ଜି.ବି ନଗର ବ୍ଲକରେ ଗଡ଼ିଲା ସୁଭଦ୍ରା ରଥ , ଉପକୃତ ହେବେ ୨୦ହଜାରରୁ ଊର୍ଦ୍ଧ୍ବ ମହିଳା

ଜି.ବି ନଗର ବ୍ଲକରେ ଗଡ଼ିଲା ସୁଭଦ୍ରା ରଥ , ଉପକୃତ ହେବେ ୨୦ହଜାରରୁ ଊର୍ଦ୍ଧ୍ବ ମହିଳା

ଖୁଣ୍ଟା,୧୦/୯ : ଗୋପବନ୍ଧୁ ନଗର ବ୍ଲକ ଅଧିନରେ ଗଡ଼ିଲା ସୁଭଦ୍ରା ରଥ । ଖୁଣ୍ଟାରେ ପହଞ୍ଚିବା ପରେ ସୁଭଦ୍ରା ରଥକୁ ବ୍ଲକ ଛକଠାରେ ଉଦଳା ବିଧାୟକ ଭାସ୍କର ମଢ଼େଇ, ବିଡିଓ କରୁଣାକର ଧିନ୍ଦା, ସହକାରୀ ଯନ୍ତ୍ରୀ ବିନୋୟଜ୍ୟୋତି ଲେଙ୍କା, ସିଡିପିଓ ସୁଜାତା ମହାପାତ୍ରଙ୍କ ସମେତ ଶତାଧିକ ମହିଳାମାନେ ଉପସ୍ଥିତ ରହି ଏହାକୁ ସ୍ୱାଗତ ଜଣାଇଥିଲେ । ପରବର୍ତ୍ତି ସମୟରେ ଏକ ଶୋଭାଯାତ୍ରାରେ ବାହାରି ଖୁଣ୍ଟା ବଜାର ସମେତ ବିଭିନ୍ନ ଗ୍ରାମ ବୁଲି ସୁଭଦ୍ରା ଯୋଜନା ସଂପର୍କର ଲୋକଙ୍କୁ ସଚେତନ କରାଇଥିଲେ ।  

ମହିଳାମାନଙ୍କୁ ସ୍ୱାବଲମ୍ବୀ କରିବାକୁ ଦୃଷ୍ଟିରେ ରଖି ସରକାର ସୁଭଦ୍ରା ଯୋଜନା ମାଧ୍ୟମରେ ଆର୍ଥିକ ସହାୟତା ଯୋଗାଇଦେବେ । ଏବେ ସାରା ରାଜ୍ୟରେ ସୁଭଦ୍ରା ଯୋଜନା ପାଇଁ ଆବେଦନ ଚାଲିଥିବାବେଳେ ବିଭିନ୍ନ ସମସ୍ୟା ପରିଲକ୍ଷିତ ହୋଇଛି l ଏହାକୁ ନେଇ ସରକାର ଓ ଜିଲ୍ଲା ପ୍ରଶାସନ ଗଣମାଧ୍ୟମ ଜରିଆରେ ବାରମ୍ବାର ଲୋକଙ୍କୁ ସଚେତନତା ବାର୍ତ୍ତା ଦେଉଛନ୍ତି l ତଥାପି ଲୋକଙ୍କ ମଧ୍ୟରେ ସଚେତନତା ଅଭାବ ରହିଛି । ଏଣୁ ଏହି ରଥ ଭ୍ରମଣ କରି ବିଶେଷ ଭାବେ ମହିଳାମାନଙ୍କୁ ଏହି ଯୋଜନାର ସୁଫଳ ନେବା ପାଇଁ ସଚେତନ କରାଇବା ହିଁ ଲକ୍ଷ ବୋଲି ବିଧାୟକ ଶ୍ରୀ ମଢ଼େଇ ସୁଚାଇଥିଲେ ।

ସେହିପରି ଏହି ଯୋଜନାରେ ଅନ୍ତର୍ଭୁକ୍ତ ହେବା ପାଇଁ ୨୧ବର୍ଷରୁ ୬୦ବର୍ଷରୁ କମ ବୟସର ମହିଳାମାନେ ବ୍ଲକ ଅଧିନରେ ଥିବା ସମସ୍ତ ୨୭ଟି ଜନସେବା କେନ୍ଦ୍ରମାନଙ୍କରେ ସଂପୂର୍ଣ୍ଣ ମାଗଣାରେ ଆବେଦନ କରିପାରିବେ । ଆବେଦନର ଅର୍ଥ ରାଶି ସରକାର ବହନ କରିବେ । ଯୋଜନାରେ ପଞ୍ଜିକରଣ ପାଇଁ କୌଣସି ନିର୍ଦ୍ଦିଷ୍ଟ ସମୟସୀମା ନାହିଁ। ସମସ୍ତ ଯୋଗ୍ୟ ହିତାଧିକାରୀ ଏହି ଯୋଜନାରେ ସାମିଲ ହେବେ। 

ଏହା ଏକ ଐତିହାସିକ ଯୋଜନା । ମହିଳାଙ୍କୁ ସ୍ୱାବଲମ୍ବୀ ଓ ରୋଜଗାର କରିବା ପାଇଁ ଏହି ଯୋଜନା କରିଛନ୍ତି ବିଜେପି ସରକାର। ଏଣୁ ଅଧିକରୁ ଅଧିକ ପ୍ରକୃତ ହିତାଧିକାରୀ ଏହି ଯୋଜନାରେ ସାମିଲ ହେଇ ଏହାର ଲାଭ ଉଠାଇବା ପାଇଁ ଉପସ୍ଥିତ ମହିଳାମାନଙ୍କୁ ବିଧାୟକ ଅନୁରୋଧ କରିଥିଲେ l ଏହି ଯୋଜନା ମାଧ୍ୟରେ ବ୍ଲକ ଅଧିନରୁ ପ୍ରାୟ ୨୦ହଜାରରୁ ଊର୍ଦ୍ଧ୍ବ ମହିଳା ଉପକୃତ ହୋଇପାରିବେ ବୋଲି ଜଣାପଡ଼ିଛି l ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଏମବିକେ, ଆଶାକର୍ମୀ, ବ୍ଲକ କର୍ମଚାରୀଙ୍କ ସମେତ ଆଇସିଡିଏସର କର୍ମଚାରୀ ଓ ସ୍ଥାନୀୟ ଜନସାଧାରଣ ଯୋଗଦେଇଥିଲେ l