‘ବୋଉ ବୁଟୁ ଭୂତ’ ଫିଲ୍ମ ସୁଟିଂ କରି ଜିନିଷ ନଷ୍ଟ କଲେ, ଫିଲ୍ମ ହିଟ୍ ହେବା ପରେ ଧରା ଦେଉନାହାନ୍ତି

‘ବୋଉ ବୁଟୁ ଭୂତ’ ଫିଲ୍ମ ସୁଟିଂ କରି ଜିନିଷ ନଷ୍ଟ କଲେ, ଫିଲ୍ମ ହିଟ୍ ହେବା ପରେ ଧରା ଦେଉନାହାନ୍ତି

ଭୁବନେଶ୍ବର,୧୮/୭ : ସିନେମା ସୁଟିଂ ହେଲା । ସୁଟିଂ ସେଟରେ ଲାଗିଥିବା ଜିନିଷ ଭଙ୍ଗାରୁଜା ବି ହେଲା । ସୁଟିଂ ସରିଗଲା, ନେତାଙ୍କ ଭଳି ପ୍ରତିଶ୍ରୁତି ବି ଦିଆଗଲା । ମାତ୍ର ଫିଲ୍ମ ହିଟ୍ ହେବା ପରେ ଧରା ଛୁଆଁ ଦେଉନାହାନ୍ତି ପ୍ରଯୋଜନା ସଂସ୍ଥା । ଏଭଳି ଏକ ଅଭିଯୋଗ ଆସିଛି ନିକଟରେ ରିଲିଜ ହୋଇଥିବା ଓଡ଼ିଆ ହରର ଫିଲ୍ମ ‘ବୋଉ ବୁଟୁ ଭୂତ’ ନାଁରେ । ଆଜ୍ଞା ହଁ କଥାଟା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ଫିଲ୍ମ ଦୁନିଆରେ ଏଭଳି ଘଟଣା କିଛି ନୂଆ ନୁହେଁ । ସେ କଳାକାରଙ୍କ ଟଙ୍କା ହେଉ କିମ୍ବା ନିର୍ଦେଶକଙ୍କ । ମାତ୍ର ଜଣେ ସାଧାରଣ ଲୋକର ଘରେ ସୁଟିଂ କରି ତାକୁ ଭୂଆଁ ବୁଲାଇବାକୁ ନେଇ ଏବେ ସାଧାରଣରେ ବେଶ ଚର୍ଚ୍ଚାର ଖୋରାକ ଯୋଗାଇଛି । 

ଫିଲ୍ମ ବକ୍ସ ଅଫିସରେ ଭଲ ଆୟ କରିଛି । ୨ କୋଟି ଟଙ୍କା ଖର୍ଚ୍ଚରେ ନିର୍ମିତ ହୋଇଥିବା ଏହି ଚଳଚ୍ଚିତ୍ରଟି ବର୍ତ୍ତମାନ ସୁଦ୍ଧା ୧୬କୋଟିରୁ ଅଧିକ ଆୟ କରି ସାରିଲାଣି । ଚଳଚ୍ଚିତ୍ରରେ ସମସ୍ତେ ଦମଦାର ଅଭିନୟ କରିଥିବାବେଳେ ଫିଲ୍ମରେ ନଜର ଆସୁଥିବା କିଛି ଦୃଶ୍ୟ ଦର୍ଶକଙ୍କ ଲୋମ ଟାଙ୍କୁରି ଦେଇଛି । ଫିଲ୍ମର ସୁଟିଂ କେନ୍ଦୁଝର ଜିଲ୍ଲା ଆନନ୍ଦପୁର ସୀମାନ୍ତ ଠାକୁରମୁଣ୍ଡା ବ୍ଲକ୍ ଧାତିକିଡିହା ପଞ୍ଚାୟତ ଲୁଣିଖିଆ ଗାଁର ସନାତନ ପିଙ୍ଗୁଆଙ୍କ ପୁଅ କୃଷ୍ଣଚନ୍ଦ୍ର ପିଙ୍ଗୁଆଙ୍କ ଘରେ ହୋଇଥିଲା । ତେବେ ସୁଟିଂ ସମୟରେ ଘରର ଅନେକ ଆସବାବପତ୍ର ଭାଙ୍ଗିଯାଇଥିଲା । ଏପରିକି ଘରର ଟାଇଲ ମଧ୍ୟ ଭାଙ୍ଗିଯାଇଥିବା ଘର ମାଲିକ କୃଷ୍ଣଚନ୍ଦ୍ର ଅଭିଯୋଗ ଆଣିଛନ୍ତି ।

କୃଷ୍ଣଚନ୍ଦ୍ରଙ୍କ ଅଭିଯୋଗ ଅନୁସାରେ ସୁଟିଂ ସରିଲେ ତାଙ୍କ ଘର ମରାମତି ଏବଂ ରଙ୍ଗ କରିବାକୁ ପ୍ରତିଶ୍ରୁତି ଦିଆଯାଇଥିଲା । କିନ୍ତୁ ଫିଲ୍ମର ସୁଟିଂ ସରିବାପରେ ନିର୍ମାତା ଓ କଳାକାରମାନେ ନିଜ ନିଜ ବାଟରେ ଫେରିଯାଇଥିଲେ । ଲୁଣିଖିଆ ଗାଁରେ ଦୀର୍ଘ ୨ ମାସ ଧରି ସୁଟିଂ ହୋଇଥିବାବେଳେ ଅଧିକାଂଶ ସିନ୍ କୃଷ୍ଣଚନ୍ଦ୍ରଙ୍କ ଘରେ ସୁଟ୍ ହୋଇଥିଲା । ସୁଟିଂ ନ ସରିବା ପର୍ଯ୍ୟନ୍ତ ସେ ଏବଂ ତାଙ୍କ ପତ୍ନୀ କେବଳ ଗୋଟିଏ ଘରେ ବସବାସ କରିଥିଲେ । ଅନ୍ୟ ସମସ୍ତ ବଖରାରେ ସୁଟିଂ ଚାଲିଥିଲା । ଫିଲ୍ମର ଏକ ସିନ୍ ଅନୁସାରେ ଭୂତ ରାଗିଯାଇ ଅପରାଜିତାଙ୍କୁ ଚାହୁଁଛି ଏବଂ ସେହି ସମୟରେ ଘରର ସମସ୍ତ ସାମଗ୍ରୀ ମନକୁ ମନ ଭାଙ୍ଗିଯାଉଛି । କୃଷ୍ଣଚନ୍ଦ୍ରଙ୍କୁ ଏ ବାବଦରେ ସମସ୍ତ କ୍ଷତିପୂରଣ ଦିଆଯିବାକୁ ପ୍ରତିଶ୍ରୁତି ଦିଆଯାଇଥିବା ସେ କହିଛନ୍ତି । କିନ୍ତୁ ପୂର୍ବ ପ୍ରତିଶ୍ରୁତି ଅନୁସାରେ ଘର ମରାମତି କିମ୍ବା ରଙ୍ଗ କରିବାକୁ ପଇସା ଦେଇନଥିବା କୃଷ୍ଣଚନ୍ଦ୍ର ଦୁଃଖର ସହ ପ୍ରକାଶ କରିଛନ୍ତି ।  

ଏଭଳି ଘଟଣା ସିନେମା ଦୁନିଆରେ କିଛି ନୂଆ ନୂହେଁ । ପୂର୍ବରୁ ଓଡ଼ିଆ ସିନେମା ମାଲ୍ୟଗିରି ପ୍ରଯୋଜନା ସଂସ୍ଥା ନାଁରେ ସମାନ ଅଭିଯୋଗ ଆସିଥିଲା । ମାତ୍ର ପ୍ରଯୋଜନା ସଂସ୍ଥା ପକ୍ଷରୁ ଏହାର ଜବାବ ଦିଆଯାଇଥିଲା । କିନ୍ତୁ ‘ବୋଉ ବୁଟୁ ଭୂତ’ କ୍ଷେତ୍ରରେ ଟିକେ ଅଲଗା । ପ୍ରଯୋଜନା ଟିମ୍ ପକ୍ଷରୁ ଏବେ କୃଷ୍ଣଚନ୍ଦ୍ରଙ୍କ ଫୋନ୍ ଉଠାଉନାହାନ୍ତି । ଯାହାକୁ ନେଇ ସେ କ୍ଷୋଭ ପ୍ରକାଶ କରିଛନ୍ତି ।