୩ ଘଣ୍ଟାର ମିଡ଼ିଆ ଟ୍ରାଏଲ : ‘ମୁଁ ଘରକୁ ଯାଉଛି, ତୁମେ ରଥ କାମରେ ଲାଗ…’

ଭୁବନେଶ୍ବର,୩/୭ : ବିଏମସି ଅତିରିକ୍ତ କମିଶନରଙ୍କୁ ମାଡ଼ ଘଟଣାକୁ ନେଇ ଦିନକୁ ଦିନ ରାଜନୀତି ସରଗରମ ହେବାରେ ଲାଗିଛି । ଏ ସବୁ ଭିତରେ ଗୋଟେ ନୂଆ ଘଟଣା ସାମ୍ନାକୁ ଆସୁଛି । ଯାହା ମିଡ଼ିଆ ଟ୍ରାଏଲର କଥା । ଏହା ଆମେ ମନରୁ କହୁନୁ । ବରଂ ଯାହା ଦେଖିଲୁ ତାହା ନ କହି ରହି ପାରିଲୁନି । ୩ଘଣ୍ଟା ପରେ ଦୁଇଟି ଲାଇନ ଏବେ ବେଶ୍ ଚର୍ଚ୍ଚାରେ , ‘ମୁଁ ଘରକୁ ଯାଉଛି, ତୁମେ ରଥ କାମରେ ଲାଗ’ ।
ଘଟଣାଟି ଏଭଳି କିଛି ଥିଲା। ବୁଧବାର ସନ୍ଧ୍ୟା ହେବା ମାତ୍ରକେ ରାଜ୍ୟ ରାଜନୀତିରେ ଏକ ଘଟଣା ସମସ୍ତଙ୍କ ନଜରକୁ ଆସିଥିଲା। ଏହା ବି ସତ ଉକ୍ତ ନେତା ଏବେ ରାଜ୍ୟ ନେତା ହେବା ଲକ୍ଷ୍ୟରେ ଲାଗିପଡ଼ିଥିବା ସାଧାରଣରେ ଚର୍ଚ୍ଚା ହେଉଛି । ଭୁବନେଶ୍ବର ମଧ୍ୟ ନିର୍ବାଚନ ମଣ୍ଡଳୀର ବିଜେପି ନେତା ଜଗନ୍ନାଥ ପ୍ରଧାନଙ୍କ ନାଁ ଥିଲା ସବୁ ଠି ଚର୍ଚ୍ଚା । ବିଏମସି ଅତିରିକ୍ତ କମିଶନରଙ୍କୁ ମାଡ଼ ଘଟଣାକୁ ନେଇ ତାଙ୍କ ନାଁ ସାମ୍ନାକୁ ଆସିବା ପରେ ସେ ଏବେ ସବୁଆଡ଼େ ଚର୍ଚ୍ଚାରେ । ହଠାତ୍ ଗଣମାଧ୍ୟମରେ କାଲି ପୂରା ୩ଘଣ୍ଟାର ମାଇଲେଜ ନେଇଥିଲେ ଶ୍ରୀ ପ୍ରଧାନ । ହୁଏତ ଏହା ତାଙ୍କ ଲାଇଫର ବଡ଼ ପଲିଟିକାଲ୍ ମାଇଲେଜ ହୋଇଥିବା କିନ୍ତୁ ଏବେ ରାସ୍ତାଘାଟରେ ଲୋକେ କୁହାକୁହି ହେଲେଣି । ଯାହା ବି ହେଉ ଟିଭି ପରଦାରେ ସେ ୩ଘଣ୍ଟା ପୂରା ଚର୍ଚ୍ଚାରେ ରହିଥିଲେ । ସବୁ ପରେ ସେ ସାମ୍ନାକୁ ଆସି ଗୋଟିଏ କଥା କହିଲେ ‘ମୁଁ ଘରକୁ ଯାଉଛି…’। ବାସ୍ ତା’ପରେ ଆଉ କ’ଣ ୩ଘଣ୍ଟାର ମାଇଲେଜ୍ ଆଉ ଗୋଟିଏ ଶଦ୍ଦ ସମସ୍ତଙ୍କୁ ଚୁପ୍ କରିଦେଲା ।
ପ୍ରକାଶ ଯେ, ବିଜେପି ନେତା ଜଗନ୍ନାଥ ପ୍ରଧାନ ବିଜେପି ରାଜ୍ୟ ମୁଖ୍ୟାଳୟରେ ପହଞ୍ଚି ପାର୍ଟିର ଶୃଙ୍ଖଳା କମିଟି ଆଗରେ ହାଜର ହୋଇ ନିଜର ପକ୍ଷ ରଖିଥିଲେ। ଏହା ପରେ ଜଗନ୍ନାଥ ପ୍ରଧାନ ପାର୍ଟି କାର୍ୟ୍ୟାଳୟରୁ ବାହାରି ନିଜ ଘରକୁ ଯାଇଥିଲେ। ପାର୍ଟି କାର୍ୟ୍ୟାଳୟରୁ ବାହାରିବା ପରେ ଜଗନ୍ନାଥ ପ୍ରଧାନ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଥିଲେ, ମୋତେ ଦଳୀୟ ସଭାପତି ଡାକିଥିଲେ। ମୁଁ ପାର୍ଟି କାର୍ଯ୍ୟାଳୟରେ ପହଞ୍ଚି ସଭାପତିଙ୍କ ସହ ଆଲୋଚନା କଲି। ଏହା ପରେ ମୁଁ ଘରକୁ ଯାଉଛି। ଦଳୀୟ କାର୍ଯ୍ୟାଳୟରେ ଶୃଙ୍ଖଳାଗତ କମିଟିରେ ହାଜର ହେବା ସମୟରେ ଦଳୀୟ ସଭାପତି ମନମୋହନ ସାମଲଙ୍କ ସମେତ ଅନେକ ବରିଷ୍ଠ ନେତୃବୃନ୍ଦ ଉପସ୍ଥିତ ଥିଲେ। ତେବେ ଦଳ ପକ୍ଷରୁ ଜଗନ୍ନାଥ ପ୍ରଧାନ ସହିତ କ’ଣ ଆଲୋଚନା ହେଲା, ସେ ନେଇ କିଛି ଜଣାପଡ଼ି ନାହିଁ।
ଏହାପରେ ଦଳର ସଭାପତି ମନମୋହନ ସାମଲ ଆସିଥିଲେ ଆଉ ଗଣମାଧ୍ୟମରେ ଯାହା କହିଲେ ତାହା ବେଶ ରୋଚକ ଥିଲା । ଗଣମାଧ୍ୟମ ପ୍ରତିନିଧି କେଉଁଠି କାର୍ଯ୍ୟ କରିବେ ଆଉ କେଉଁଠି କରିବେ ନି ତାହା ତାଙ୍କୁ ବେଶ ଭଲଭାବେ ଜଣାଇ ଦେଇଥିଲେ । ସେ କହିଥିଲେ, ଦଳର ଇଣ୍ଟରନାଲ କଥା ପ୍ରେସରେ କିଛି କୁହାଯିବ ନାହିଁ । ସେ ବିଷୟକୁ ନିନ୍ଦା କରାଯାଇଛି । ବାରମ୍ବାର ଆଲୋଚନା କରିବା ଭଲ ନୁହେଁ । ସରକାର ସେ ବିଷୟରେ ବୁଝୁଛନ୍ତି । ଆମେ ସବୁ ବିଷୟ ପରାମର୍ଶ କରୁଛୁ । ଆମର ଯାହା ଆବଶ୍ୟକ ଅଛି ତାହା କହୁଛୁ । ଯାହା କହିବା ଉଚିତ ତାହା କହିବୁ । ଆପଣମାନେ ଭଲ କାମରେ ଲାଗନ୍ତୁ । ରଥଯାତ୍ରା କାମରେ ଲାଗନ୍ତୁ । ଓଡ଼ିଶାର ବିକାଶ କାମରେ ଲାଗନ୍ତୁ । ଗୋଟେ ଥର କହିଲୁ ଆମେ ନିନ୍ଦା କଲୁ । ସେ ବିଷୟରେ ଚର୍ଚ୍ଚା ସରିଲା । ଯେତେବେଳେ ଯାହା ହେବ ଆମ ସ୍ପୋକ୍ସପର୍ସନ କହିବେନି । ଆମେ ପରା ୨୫ଜଣ ସ୍ପୋକ୍ସପର୍ସନ ରଖିଛୁ ।
ଏବେ ଏହି ଗୋଟିଏ ଦୁଇ ଟି ଲାଇନ୍ ସବୁ ଠି ଚର୍ଚ୍ଚା ଲାଗି ରହିଛି । ଗଣମାଧ୍ୟମକୁ ଭଲ କାମ ପାଇଁ ଯେଉଁ ପରାମର୍ଶ ଦେଇଛନ୍ତି ତାହା କେତେଦୂର ଠିକ୍ ତାହା ସମୟ କହିବ ।