ଡ୍ରାଇଭର ଚାକିରୀ ପାଇଁ ଆସି ଖାଇବାକୁ କହି ନେଇଗଲେ ଗାଡ଼ି, ନୟାଗଡ଼ରୁ ଗିରଫ କଲା ପୋଲିସ
ଭୁବନେଶ୍ବର,୨୯/୧୦ : ଡ୍ରାଇଭରକୁ ସାବଧାନ୍ । ଘରେ ଗାଡ଼ି ଚଳାଇବାକୁ ଡ୍ରାଇଭର୍ ରଖୁଥିଲେ ଭଲରେ ପରଖନ୍ତୁ ନହେଲେ ଅସୁବିଧାରେ ପଡ଼ିବେ । ଖାଇବାକୁ ଯିବାକୁ କହି ଗାଡ଼ି ନେଇଗଲେ ଡ୍ରାଇଭର । ଏଭଳି ଏକ ଘଟଣା ଘଟିଛି ରାଜଧାନୀର ଛାତି ଉପରେ । ଅଭିଯୋଗକାରୀଣି ମଞ୍ଜୁ ରାୟଙ୍କ ଲିଖିତ ଅଭିଯୋଗ ପରେ ଏୟାରଫିଲ୍ଡ ଥାନା ପୋଲିସ ଅଭିଯୁକ୍ତ ପ୍ରମୋଦ କୁମାର ଦାଶ(୪୨)କୁ ଗିରଫ କରି କୋର୍ଟ ଚାଲାଣ କରିଛି ।
ସୂଚନା ଅନୁସାରେ, ମଞ୍ଜୁ ରାୟ ନାମକ ଜଣେ ବରିଷ୍ଠ ନାଗରିକ ଏବଂ ସେ ବିରିବନ୍ଧ ଅଞ୍ଚଳରେ ରହିବା ସହ ଏକ ହଷ୍ଟେଲ ପରିଚାନଳନା କରୁଛନ୍ତି । ତାଙ୍କ ପାଖରେ ଥିବା ଏକ କାର୍ ଲାଗି ଡ୍ରାଇଭରର ଆବଶ୍ୟକତା ପଡ଼ିବାରୁ ସେ ଡ୍ରାଇଭର ଖୋଜିବା ପାଇଁ ଜଣାଶୁଣା ଲୋକଙ୍କୁ ଯୋଗାଯୋଗ କରିଥିଲେ । ଅଭିଯୋଗକାରିଣୀଙ୍କ ଆଭିମୁଖ୍ୟ ଅନୁସାରେ ତାଙ୍କର ପୂର୍ବ ପରିଚିତ ଟୁନା ପରିଡ଼ା ଅଭିଯୁକ୍ତ ଡ୍ରାଇଭରଙ୍କ ମୋବାଇଲ୍ ନମ୍ବର ଦେଇ ଯୋଗାଯୋଗ କରିବା ଲାଗି କହିଥିଲେ । ଟୁନା ପରିଡ଼ା ହେଉଛନ୍ତି ବରମୁଣ୍ଡାର ଏମ୍-ପାୱାର ସୁରକ୍ଷା ଏବଂ ପରାମର୍ଶଦାତା ସଂସ୍ଥାର କ୍ଷେତ୍ର ଅଧିକାରୀ, ଯିଏ ପୂର୍ବରୁ ଅଭିଯୋଗକାରିଣୀ ମଞ୍ଜୁ ରାୟଙ୍କୁ ସୁରକ୍ଷା ଗାର୍ଡ ଯୋଗାଇ ଦେଇଥିଲେ । ଅଭିଯୁକ୍ତ ଡ୍ରାଇଭର ପ୍ରମୋଦ କୁମାର ଦାଶଙ୍କୁ ଟୁନା ପରିଡ଼ା ପୂର୍ବରୁ ଚିହ୍ନିଥିଲେ, ଯେତେବେଳେ ସେ ପୁରୀ ବାଇ-ପାସ୍ ରୋଡ୍, ଶିଶୁପାଳଗଡ଼ରେ ଚାନ୍ସେଲର୍ ଗ୍ରାଣ୍ଡରେ ଡ୍ରାଇଭର ଭାବରେ କାମ କରୁଥିଲେ ଏବଂ ଟୁନା ପରିଡ଼ା ସେହି ସମୟରେ ଉକ୍ତ ହୋଟେଲକୁ ସୁରକ୍ଷା ଗାର୍ଡ ଯୋଗାଇଥିଲେ ।
ହଠାତ୍ ୨୮.୧୦.୨୦୨୫ ତାରିଖରେ ଅଭିଯୁକ୍ତ ଡ୍ରାଇଭର ପ୍ରମୋଦ କୁମାର ଦାଶ ଟୁନା ପରିଡାଙ୍କୁ ବରମୁଣ୍ଡାସ୍ଥିତ କାର୍ଯ୍ୟାଳୟରେ ସାକ୍ଷାତ କରି ତାଙ୍କୁ ଡ୍ରାଇଭର ଭାବରେ ଚାକିରି ଖୋଜିବାକୁ ଅନୁରୋଧ କରିଥିଲେ । ତେଣୁ ଟୁନା ପରିଡ଼ା ଅଭିଯୋଗକାରିଣୀଙ୍କ ମୋବାଇଲ୍ ନମ୍ବର ଅଭିଯୁକ୍ତ ଡ୍ରାଇଭରଙ୍କୁ ଦେଇଥିଲେ । ତା’ପରେ ଅଭିଯୁକ୍ତ ଡ୍ରାଇଭର ଅଭିଯୋଗକାରିଣୀଙ୍କ ସହିତ ଯୋଗାଯୋଗ କରି ୨୮.୧୦.୨୦୨୫ ଦିନ ମଧ୍ୟାହ୍ନରେ ବିରିବନ୍ଧସ୍ଥିତ ତାଙ୍କ ଘରେ ପହଞ୍ଚି ତାଙ୍କୁ ତାଙ୍କ କାରରେ ଆଣି କପିଳାପ୍ରସାଦ ସ୍ଥିତ ବ୍ୟାଙ୍କ ଅଫ୍ ଇଣ୍ଡିଆରେ ଛାଡ଼ିଥିଲେ ଏବଂ ମଧ୍ୟାହ୍ନ ଭୋଜନ ଖାଇ ସାରି ଫେରିବେ ବୋଲି କହି କାର ନେଇ ସେଠାରୁ ଚାଲିଯାଇଥିଲେ । ପରେ ଅଭିଯୋଗକାରିଣୀ ସେଠାରୁ ତାଙ୍କୁ ନେଇଯିବା ଲାଗି ଅଭିଯୁକ୍ତଙ୍କୁ ବାରମ୍ବାର କଲ କରିଥିଲେ ମଧ୍ୟ ଅଭିଯୁକ୍ତ ତାଙ୍କ କଲ ଉଠାଇ ନଥିଲେ ଏବଂ ପର ମୁହୂର୍ତ୍ତରେ ମୋବାଇଲ ଫୋନ୍ ବନ୍ଦ କରିଦେଇ କାର ନେଇ ନୟାଗଡ ଅଭିମୁଖେ ଚାଲିଯାଇଥିଲେ ।
ଅଭିଯୋଗକାରିଣୀଙ୍କ ଅଭିଯୋଗ ଆଧାରରେ ପୁଲିସ ମାମଲାର ତଦନ୍ତ କରିବା ସହ ବିଶ୍ଵସ୍ତ ସୂତ୍ରରୁ ସୂଚନାପାଇ ଚଢଉ ଜରିଆରେ ଅଭିଯୁକ୍ତ ଚାଳକ ପ୍ରମୋଦ କୁମାର ଦାଶଙ୍କୁ ନୟାଗଡ଼ ଜିଲ୍ଲା ଗଣିଆ ଅଞ୍ଚଳରୁ କାବୁ କରିବାରେ ସକ୍ଷମହୋଇଥିବାବେଳେ ତାଙ୍କ, ହେପାଜତରୁ ଅଭିଯୋଗକାରିଣୀଙ୍କ ଚୋରୀଯାଇଥିବା କାରକୁ ଜବତ କରିଥିଲେ । ପଚରାଉଚରା ସମୟରେ ଅଭିଯୁକ୍ତ ପ୍ରମୋଦ କୁମାର ଦାଶ ନିଜ ଦୋଷ ସ୍ୱୀକାର କରିଥିଲେ । ବର୍ତ୍ତମାନ ଏହି ମାମଲାର ଅଧିକ ତଦନ୍ତ ଚାଲୁ ରହିଛି।

Editor 


