ପଶ୍ଚିମାଞ୍ଚଳ ରେଞ୍ଜ ଡିଆଇଜି ଭାବେ କାର୍ଯ୍ଯ ଭାର ଗ୍ରହଣ କଲେ ବ୍ରିଜେଶ କୁମାର ରାୟ

ରାଉରକେଲା,୨/୧୦ : ଗତ ୨୯ ତାରିଖରେ ରାଜ୍ୟ ସରକାର ପୋଲିସ୍ ବିଭାଗର ଆଇପିଏସ୍ ସ୍ତରରେ ବଡ ଧରଣର ଅଦଳବଦଳ କରିବା ପରେ ଆଜି ପଶ୍ଚିମାଞ୍ଚଳ ରେଞ୍ଜ ଡିଆଇଜି ଭାବରେ କାର୍ଯ୍ଯଭାର ଗ୍ରହଣ କରିଛନ୍ତି ବ୍ରିଜେଶ କୁମାର ରାୟ। ଅନ୍ଯପକ୍ଷରେ ପୂର୍ବରୁ ପଶ୍ଚିମାଞ୍ଚଳ ରେଞ୍ଜ ଡିଆଇଜି ଭାବେ ରାଉରକେଲାରେ ଅବସ୍ଥାପିତ ଥିବା ନୀତି ଶେଖର ଦକ୍ଷିଣ-ପଶ୍ଚିମାଞ୍ଚଳ ଡିଆଇଜି ଭାବରେ କୋରାପୁଟ ବଦଳି ହୋଇଯାଇଛନ୍ତି।
ପଶ୍ଚିମାଞ୍ଚଳ ରେଞ୍ଜ ଡିଆଇଜି ଭାବରେ କାର୍ଯ୍ଯ ଭାର ଗ୍ରହଣ କରିବା ପରେ ଡିଆଇଜି ବ୍ରିଜେଶ କୁମାର ରାୟ ତାଙ୍କ ବକ୍ତବ୍ୟରେ କହିଥିଲେ ଯେ, ଗତ ୬ ମାସ ହେଲା ସେ ରାଉରକେଲା ଆରକ୍ଷୀ ଅଧୀକ୍ଷକ ଭାବରେ କାର୍ଯ୍ଯ କରିଆସୁଛନ୍ତି। ସେଥିରୁ ଆଗାମୀ ସମୟରେ ପଶ୍ଚିମାଞ୍ଚଳ ରେଞ୍ଜରେ ପୋଲିସ୍ କିଭଳି ଲୋକାଭିମୁଖୀ ହୋଇ କାର୍ଯ୍ୟ କରିବ, ସେଥିପ୍ରତି ସେ ଧ୍ଯାନ ଦେବେ। ଏଥିସହିତ ପଶ୍ଚିମାଞ୍ଚଳ ରେଞ୍ଜରେ ଥିବା କେନ୍ଦୁଝର, ସୁନ୍ଦରଗଡ ଓ ରାଉରକେଲା ପୋଲିସ୍ ଜିଲ୍ଲାର ସମସ୍ତ ଲୋକଙ୍କୁ ଭଲ ପୋଲିସ୍ ସେବା ଯୋଗାଇ ଦିଆଯାଇପାରିବ, ସେଥିପ୍ରତି ଦୃଷ୍ଟି ଦେବେ।
ମହିଳା ଓ ବରିଷ୍ଠ ନାଗରିକଙ୍କ ପ୍ରତି କିପରି ଉତ୍ତମ ପୋଲିସ ସେବା ସହିତ ଭଲ ବ୍ଯବହାର କରାଯାଇପାରିବ ସେଥିପ୍ରତି ଦୃଷ୍ଟି ଦେଇ କାର୍ଯ୍ୟ କରିବେ ବୋଲି ଡିଆଇଜି ଶ୍ରୀ ରାୟ କହିଥିଲେ । ରେଞ୍ଜରେ ଥିବା ଆରକ୍ଷୀ ଅଧିକ୍ଷକମାନଙ୍କ ସହିତ ମିଳିମିଶି ପୋଲିସ କିପରି ଲୋକଙ୍କୁ ଭଲ ସେବା ଯୋଗାଇ ପାରିବ, ସେଥିପ୍ରତି ସେ ଧ୍ଯାନ ଦେଇ କାର୍ଯ୍ୟ କରିବେ ବୋଲି କହିଛନ୍ତି । ଆଗାମୀ ଶାରଦୀୟ ପୂଜା ଆସୁଥିବାରୁ ଅପରାଧ ରୋକିବା ପାଇଁ ପୋଲିସ୍ ନିୟମରେ ଯେଉଁସବୁ ପଦକ୍ଷେପ ଅଛି, ସେହି ପଦକ୍ଷେପକୁ ଗ୍ରହଣ କରାଯିବ ବୋଲି ପଶ୍ଚିମାଞ୍ଚଳ ରେଞ୍ଜ ଡିଆଇଜି ବ୍ରିଜେଶ କୁମାର ରାୟ, କାର୍ଯ୍ଯଭାର ଗ୍ରହଣ ସମୟରେ କହିଥିଲେ ।