ଓଲିଉଡ଼ : ଯୁବପିଢୀଙ୍କ ମନରେ ପ୍ରଶ୍ନ - ଇଣ୍ଡଷ୍ଟ୍ରିରେ ଆମର ଆଇକନ୍ କିଏ ?

ଭୁବନେଶ୍ବର,୧୫/୫ : ଓଡ଼ିଆ ସିନେମା । ଯେତିକି ପୁରୁଣା ହେଉଛି ସେତିକି ଚମକ ହରାଉଛି । ବର୍ଷ ଗଡ଼ୁଛି ସମୟ ବଦଳୁଛି ମାତ୍ର ଇଣ୍ଡଷ୍ଟ୍ରି ଆଜି ପଛକୁ ଯାଉଛି । ୮୯ବର୍ଷରେ ପାଦ ଥାପିଛି ମାତ୍ର ଯେଉଁଠି ପହଞ୍ଚିବା କଥା ସେଠୁ ବହୁତ ପଛରେ ଥିବା ଲାଗୁଛି । ହାତ ଗଣତି କେତେକ ସିନେମାକୁ ଛାଡ଼ିଦେଲେ ଆଉ ସବୁ ଓଲିଉଡ଼ର ଡଷ୍ଟବିନକୁ ଚାଲିଯାଉଛି ଯେମିତି । ଏମିତି ପରିପ୍ରେକ୍ଷୀରେ ଏବେ ଏକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ନଜରକୁ ଆସିଛି ଓଲିଉଡ଼ରେ ଆଗାମୀ ପିଢୀଙ୍କୁ ଆଗକୁ ନେବାକୁ କିଏ ସାଜିବ ଆଇଡଲ୍ ।
କଥାଟା ସହଜ ଲାଗୁଥିଲେ ବି ବହୁତ ଜଟିଳ । ଆଜ୍ଞା ହଁ ଯେତେବେଳେ ୯୦ଦଶକର କଥା ଆସେ ସେତେବେଳେ ଆମେ ଅନେକ କଳାକାରଙ୍କୁ ପାଖରୁ ଦେଖିଛୁ । ଯାହାଙ୍କ ଛବି ଆଉ ଡାଇଲଗ୍ କାନ ପାଖରେ ଗୁଞ୍ଜରିତ ହୋଇଉଠେ । ଏମିତି କିଛି କଳାକାର ଥିଲେ ଯାହାକୁ ଦେଖି ଆମେ ସବୁ ବଡ଼ ହୋଇଛେ ଏବଂ ଓଡ଼ିଆ ସିନେମାରେ ହିରୋ କିମ୍ବା ହିରୋଇନ ହେବାକୁ ଆଗେଇ ଆସିଛୁ । ବେଳେବେଳେ ଠକାମୀର ଶିକାର ବି ହୋଇଛୁ । କିନ୍ତୁ ଆମର ଆଇଡଲ୍ ଥିଲେ ଅନେକ ହିରୋ ଏବଂ ହିରୋଇନ । ଯାହା ସ୍ମୃତିର ସାଉଁଟା ହୁଆ ଡାଏରୀରେ ଲିପିବଦ୍ଧ ହୋଇ ରହିଛି । ସ୍ବଭାବିକ ହେବା ବି ଆବଶ୍ୟକ । କାହିଁକି ନା ସେମାନେ ତ ଆମର ଥିଲେ ପଥ ପ୍ରଦର୍ଶକ । ମାତ୍ର ଏବେ ଏ ସବୁ ଯେମିତି ଏକ ଦୁଃସ୍ବପ୍ନ ଭଳି ଲାଗୁଛି । ଆଜିର ପିଢୀ ଖୋଜୁଛି ଓଲିଉଡ଼ରେ ମୋର ଆଇକନ୍ କିଏ ?
ଦୁଖିରାମ ସ୍ବାଇଁ, ଶ୍ରୀରାମ ପଣ୍ଡା, ଉତ୍ତମ ମହାନ୍ତି, ମିହିର ଦାସ, ବିଜୟ ମହାନ୍ତି, ସିଦ୍ଧାନ୍ତ ମହାପତ୍ର, ହରପଟ୍ଟନାୟକ, ରାଇମୋହନ ପରିଡ଼ା, ମୀନ କେତନଙ୍କ ଭଳି ଭେଟରାନ ହିରୋ କିମ୍ବା ଭିଲେନ ହୁଅନ୍ତୁ ଅଥବା ତନ୍ଦ୍ରାରାୟ, ଅପରାଜିତା ମହାନ୍ତି, ମହେଶ୍ବତା ରୟଙ୍କ ଭଳି ଅଭିନେତ୍ରୀ ହୁଅନ୍ତୁ । ଏମାନେ ଓଲିଉଡ଼ର ଗୋଟିଏ ପିଢୀ କହିଲେ ଅତ୍ୟୁକ୍ତି ହେବ ନାହିଁ । ଯାହାଙ୍କୁ ଦେଖି ଆମେମାନେ ଓଲିଉଡ଼କୁ ନେଇ କଥା ହେଉ ଅବା ସ୍ବପ୍ନ ଦେଖୁ । କିନ୍ତୁ ଏବେ ଏମିତିକା କଳାକାର ନଜରକୁ ଆସୁନାହାନ୍ତି । ଯାହାଙ୍କୁ ଦେଖି ଆମେ ଓଲିଉଡ଼କୁ ନେଇ ସ୍ବପ୍ନ ଦେଖିବା। ଏବେର ଅଭିନେତା ଓ ଅଭିନେତ୍ରୀ ଆମ ପାଇଁ ସେହି ଚମକ ଆଣିପାରୁନାହାନ୍ତି । କାରଣ ଅନେକ ଅଛି । କିନ୍ତୁ ଆଖି ଦୃଶିଆ କାରଣ କହିଲେ ରାଜନୀତି ଓ ନିଜର ପାରିବାରିକ ଘଟଣା ପ୍ରଥମେ ସାମ୍ନାକୁ ଆସୁଛି। । ଯାହାକୁ ନେଇ ଆଜିର ଅଭିନେତା-ଅଭିନେତ୍ରୀମାନେ ଛନ୍ଦି ହୋଇଯାଉଛନ୍ତି । ଯାହା ସମାଜରେ ପ୍ରତିଫଳିତ ହେଉଛି ଆଉ ଯୁବପିଢୀ ସହଜରେ ଏହାକୁ ଗ୍ରହଣ କରିପାରୁନାହାନ୍ତି । ଯାହାକୁ ନେଇ ମନିପର୍ସର ପକେଟରେ ରଖିବାକୁ ଚେଷ୍ଟା କରୁଛନ୍ତି ସେମାନେ ନିଜ ବିବାଦରେ ଛନ୍ଦି ହୋଇଯାଇ ନିଜର ଚମକ ହରାଉଛନ୍ତି ।
ଏ ନେଇ ବରିଷ୍ଠ ସିନେ ସମୀକ୍ଷକ ଦିଲ୍ଲୀପ ହାଲି କୁହନ୍ତି, ଆଗରୁ ଯେଉଁ କଳାକାର ଅଭିନୟ କରୁଥିଲେ ଓଡ଼ିଆ ସିନେମାରେ ସେମାନଙ୍କର ଗୋଟେ ନିଷ୍ଠା ଥିଲା । ଓଡ଼ିଆ ଫିଲ୍ମ ପ୍ରତି ଭଲ ପାଇବା ଥିଲା । ଯଦି ଆମେ ପୁରୁଣା କଳାକାରଙ୍କୁ ଦେଖିବା ସେମାନେ ରାଜନୀତିକୁ ପ୍ରଶ୍ରୟ ଦେଉନଥିଲେ, ରାଜନୀତିରେ ଅଂଶଗ୍ରହଣ କରୁନଥିଲେ । ସିନେମାକୁ ପେଶା କରି ଚଳିବା ତାଙ୍କ ପକ୍ଷରେ ଯଦିଓ କଷ୍ଟକର ହେଉଥିଲା ବିଭିନ୍ନ ପଦପଦବୀ ବିଭିନ୍ନ ସରକାରୀ ସ୍ତରରେ କାମ କରି ଓଡ଼ିଆ ସିନେମାକୁ ଭଲ ପାଇବା ଦେଉଥିଲେ । ଯଦି ଆମେ ଉଦାହରଣ ସୂରୁପ ଦେଖିବା ବିଜୟ ମହାନ୍ତି ହୁଅନ୍ତୁ କିମ୍ବା ଅଜିତ ଦାସ ଏମାନେ ଅଧ୍ୟାପନା ସହ ଏହି କାମ କରୁଥିଲେ। ପରବର୍ତ୍ତି ସମୟରେ ଯେତେବେଳେ ଅବକ୍ଷେୟ ହୋଇଛି ସେମାନେ ସବୁ ରାଜନୀତିକୁ ଡେଇଁଛନ୍ତି । ବର୍ତ୍ତମାନର ଯୁବପିଢିରେ ସେଥିରୁ ବି ଅନେକ ଯୁବ ଅଭିନେତା ଅଛନ୍ତି ଉଦାହରଣ ସୂରୁପ ବାବୁ ସାନ ମହାନ୍ତି ହୁଅନ୍ତୁ କିମ୍ବା ସବ୍ୟସାଚୀ ମିଶ୍ର ହୁଅନ୍ତୁ ରାଜନୀତିରେ ଅଂଶଗ୍ରହଣ କରୁନାହାନ୍ତି । ରାଜନୀତି ଦଳ ଗୁଡ଼ିକର ପ୍ରଚାର ପ୍ରସାର ଦିଗରେ ସ୍ବାଭିମାନ ଦୃଷ୍ଟିରୁ ଯାଉଛନ୍ତି । ସେମିତି ତ କେହି ସୁପରଷ୍ଟାର ନାହାନ୍ତି ଯେଉଁମାନଙ୍କ କାନ୍ଧରେ ଓଡ଼ିଆ ସିନେମା ଆଗକୁ ଚାଲିଯିବ । ସେପରି ଯଦି ହେଉଥାନ୍ତା ତା’ହେଲେ ଓଡ଼ିଆ ସିନେମାର ଏତେ ଅଧଗତି ହେଉନଥାନ୍ତା ।
ଓଡ଼ିଆ ପ୍ରଯୋଜକମାନଙ୍କର ଏତେ ବିଫଳତା ହେଉନଥାନ୍ତା । କାରଣ ସିନେମା ହେଉଛି ଏପରି ଏକ ମାଧ୍ୟମ ଯାହା ଦୀର୍ଘ ସ୍ଥାୟୀ । ବର୍ତ୍ତମାନର ଯୁବପିଢୀମାନେ ତାହାକୁ ଅନୁସରଣ କରି କାର୍ଯ୍ୟ କରିବା ଆବଶ୍ୟକ । ମୋ ହିସାବରେ ବର୍ତ୍ତମାନ ସେଭଳି କେହି ଅଭିନେତା କିମ୍ବା ଅଭିନେତ୍ରୀ ନାହାନ୍ତି ଯାହାଙ୍କୁ ଆଇକନ ଭାବିବେ ଯୁବପିଢୀ । ଯେଉଁମାନେ ବି ଅଛନ୍ତି ସେମାନଙ୍କର କେତେବେଳେ ଯେ କେଉଁ ସାମାଜିକ କ୍ଷେତ୍ରରେ ଅବକ୍ଷୟ ଘଟୁଛି ନିଜର ପେଶାଦାର ମନୋବୃତ୍ତିର ଅବକ୍ଷୟ ଘଟୁଛି, ରାଜନୀତିରେ ଅଂଶଗ୍ରହର କରି ସେଥିରେ ମଧ୍ୟ ନିଜର ବିଫଳତା ପ୍ରକାଶ କରୁଛନ୍ତି । ଯାହା ଫଳରେ ଏ ସବୁଠାରୁ ଦୂରେଇ କେବଳ ଅଭିନୟକୁ ଭଲପାଉଥିବା ଅଭିନେତା କିମ୍ବା ଅଭିନେତ୍ରୀ ଯଦି କହିବା ଏଭଳି କେହି ନାହାନ୍ତି ଯାହାଙ୍କୁ ଆଜିର ଯୁବପିଢୀ ଆଇକନ ବୋଲି ଭାବିବେ ।