କମିସନରେଟ ପୁଲିସ ପକ୍ଷରୁ ଅବସରକାଳୀନ ସମ୍ବର୍ଦ୍ଧନା ଉତ୍ସବ

ଭୁବନେଶ୍ବର, ୪/୧୧ : ସୋମବାର ସନ୍ଧ୍ୟାରେ କମିସନରେଟ ପୁଲିସ, ଭୁବନେଶ୍ବର ପକ୍ଷରୁ ପୁଲିସ ରିଜର୍ଭ ଅଫିସରେ ଅବସର ଗ୍ରହଣ କରିଥିବା ପୁଲିସ କର୍ମଚାରୀ ମାନଙ୍କର ସମ୍ବର୍ଦ୍ଧନା ଉତ୍ସବ ପାଳନ କରାଯାଇଥିଲା । ଏହି ଅବସରରେ ମୁଖ୍ୟ ଅତିଥି ଭାବରେ ଅତିତିକ୍ତ ଡିସିପି ଭୁବନେଶ୍ବର କୃଷ୍ଣ ପ୍ରସାଦ ଦାସ (ଓପିଏସ), ସରଂକ୍ଷିତ ଆରକ୍ଷୀ ନିରିକ୍ଷକ ବିଜୟ ରତ୍ନମ ଓ ଅନ୍ୟ ପୁଲିସ କର୍ମଚାରୀ ମାନେ ଯୋଗଦେଇଥିଲେ । ମୁଖ୍ୟ ଅତିଥି ଅବସର ଗ୍ରହଣ କରିଥିବା ଜଣେ ଏସ୍ଆଇ ଓ ତିନି ଜଣ କନଷ୍ଟେବଳଙ୍କୁ ନିଜ ଚାକିରୀ କାଳ ମଧ୍ୟରେ ସର୍ବଦା କର୍ତ୍ତବ୍ୟକୁ ପ୍ରାଧାନ୍ୟ ଦେଇ ନିଷ୍ଠାପର ଭାବେ କାର୍ଯ୍ୟ ସମ୍ପାଦନ କରିଥିବାରୁ ସେମାନଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ ।
୧୯୬୪ ମସିହାରେ ଜଗତସିଂହପୁର ଜିଲ୍ଲାରେ ଜନ୍ମଲାଭ କରିଥିବା ଏସଆଇ ଦିଲୀପ କୁମାର ଦାସ ୧୯୮୬ ମସିହାରେ ପୁଲିସ ବିଭାଗରେ ଯୋଗଦାନ କରିବା ସହିତ ୨୦୦୫ ମସିହାରେ ଏଏସଆଇ ଏବଂ ୨୦୧୪ ମସିହାରେ ଏସଆଇ ପାହ୍ୟାକୁ ପଦୋନ୍ନତି ପାଇ ଦୀର୍ଘ ୩୮ ବର୍ଷରୁ ଅଧିକ କାଳ ପର୍ଯ୍ୟନ୍ତ ପୁଲିସ ବିଭାଗ ଲାଗି ନିରବଚ୍ଛିନ୍ନ ଭାବେ ସେବା ଯୋଗାଇ ଆସିଛନ୍ତି । ଅବସର ନେବା ସମୟରେ ସେ ଭୁବନେଶ୍ବର ଡିସିପିଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ଥିଲେ ।
ସେହିପରି କନଷ୍ଟେବଳ ଅକ୍ଷୟ କୁମାର କାଣ୍ଡି ୧୯୬୪ ମସିହାରେ ପୁରୀ ଜିଲ୍ଲାରେ ଜନ୍ମ ଗ୍ରହଣ କରିଥିବା ବେଳେ ୧୯୮୩ ମସିହାରେ ପୁଲିସ ବିଭାଗରେ ଯୋଗଦାନ କରିଥିଲେ । ସେ ଦୀର୍ଘ ୪୦ ବର୍ଷରୁ ଉର୍ଦ୍ଧ କାଳ ସମ୍ପୃକ୍ତ ପୁଲିସ ବିଭାଗ ଲାଗି ସୂଚାରୁ ରୂପେ ନିଜର କର୍ତ୍ତବ୍ୟ ସମ୍ପାଦନ କରିଆସିଛନ୍ତି । ଅବସର ନେବା ସମୟରେ ସେ ଶ୍ରୀ ଲିଙ୍ଗରାଜ ଥାନାରେ କାର୍ଯ୍ୟରତ ଥିଲେ ।
ଶେଖ ସୋଲେମାନ ୧୯୬୬ ମସିହାରେ ଖୋର୍ଦ୍ଧା ଜିଲ୍ଲାରେ ଜନ୍ମ ଗ୍ରହଣ କରିଥିବା ବେଳେ ଶିକ୍ଷା ସମାପ୍ତ ପରେ ସପ୍ତମ ବାଟାଲିୟନର ଜଣେ ସିପାହୀ ଭାବେ ପୁଲିସ ବିଭାଗରେ ଯୋଗଦାନ କରିଥିଲେ । ଗତ ୨୦୦୯ ମସିହାରେ ସେ ସପ୍ତମ ବାଟାଲିୟନରୁ ବଦଳି ହୋଇ ଭୁବନେଶ୍ବର ସହରାଞ୍ଚଳ ପୁଲିସ ବିଭାଗରେ ଯୋଗଦାନ କରିଥିଲେ । ସେ ତାଙ୍କର ଚାକିରିକାଳ ମଧ୍ୟରେ ସର୍ବଦା କର୍ତ୍ତବ୍ୟକୁ ପ୍ରାଧାନ୍ୟ ଦେଇ ନିଷ୍ଠାପର ଭାବେ କାର୍ଯ୍ୟ ସମ୍ପାଦନ କରିଆସିଛନ୍ତି । ଅବସର ନେବା ସମୟରେ ସେ ବଡଗଡ ଥାନାରେ କାର୍ଯ୍ୟରତ ଥିଲେ ।
ସେହିଭଳି ସଦାନନ୍ଦ ସ୍ବାଇଁ ୧୯୬୪ ମସିହାରେ କଟକ ଜିଲ୍ଲାରେ ଜନ୍ମଗ୍ରହଣ କରିଥିବା ବେଳେ ୧୯୮୬ ମସିହାରେ ପ୍ରଥମେ ଓଏସଏପି ଷଷ୍ଠ ବାଟାଲିୟନ ଯୋଗଦାନ କରିବା ସହିତ ପରେ ପରେ ପ୍ରଥମ ବାଟାଲିୟନ ଚାରବାଟିଆ, ସ୍ପେଶାଲ ବ୍ରାଞ୍ଚ କଟକ, ସିକ୍ୟୁରିଟ୍ ୱିଙ୍ଗ ଭୁବନେଶ୍ବର, ପ୍ରଥମ ବାଟାଲିୟନ ଢେଙ୍କାନାଳ ଓ ଶେଷରେ ଭୁବନେଶ୍ବର ସହରାଞ୍ଚଳ ପୁଲିସ ବିଭାଗରେ ଯୋଗଦାନ କରିଥିଲେ । ସେ ପୁଲିସ ବିଭାଗକୁ ଦୀର୍ଘ ୩୮ ବର୍ଷରୁ ଉର୍ଦ୍ଧ୍ଵ କାଳ ପର୍ଯ୍ୟନ୍ତ ନିରବଚ୍ଛିନ୍ନ ସେବା ଯୋଗାଇ ଆସିଛନ୍ତି । ଅବସର ନେବା ସମୟରେ ସେ ଭୁବନେଶ୍ବର ରିଜର୍ଭ ଅଫିସରେ କାର୍ଯ୍ୟରତ ଥିଲେ ।