ଧାନ ବିକ୍ରି ପଞ୍ଜିକରଣ ଅବଧି ସେପ୍ଟେମ୍ବର ୧୫ପର୍ଯ୍ୟନ୍ତ ବୃଦ୍ଧି କର ନ ହେଲେ ଆନ୍ଦୋଳନ : କିଷାନ କଂଗ୍ରେସ

ଧାନ ବିକ୍ରି ପଞ୍ଜିକରଣ ଅବଧି ସେପ୍ଟେମ୍ବର ୧୫ପର୍ଯ୍ୟନ୍ତ ବୃଦ୍ଧି କର ନ ହେଲେ ଆନ୍ଦୋଳନ : କିଷାନ କଂଗ୍ରେସ

ଭୁବନେଶ୍ୱର, ୨୦/୮ : ସରକାର ଖରିଫ୍ ଧାନ ବିକ୍ରି ପାଇଁ ଚାଷୀ ନାମ ପଞ୍ଜିକରଣ ଅବଧି ଅଗଷ୍ଟ ୨୦ ପର୍ଯ୍ୟନ୍ତ ସ୍ଥିର କରିଥିଲେ । କିନ୍ତୁ ବର୍ତ୍ତମାନର ସରକାରଙ୍କର ଅନଭିଜ୍ଞତା ଓ ତୃଟିପୂର୍ଣ୍ଣ ନିଷ୍ପତ୍ତି ଯୋଗୁଁ ରାଜ୍ୟର ୫ଲକ୍ଷରୁ ଉର୍ଦ୍ଧ୍ୱ ଚାଷୀ ଅଦ୍ୟାବଧି ସେମାନଙ୍କର ନାମ ପଞ୍ଜିକରଣ କରି ପାରି ନାହାନ୍ତି । ବିଭିନ୍ନ ଦିଗରୁ ଦାବୀ ଫଳରେ ସରକାର ଏବେ ଆଉ ମାତ୍ର ୫ ଦିନ ଅବଧି ବୃଦ୍ଧି କରିଛନ୍ତି । ଇତି ମଧ୍ୟରେ ଚାଷୀ ଅଗଷ୍ଟ ୨୫ ତାରିଖ ସୁଦ୍ଧା ସମବାୟ ସମିତିରେ ଫର୍ମ ଦାଖଲ କରିବା ସମ୍ଭବ ପର ନୁହେଁ । ଆଗରୁ ବିଧିବଦ୍ଧ ନିଷ୍ପତ୍ତି ନ ନେଇ ଯେଉଁ ଇ-କେୱାଇସି ବ୍ୟବସ୍ଥା କରାଗଲା ଏହାଦ୍ୱାରା ଚାଷୀ ଅକଥନୀୟ ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି ବୋଲି ଅଖିଳ ଭାରକିଷାନ କଂଗ୍ରେସ ରାଷ୍ଟ୍ରୀୟ ସଂଯୋଜକ ଅମିୟ କୁମାର ପଟ୍ଟନାୟକ ଅଭିଯୋଗ କରିଛନ୍ତି ।

ଚାଷୀ ନାମ ପଞ୍ଜିକରଣରେ ଯେଉଁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ସେ ଦିଗରେ ସରକାର ସମୀକ୍ଷା କରିବା ପରିବର୍ତ୍ତେ ସମସ୍ୟାର ସମାଧାନ ପାଇଁ ଯଥୋଚିତ ପଦକ୍ଷେପ ନ ନେବା ଅତ୍ୟନ୍ତ ଦୁର୍ଭ୍ୟାଗ୍ୟର ବିଷୟ । ବିଜୁଳି କାଟ, ଜମିଜମାରେ କର୍ଡ଼ପତ୍ର, ବଂଶାନୁବଳୀ ପ୍ରମାଣପତ୍ର ପ୍ରଭୃତି ଜଟିଳ ସମସ୍ୟା ହୋବାରୁ ରାଜ୍ୟର ଆଉ ୪୦ ପ୍ରତିଶତ ଚାଷୀ ସେମାନଙ୍କ ଧାନ ବିକିବା ପାଇଁ ପଞ୍ଜିକରଣ କରିପାରି ନାହାନ୍ତି । ସରକାର ବର୍ତ୍ତମାନ ଏହି ପ୍ରକ୍ରିୟାକୁ ସରଳୀକରଣ କରିଥିଲେ ମଧ୍ୟ ଅନେକ ସ୍ଥାନରେ ଚାଷୀଙ୍କୁ ଉପଯୁକ୍ତ ସହଯୋଗ ମିଳୁନାହିଁ । ସମବାୟ ସମିତିରେ ସଂପାଦକ ଠିକଣା ଢ଼ଙ୍ଗରେ ଚାଷୀଙ୍କୁ ସହଯୋଗ କରୁ ନ ଥିବାର ଅଭିଯୋଗ ହେଉଛି ।

ତେଣୁ ଏହାର ସୁ ସମାଧାନ ପାଇଁ ଧାନ ବିକ୍ରି ପଞ୍ଜିକରଣ ଅବଧି ଅଗଷ୍ଟ ୩୦ ପରିବର୍ତ୍ତେ ସେପ୍ଟେମ୍ବର ୧୫ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିବା ସହିତ ଇଛୁକ ଥିବା ରାଜ୍ୟର ସମସ୍ତ ଚାଷୀଙ୍କ ନାମ ପଞ୍ଜିକରଣ କରିବାକୁ କିଷାନ କଂଗ୍ରେସ ପକ୍ଷରୁ ରାଷ୍ଟ୍ରୀୟ ସଂଯୋଜକ ଅମିୟ କୁମାର ପଟ୍ଟାନାୟକ ରାଜ୍ୟ ସରକାରଙ୍କ ନିକଟରେ ଦୃଢ଼ ଦାବୀ କରିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଚାଷୀ ନେତା ଦୟାସାଗର ମେଣ୍ଡଲି, ରବି ସେଠ୍‌, ଗୁଣନିଧି ସାହୁ, ସ୍ୱପ୍ନେଶ୍ୱର ପୃଷ୍ଟି, ନରେନ୍ଦ୍ର ପଣ୍ଡା, ସାନନ୍ଦ ମିଶ୍ର, ଧ୍ରୁବ ଚରଣ ପରିଡ଼ା, ନିରଞ୍ଜନ ବେହେରା, ପ୍ରସନ୍ନ ପାଲ, ସନରାଜ ଗଣ୍ଡ, ଦେବେନ୍ଦ୍ର କୁମାର ରାଓ, ଦାଶରଥୀ ସାହୁ ପ୍ରମୁଖ ଦୃଢ଼ ଦାବୀ କରିଛନ୍ତି । ସମସ୍ତ ଚାଷୀଙ୍କ ପଞ୍ଜିକରଣ ନ କରାଗଲେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଭକ୍ତ ଚରଣ ଦାସଙ୍କ ନେତୃତ୍ୱରେ ସବୁ ଜିଲ୍ଲାସ୍ତରରେ ସରକାରଙ୍କ ବିରୁଦ୍ଧରେ ଚାଷୀ ଆନ୍ଦୋଳନକୁ ଦୁର୍ବାର କରାଯିବ ବୋଲି ଶ୍ରୀ ପଟ୍ଟନାୟକ ସରକାରଙ୍କୁ ଚେତାବନୀ ଦେଇଛନ୍ତି ।