ଅପାରଗତାର କରୁଣ ଦୃଶ୍ୟ ; କରି କରାଉଥାଏ ମୁହିଁ, ମୋ ବିନୁ ଅନ୍ୟ ଗତି ନାହିଁ

ଅପାରଗତାର କରୁଣ ଦୃଶ୍ୟ ; କରି କରାଉଥାଏ ମୁହିଁ, ମୋ ବିନୁ ଅନ୍ୟ ଗତି ନାହିଁ

ସ୍ରୁଷ୍ଟିର ସ୍ରଷ୍ଟାଙ୍କ ଅନିଚ୍ଛା ସତ୍ତ୍ୱେ, ଗଛରୁ ପତ୍ରଟିଏ ମଧ୍ୟ ହଲି ନ ଥାଏ। ଜନ୍ମ ଏବଂ ମୃତ୍ୟୁର ନିର୍ଦ୍ଧାରଣ ସେହି ପ୍ରଭୁଙ୍କ ବ୍ୟତୀତ ଅନ୍ୟ କେହି କରିପାରନ୍ତି ନାହିଁ । କିନ୍ତୁ ସେହି ଜନ୍ମ ଓ ମୃତ୍ୟୁର ବ୍ୟବଧାନ ଭିତରେ ମନୁଷ୍ୟ ଜୀବନରେ ଅନେକ କର୍ମ କରିବା ପାଇଁ ରହିଥାଏ । କେତେବେଳେ ପରିବାର ପ୍ରତିପୋଷଣ ପାଇଁ ତ, କେତେବେଳେ ନିଜେ ଦେଖିଥିବା ସ୍ୱପ୍ନକୁ ସାକାର କରିବା ପାଇଁ, ଆଉ କେତେବଳେ ଅନ୍ୟକୁ ସାହାଯ୍ୟ କରିବା ପାଇଁ। ଜୀବନର ପ୍ରତିଟି ମୁହର୍ତ୍ତରେ ଆମକୁ ବାହାରକୁ ବାହାରିବାକୁ ପଡ଼ିଥାଏ, ଆଉ ଆମର ଫେରିବା ବାଟକୁ କେହିନା କେହି ଜଣେ ଚାହିଁ ରହିଥାଏ। ସେହି ଫେରିବା ବାଟରେ ଯଦି କେବେ ପୂର୍ଣ୍ଣଚ୍ଛେଦ ପଡ଼ିଯାଏ, ତା ଠାରୁ ଅଧିକ କଷ୍ଟଦାୟକ ପରିସ୍ଥିତି ଆଉ କଣ ବା ହୋଇପାରେ। ସବୁ ସ୍ବପ୍ନ ବୋଧେ ସେଠି ସରିଯାଇଥାଏ।

ପ୍ରତିଦିନ ସଡ଼କ ଦୁର୍ଘଟଣାରେ କାହାର ନା କାହାର ଅମୂଲ୍ୟ ଜୀବନ ଚାଲି ଯାଉଛି, ରୂପାଲି ଛକର ଅଟୋ ଦୁର୍ଘଟଣା ହେଉ, ଶୀଲା ପଟ୍ଟନାୟକଙ୍କ ଭଳି ସାମ୍ବାଦିକା ହୁଅନ୍ତୁ କିମ୍ବା ଅନ୍ୟକେହି, ତାର ହିସାବ ତ କରିହେବ ନାହିଁ, ତଥାପି ଏଥି ପାଇଁ ଦାୟୀ କିଏ? ସରକାର ନା ସାଧାରଣ ଜନତା ? ଭୋଟ୍ ସମୟରେ ଅନେକ ପ୍ରକାରର ପ୍ରତିଶ୍ରୁତି ସରକାର ସାଧାରଣ ଜନତାଙ୍କୁ ଦେଇଥାନ୍ତି କିନ୍ତୁ ପଦ ଗ୍ରହଣ କରି ସାରିବା ପରେ ସାଧାରଣ ଜନତାଙ୍କର ଆଉ କୌଣସି ମୂଲ୍ୟ ନ ଥାଏ। ନଚେତ୍ ଯାନବାହନ ଚଳାଚଳ ପାଇଁ ଏତେ ସବୁ ଆଇନ ପ୍ରସ୍ତୁତ ହେଲା ପରେ ବି ଦୁର୍ଘଟଣାର କରୁଣ ଦୃଶ୍ୟ କେମିତି ଦେଖିବାକୁ ମିଳୁଛି ? ଟ୍ରାଫିକ୍ ନିୟମ ପାଳନ ନ କଲେ ସ୍ୱଳ୍ପ ପରିମାଣର ଅର୍ଥ ନୁହେଁ, ମୋଟା ଅଙ୍କର ଜରିମାନା ଦେବାକୁ ହୁଏ, ତଥାପି ଜନତାଙ୍କ ମନରେ ଭୟ କାହିଁକି ସୃଷ୍ଟି ହେଉନି ? 

ମଦ୍ୟପାନ କରି, ବିନା ଲାଇସେନ୍ସ ରେ, ଭୟଙ୍କର ଶଦ୍ଦ କରି, ମୋବାଇଲ୍ ରେ କଥାବାର୍ତ୍ତା ହୋଇ, ବିଭିନ୍ନ ପ୍ରକାରର ଆଇନ ଉଲଂଘନ କାରି କାର୍ଯ୍ୟ କରୁଛନ୍ତି। ଅନ୍ୟପକ୍ଷେ ଦେଖିଲେ, ସଦାବେଳେ ରାସ୍ତାରେ କାମ ହେଉଛି କିନ୍ତୁ ରାସ୍ତା କେତେବେଳ ଠିକ୍ ନାହିଁ। ତେଣୁ ଭାରସାମ୍ୟ ହରାଇ ରାସ୍ତା ରେ ଅନେକ ସମୟରେ ଦୁର୍ଘଟଣା ଘଟୁଛି। ତେବେ ଏଠି ଦୋଷ କାହାର ? ଅନ୍ୟ ଦେଶମାନଙ୍କରେ ପ୍ରଚଳିତ ଆଇନକୁ ମାନିବାକୁ ଯଦି ଜନତା ବାଧ୍ୟ ହେଉଛନ୍ତି, ଆମ ଦେଶରେ ହେଉ କିମ୍ବା ରାଜ୍ୟରେ ଆଇନ୍ ପ୍ରତି ଜନତାଙ୍କର ଭୟ କାହିଁକି ସୃଷ୍ଟି ହେଉନି? ସେହି ଆଇନ୍ କଣ କେବଳ ଲୋକଦେଖାଣିଆ ନା ସରକାରଙ୍କର ତ୍ରୁଟି ରହୁଥିବାରୁ ସେ କୌଣସି ପ୍ରକାର ଦୃଢ଼ ପଦକ୍ଷେପ ନେବାକୁ ଅସମର୍ଥ?

ସଂଯୁକ୍ତା ଦାଶ

କଳିଙ୍ଗ ବିହାର, ଭୁବନେଶ୍ୱର