା ସମସ୍ତେ ମନ ବଚନ ଓ କର୍ମରେ ଆଗାମୀ ୨୩ବର୍ଷ ନିଜ ପୁରୁଷାର୍ଥ ଦ୍ୱାରା ଏହି ମହାନ୍ ଲକ୍ଷ୍ୟ ପ୍ରାପ୍ତି ପାଇଁ ଆପ୍ରାଣ ଉଦ୍ୟମ କରିବା ଉଚିତ l ତେବେଯାଇ ଆମର ପୂର୍ବପୁରୁଷ ସ୍ବାଧୀନତା ସଂଗ୍ରାମୀ ମୁକ୍ତି ସଂଗ୍ରାମୀମାନଙ୍କର ଅସମ୍ପୂର୍ଣ୍ଣ ସ୍ବପ୍ନକୁ ଆମ୍ଭେ ଦାୟାଦମାନେ ସାକାର କରି ପାରିବା l
ଏହି ପବିତ୍ର ପର୍ବ ଅବସରରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ପ୍ରସ୍ତୁତ ଏକ ଫଟୋଚିତ୍ର ପ୍ରଦର୍ଶନୀକୁ ମୁଖ୍ୟ ଅତିଥି ଶ୍ରୀଯୁକ୍ତ କାର୍ତ୍ତିକ ପ୍ରସାଦ ବହିଦାର ଉଦଘାଟନ କରିଥିଲେ । ଶିକ୍ଷାକେନ୍ଦ୍ରର ଶିକ୍ଷୟିତ୍ରୀ ସୁଶ୍ରୀ ତୃପ୍ତି ମାଝୀ ଓ ସୁଶ୍ରୀ ସୁଜ୍ଞାନୀ ମାହାଣା ଙ୍କ ପରିଚାଳନାରେ ଦେଶାତ୍ମବୋଧକ ସଂଗୀତରେ ଛାତ୍ରଛାତ୍ରୀ ମାନେ ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ଏହି ଅବସରରେ କେତେକ ଛାତ୍ରଛାତ୍ରୀ ଭାରତୀୟ ସୈନିକ ବେଶରେ, ଭାରତମାତା ବେଶରେ ଏବଂ ବୀରବେଶରେ ସୁସଜ୍ଜିତ ହୋଇ ଅଂଶଗ୍ରହଣ କରିଥିଲେ l