ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ପ୍ରତିଶ୍ରୁତି ପରେ ଆନ୍ଦୋଳନରୁ ଓହରିଲେ କିନ୍ନର

ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ପ୍ରତିଶ୍ରୁତି ପରେ ଆନ୍ଦୋଳନରୁ ଓହରିଲେ କିନ୍ନର

ଭୁବେନଶ୍ଵର,୧୭/୩ : କିନ୍ନର ୱେଲଫେୟାର ବୋର୍ଡ଼ ଗଠନ କରିବା, ଟ୍ରାନ୍ସଜେଣ୍ଡର ପର୍ସନ (ପ୍ରୋଟେକ୍ସନ ଅଫ୍ ରାଇଟ୍ସ) ଆମେଣ୍ଡମେଣ୍ଟ ଦିଲ-୨୦୨୬ ପ୍ରତ୍ୟାହାର କରିବା, ଡାକ୍ତରଙ୍କ ଦ୍ୱାରା ଲିଙ୍ଗ ନିରୂପଣ ପରୀକ୍ଷାକୁ ପ୍ରତ୍ୟାହାର କରିବା, ନାଲସା ଜଜମେଣ୍ଟକୁ ଠିକ୍ ଭାବରେ କାର୍ଯ୍ୟକାରୀ କରିବା, କିନ୍ନରମାନଙ୍କ ପରମ୍ପରାକୁ ଅଣଦେଖା କରିବା, କିନ୍ନର ବୋର୍ଡ଼ରେ ଜଣେ ଉପସଭାପତି ଓ ୭ଜଣ କିନ୍ନରଙ୍କୁ ନେଇ ଏକ କମିଟି ଗଠନ କରିବା ଆଦି ଦାବି ନେଇ ନିଖିଳ ଓଡ଼ିଶା କିନ୍ନର ଓ ତୃତୀୟ ଲିଙ୍ଗି ମହାସଂଘର ଡାକରାରେ ଓଡ଼ିଶାର ୩୦ଟି ଜିଲ୍ଲାରୁ ହଜାର ହଜାର କିନ୍ନର ସେମାନଙ୍କ ଗୁରୁମାନଙ୍କ ସହ ମାଷ୍ଟର କ୍ୟାଣ୍ଟିନଠାରେ ଏକାଠି ହୋଇ ବିଭିନ୍ନ ପ୍ରକାର ସ୍ଲୋଗାନ ଦେଇ ବିଧାନସଭା ଭିତରକୁ ଧଶେଇ ପଶିବାକୁ ଅଗ୍ରସର ହୋଇଥିଲେ ।

ବିଧାନସଭା ସମ୍ମୁଖରେ କ୍ୟାପିଟାଲ ଥାନାର ଏସିପିଙ୍କ ସହିତ ବହୁ ପୁଲିସ୍ ଅଧୁକାରୀ ସେମାନଙ୍କୁ ଅଟକାଇଥିଲେ ମଧ୍ୟ କିନ୍ନରମାନେ ପୁଲିସ୍‌କୁ ଖାତିର ନ କରି ନିଜର ଦାବି ପୂରଣ ପାଇଁ ବିଧାନସଭା ପାଖରେ ଥିବା ବ୍ୟାରିକେଡ଼କୁ ଚଢିଯାଇ ଆନ୍ଦୋଳନ କରିଥିଲେ । ଏହାପରେ ୮ଜଣ କିନ୍ନର ପ୍ରତିନିଧି ମଣ୍ଡଳୀ ପୂର୍ବତନ ଚେୟାରମ୍ୟାନ ପ୍ରତାପ କୁମାର ସାହୁ, ସଭାପତି ମୀରା ପରିଡ଼ା, କାର୍ଯ୍ୟକାରୀ ସଭାପତି ସୁଇଟି ସାହୁ, ଉପଭାପତି ସୋନାଲି କିନ୍ନର, ମାଧୁରୀ କିନ୍ନର, ସୋନମ କିନ୍ନର ଓ ସାଧାରଣ ସମ୍ପାଦକ ମେଘନା ସାହୁ ପ୍ରମୁଖ ବିଧାନସଭା ପରିସରକୁ ଯାଇ ସାମାଜିକ ସୁରକ୍ଷା, ଭିନ୍ନକ୍ଷମ ଓ ସଶକ୍ତିକରଣ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଥିଲେ । ମନ୍ତ୍ରୀ ଶ୍ରୀଯୁକ୍ତ ଗଣ୍ଡ ସବୁ ଦାବି ଗୁଡ଼ିକ ଅନୁଧ୍ୟାନ କରି ଖୁବଶୀଘ୍ର ସବୁ ସମସ୍ୟାର ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ ।

ମନ୍ତ୍ରୀଙ୍କ ପ୍ରତିଶ୍ରୁତି ପରେ ମୀରା ପରିଡ଼ା କହିଛନ୍ତି ଯେ, କେନ୍ଦ୍ର ସରକାର ଆଣିଥିବା ଟ୍ରାନ୍ସଜେଣ୍ଡର ପ୍ରୋଟେକ୍ସନ ବିଲ୍‌କୁ ଯଦି ଆଇନଗତ ସହାୟତା ନ ଦିଅନ୍ତି, ତେବେ ବାଧ୍ୟ ହୋଇ ହଜାର ହଜାର କିନ୍ନର ଦିଲ୍ଲୀର ପାର୍ଲାମେଣ୍ଟ ସମ୍ମୁଖରେ ଆନ୍ଦୋଳନ କରିବା ସହ ଆଗକୁ ଭୟଙ୍କର ପରିସ୍ଥିତି ସୃଷ୍ଟି ହେବ । ସେହିପରି ମେଘନା ସାହୁ ଓ ସୋନାଲି କିନ୍ନର କହିଛନ୍ତି ଯେ, ୧୫ ଦିନ ଭିତରେ ରାଜ୍ୟ ସରକାର କିନ୍ନରମାନଙ୍କ ସମସ୍ୟାର ସମାଧାନ ନ କରନ୍ତି, ତେବେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବାସଭବନ ଘେରାଉ କରାଯିବ । ଏଥିପାଇଁ ଯଦି କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୁଏ, ଏଥିପାଇଁ ରାଜ୍ୟ ସରକାର ଦାୟୀ ରହିବେ ବୋଲି ଚେତାବନୀ ଦେଇଛନ୍ତି ।