ନିଖୋଜର ୨ ମାସ ପରେ କଙ୍କାଳ ଉଦ୍ଧାର କଲା ପୋଲିସ
ଖୁଣ୍ଟା,୭/୯ : ନିଖୋଜ ହେବାର ୨ମାସ ପରେ ଜଙ୍ଗଲରୁ ଜଣେ ବ୍ୟକ୍ତିଙ୍କ କଙ୍କାଳ ଉଦ୍ଧାର । ଏଭଳି ଘଟଣା ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲ୍ଲା ଖୁଣ୍ଟା ଥାନା ଅଧିନରେ । ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।
ସୂଚନା ଅନୁଯାୟୀ, ଉକ୍ତ ଥାନା ତଥା ଡ଼ୁକୁରା ଫାଣ୍ଡି ଅଧିନ ମହାଲିବସା ଗ୍ରାମର ଟେମ୍ପା ମାଙ୍କଡ଼ିଆ ଗତ ୨ମାସ ପୂର୍ବେ ନିଖୋଜ ହୋଇଯାଇଥିବା ନେଇ ପରିବାରବର୍ଗଙ୍କ ପକ୍ଷରୁ ଡ଼ୁକୁରା ଫାଣ୍ଡିରେ ଅଭିଯୋଗ ହୋଇଥିଲା । ଏହାକୁ ଭିତ୍ତି କରି ସ୍ଥାନୀୟ ଥାନାରେ ଗତ ଜୁଲାଇ ୩ତାରିଖରେ ଏକ ନିଖୋଜ ମାମଲା ରୁଜୁ କରାଯାଇଥିଲା। ତେବେ ଶନିବାର ଅଗ୍ନୀକୁଆଁରୀ ଗ୍ରାମ ନିକଟରେ ଥିବା ଭାଲୁଡ଼ୁଙ୍ଗୁରି ପାହାଡ଼ ଭିତରୁ ଜଣେ ବ୍ୟକ୍ତିଙ୍କ କଙ୍କାଳ ପଡ଼ିଥିବା ଗ୍ରାମବାସୀ ଦେଖିବାକୁ ପାଇ ନିଖୋଜ ଥିବା ଟେମ୍ପା ମାଙ୍କଡ଼ିଆଙ୍କ ପରିବାରବର୍ଗ ଓ ପୋଲିସକୁ ସୁଚନା ଦେଇଥିଲେ ।
ସୁଚନାପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଥିବାବେଳେ କଙ୍କାଳ ନିକଟରେ ପଡ଼ିଥିବା ପ୍ୟାଣ୍ଟ ଓ ସାର୍ଟରୁ ମୃତକ ଜଣଙ୍କ ଟେମ୍ପା ବୋଲି ମୃତକଙ୍କ ପୁଅ ଚିହ୍ନଟ କରିଥିଲେ । ପରବର୍ତ୍ତି ସମୟରେ ପୋଲିସ ସଂପୃକ୍ତ କଙ୍କାଳଟିକୁ ଉଦ୍ଧାର କରିବା ସହ ପ୍ରାଥମିକ ତଦନ୍ତ ଜାରି ରଖିଥିଲା। ତେବେ କଙ୍କାଳ ଉଦ୍ଧାର ହେବା ନିର୍ଜନ ସ୍ଥାନରେ ଥିବା ଏକ ବରଗଛରେ ରସି ଝୁଲୁଥିବା ଦେଖିବାକୁ ମିଳିଥିବାବେଳେ ମୃତକ ଜଣକ ଆତ୍ମହତ୍ୟା କରିଥାଇ ପାରନ୍ତି ବୋଲି ପୋଲିସ ଅନୁମାନ କରୁଛି l ତେବେ ପୋଲିସ ପକ୍ଷରୁ ଜବତ କରାଯାଇଥିବା କଙ୍କାଳଟିକୁ ପରୀକ୍ଷା ପାଇଁ ପଠାଯିବାକୁ ଥିବାବେଳେ ରିପୋର୍ଟ ମିଳିବା ପରେ ହିଁ ମୃତ୍ୟୁର ସଠିକ୍ କାରଣ ଜଣାପଡିବ ବୋଲି ଡ଼ୁକୁରା ଫାଣ୍ଡି ଅଧିକାରୀ ସତ୍ୟନାରାୟଣ ପତି ପ୍ରକାଶ କରିଛନ୍ତି ।

Editor 


