ବିଦ୍ୟୁତ୍ ତାର ସଂସ୍ପର୍ଷରେ ଆସି ଯୁବକ ମୃତ, କ୍ଷତିପୂରଣ ଦାବିରେ ରାସ୍ତାରୋକ

ବିଦ୍ୟୁତ୍ ତାର ସଂସ୍ପର୍ଷରେ ଆସି ଯୁବକ ମୃତ, କ୍ଷତିପୂରଣ ଦାବିରେ ରାସ୍ତାରୋକ

ଆନନ୍ଦପୁର,୫/୭ : ୧୧ କେଭି ବିଦ୍ୟୁତ୍ ତାର ସଂସ୍ପର୍ଷରେ ଆସି ଯୁବକଙ୍କ ଜୀବନ ଗଲା I ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଥାନା ଅନ୍ତର୍ଗତ ଫକୀରପୁର ଗାଁରେ । ମୃତକ ହେଲେ ସେଣ୍ଟ୍ରିଂ ମିସ୍ତ୍ରୀ ରାଜେଶ ରଣା । କ୍ଷତିପୂରଣ ଦାବିରେ ୫୩ନଂ ରାଜ୍ୟ ରାଜପଥ ଅବରୋଧ କରିଛନ୍ତି ଶତାଧିକ ଲୋକ । 

ପ୍ରକାଶ ଯେ, ଫକୀରପୁର ଗାଁର ୮ ନମ୍ବର ୱାର୍ଡରେ ଶୁକ୍ରବାର ଜନୈକ ବ୍ୟକ୍ତି ଘର ଛାତ ପାଇଁ ସେଣ୍ଟ୍ରିଂ ଚାଲୁଥିଲା । ସେଣ୍ଟ୍ରିଂ ମାପଚୁପ କରିବା ସମୟରେ ରାଜେଶ ହଠାତ୍ ୧୧କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସିଥିଲେ । ଫଳରେ ତାଙ୍କର ମୃତ୍ୟୁ ହୋଇଥିଲା । ତାଙ୍କର ମୃତ୍ୟୁ ପରେ କ୍ଷତି ପୁରଣ ଦାବିରେ ୫୩ନଂ ରାଜ୍ୟ ରାଜପଥ ଫକୀରପୁର ମେଡ଼ିକାଲ ନିକଟରେ ପରିବାର ଲୋକେ ଓ ଗ୍ରାମବାସୀ ରାସ୍ତାରୋକ କରିଥିଲେ । ରାସ୍ତାରୋକର ଖବରପାଇ ଆନନ୍ଦପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲା । ମାତ୍ର ସେମାନେ ଏକା ଜିଦ୍ ଧରିଥିଲେ କି କ୍ଷତିପୂରଣ ପାଇଁ । ଏହି ରାସ୍ତା ଅବରୋଧ ଫଳରେ ଏକ ଘଣ୍ଟାରୁ ଊର୍ଦ୍ଧ୍ବ ସମୟ ଧରି ଆନନ୍ଦପୁର ଭଦ୍ରକ ରାସ୍ତାରେ ଗାଡ଼ି ଚଳାଚଳ ବନ୍ଦ ରହିଛି । ଖବର ଲେଖା ହେବା ସୁଦ୍ଧା ପରିସ୍ଥିତି ଶାନ୍ତ ପଡ଼ିଥିବାବେଳେ ଉକ୍ତ ଘରର ମାଲିକ ଆସି ମୃତକଙ୍କ ପରିବାରକୁ ୧ଲକ୍ଷ ୨୦ହଜାର ଟଙ୍କା ଦେବାକୁ ପରିବାର ଲୋକଙ୍କୁ ମୌଖିକ ଭାବେ ପ୍ରତିଶ୍ରୁତି ଦେଇଛନ୍ତି ।

ସେହିଭଳି ଘଟଣାସ୍ଥଳରେ ଆନନ୍ଦପୁର ବିଧାୟକ ଅଭିମନ୍ୟୁ ସେଠୀ ଏବଂ ଘସିପୁରା ବିଧାୟକ ବଦ୍ରିନାରାୟଣ ପାତ୍ର ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ସହ ସରକାରୀ ସହାୟତାର ପ୍ରତିଶ୍ରୁତି ଦେଇଛନ୍ତି ।