ଚୋରି କରିବା ପଡ଼ିଲା ମହଙ୍ଗା ; ଗ୍ରାମବାସୀଙ୍କ ମାଡ଼ରେ ଚୋରର ମୃତ୍ୟୁ
ଖୁଣ୍ଟା,୧୯/୧୧ : ଚୋରି କରିବାକୁ ଆସିଥିଲେ । ଗ୍ରାମବାସୀଙ୍କଦ୍ୱାରା ଧରାପଡ଼ିଲେ । ଲୋକଙ୍କ ଆକ୍ରମଣରେ ମୃତ୍ୟୁ ହେଲା । ଏଭଳି ଏକ ଦୁଃଖଦ ଘଟଣା ଦେଖିବାକୁ ମୟୁରଭଞ୍ଜ ଜିଲ୍ଲା ଖୁଣ୍ଟା ବ୍ଲକ ଅଧିନ ଜାରାନଟା ଗ୍ରାମରେ ।
ଘଟଣାରୁ ପ୍ରକାଶ ଯେ , ମଙ୍ଗଳବାର ବିଳମ୍ବିତ ରାତିରେ ଉକ୍ତ ଥାନା ଅଧିନ ଜାରାନଟା ଗ୍ରାମର ଜନୈକ ବ୍ୟକ୍ତିଙ୍କ ଘରୁ ଚୋରି କରିବାକୁ ଖୁଣ୍ଟା ଥାନା ଅଧିନ ଦେଉଳା ଗ୍ରାମର ବାପି କହ୍ଲାର ଓ କାହ୍ନୁ ମଡ଼େଇ ପଶିଥିଲେ । ୨ଟି ଘରୁ ସିଲିଣ୍ଡର ଚୋରି କରି ବାହାରି ଆସୁଥିବାବେଳେ ଗ୍ରାମବାସୀଙ୍କ ହାବୁଡ଼ରେ ପଡ଼ିଥିଲେ ଉଭୟେ। ଯାହାକୁ ନେଇ ଉତ୍ୟକ୍ତ ହୋଇ ଗ୍ରାମବାସୀ ଉକ୍ତ ଚୋର ଦ୍ବୟଙ୍କୁ ଧରିବା ସହ ନିର୍ମମ ଭାବେ ମାଡ଼ ମାରିଥିଲେ । ଏହି ଆକ୍ରମଣରେ ଦୁଇ ଅଭିଯୁକ୍ତ ଗୁରୁତର ହୋଇ ପଡ଼ିଥିଲେ । ପରବର୍ତ୍ତି ସମୟରେ ଘଟଣା ସମ୍ପର୍କରେ ସୂଚନାପାଇ ଉଦଳା ପୋଲିସ ବିଳମ୍ବିତ ରାତିରେ ଘଟଣାସ୍ଥଳରେ ପହଞ୍ଚିବା ସହ ଉଭୟ ଅଭିଯୁକ୍ତଙ୍କୁ ଉଦ୍ଧାର କରିଥିଲା । ଗ୍ରାମବାସୀଙ୍କ ଆକ୍ରମଣରେ ଗୁରୁତର ଥିବାରୁ ଉଭୟଙ୍କୁ ଚିକିତ୍ସା ନିମନ୍ତେ ଉକ୍ତ ରାତ୍ରିରେ ଉଦଳା ମେଡ଼ିକାଲରେ ଭର୍ତ୍ତି କରିଥିଲେ।
ମାତ୍ର ଗ୍ରାମବାସୀଙ୍କ ମାଡ଼ରେ ଗୁରୁତର ଥିବା ବାପି ବିନ୍ଧାଣୀ ନାମକ ଜଣେ ଅଭିଯୁକ୍ତଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ଏଭଳି ଏକ ସମ୍ବେଦନଶୀଳ ଘଟଣାକୁ ନେଇ ପୋଲିସ ପକ୍ଷରୁ କେଶ ନମ୍ବର ୪୪୧ /୨୫ରେ ଏକ ମାମଲା ରୁଜୁ କରିବା ସହ ଘଟଣାର ଖୋଳତାଡ଼ ଆରମ୍ଭ କରିଛି । ଏହି ଆକ୍ରମଣ ଘଟଣାରେ ସଂପୃକ୍ତ ଥିବା ୧୦ରୁ ଅଧିକ ଗ୍ରାମବାସୀଙ୍କୁ ଉଠାଇ ଆଣି ପୋଲିସ ଅଧିକ ତଦନ୍ତ ଜାରି ରହିଥିବା ପୋଲିସ ପ୍ରକାଶ କରିଛି ।

Editor 


