ରାଜ୍ୟରେ ନୂତନ ସରକାରକୁ ୩ ମାସ ପୂରିବ ; ପ୍ରଶଂସା କମ୍, ସମାଲୋଚନା ବେଶୀ

ରାଜ୍ୟରେ ନୂତନ ସରକାରକୁ ୩ ମାସ ପୂରିବ ; ପ୍ରଶଂସା କମ୍, ସମାଲୋଚନା ବେଶୀ

ଭୁବନେଶ୍ୱର, ୧/୯ :  ଦୀର୍ଘ ୨୪ବର୍ଷ ପରେ ରାଜ୍ୟରେ ବଦଳିଲା ସରକାର । ନୂତନ ସରକାର, ନୂତନ ଆଶାକୁ ନେଇ ଲୋକେ ଖୁସି ହୋଇଥିଲେ। ନୂଆ ସରକାର ଆସିବ ନୂଆ ନୀତି ଆସିବ ନୂଆ ଯୋଜନା ଆସିବ । ମାତ୍ର ହାତ ଗଣତି ଆଉ କିଛିଦିନ ପରେ ନୂତନ ସରକାରକୁ ୩ମାସ ପୂରିବ । କିନ୍ତୁ ଆଖି ଦୃଶିଆ କାମ ନ ହୋଇନଥିବା ନେଇ ଏବେ ସମାଲୋଚନାର ଶିକାର ହେବାକୁ ପଛାଉ ନାହାନ୍ତି ନୂତନ ସରକାର । ପ୍ରଶଂସା କମ୍ ସମାଲୋଚନା ବେଶୀ ହେଉଛି ସରକାର । ସାବାଶୀ ବଦଳରେ ମିଳୁଛି ଛି ଛି । ନୂତନ କରି ସରକାରକୁ ଆସିଥିବା ବିଜେପି ନିର୍ବାଚନ ପୂର୍ବରୁ ପ୍ରତିଶ୍ରୁତିର ପାହାଡ଼ ଛିଡ଼ା କରିଥିଲା । ଯାହାକୁ ନେଇ ସେ କ୍ଷମତା ଆସନରେ ବସିଛି। ହେଲେ ଏବେ ଯେମିତି ସେ ସବୁ ଆଉ ସାଧାରଣ ଜନତାଙ୍କୁ ଆକୃଷ୍ଟ କରିପାରୁନି । 
୧୨ ଜୁନ୍ ୨୦୨୪ରେ ଓଡ଼ିଶା ପାଇଥିଲା ନୂତନ ମୁଖ୍ୟମନ୍ତ୍ରୀ । ରାଜ୍ୟକୁ ଓଡ଼ିଆ କହିପାରୁଥିବା ମୁଖ୍ୟମନ୍ତ୍ରୀଙ୍କୁ ଭେଟିଦେଇଥିଲା ବିଜେପି । ନିର୍ବାଚନର ମାହୋଲ ଭିତରେ ବିଜେପି କହିଥିଲା କି ଜଣେ ଓଡ଼ିଆ ପୁଅ ମୁଖ୍ୟମନ୍ତ୍ରୀ ହେବ । ଆଉ ସେ ଓଡ଼ିଆ କହିପାରୁଥିବ, ଯିଏ ହେବ ଓଡ଼ିଆ ଅସ୍ମିତାର ପ୍ରତୀକ । ଆଉ ତା’ପରେ ଶେଷ ହୋଇଥିଲା ଦୀର୍ଘ ୨୪ବର୍ଷର ନବୀନ ଯୁଗ । ଆରମ୍ଭ ହୋଇଥିଲା ମୋହନ ରାଜ୍ । ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ ସୁଦୁର କେନ୍ଦୁଝର ମାଟିର ପୁଅ ମୋହନ ଚରଣ ମାଝି । ଯାହାଙ୍କୁ ପାଇ ଓଡ଼ିଶାବାସୀ ବେଶ ଖୁସି ହୋଇଥିଲେ । ସାଧାରଣ ଜନତାଙ୍କ ଆଶା ଥିଲା ଆମ ଓଡ଼ିଆ କହୁଥିବା ମୁଖ୍ୟମନ୍ତ୍ରୀ ଏବେ ଆମ ଭାଷା ବୁଝିବେ ଆଉ ଆମ ଦୁଃଖ ବୁଝିବେ । ମାତ୍ର ସେ ସବୁ ଯେମିତି ଏବେ ଦିବା ସ୍ବପ୍ନ ଭିତରକୁ ଚାଲିଯାଇଛି।  


ଶାସନର ପ୍ରଥମରୁ ଦେଖାଦେଇଥିଲା ରାଜ୍ୟରେ ଚାଲିଥିବା ବିଏସକେଓ୍ବାଇ ଯୋଜନାର ଦ୍ବନ୍ଦ । ଖାଲି ବିଏସକେଓ୍ବାଇ ନୁହେଁ ବରଂ ପୂର୍ବରୁ ଚାଲୁଥିବା ସବୁ ଯୋଜନା ଗୁଡ଼ିକ ବନ୍ଦ ହୋଇଯିବାର ଭାଳେଣୀ ପଡ଼ିଯାଇଥିଲା । ଏହାକୁ ନେଇ ଲୋକେ ନୂତନ ସରକାରକୁ ନେଇ ଖୁସି ହେବେ ନା ଦୁଃଖ କରିବେ ସେହି ଚିନ୍ତାରେ ଥିଲେ । ଏ ସବୁ ଭିତରେ ରାଜ୍ୟ ସରକାରଙ୍କ ପକ୍ଷରୁ ଯୋଜନା ଗୁଡ଼ିକ ବିଷୟରେ ଅପଡେଟ ଆସିଥିଲା । ଯାହାପରେ ସାଧାରଣ ଜନତା ଟିକେ ଆଶ୍ବସ୍ତି ଲାଭ କରିଥିଲେ।  ମାତ୍ର ପରେ ଏହାକୁ ନେଇ ଏବେ ସାଧାରଣ ଜନତାଙ୍କ ମଧ୍ୟରେ ନାଖୁସ୍ ଥିବା ଦେଖାଦେଇଛି। ଗୋଟିଏ କାରଣ ହେଉଛି ଯୋଜନାକୁ ନେଇ ଦ୍ବନ୍ଦ । ଯୋଜନାକୁ ନେଇ ଖୁସି ହୋଇପାରୁନାହାନ୍ତି ସାଧାରଣ ଲୋକେ । ବିଜେଡି ସରକାର ଥିବାବେଳେ ଯେଉଁ ସବୁ ଯୋଜନା ହୋଇଥିଲା ତାହା ଏବେ ବନ୍ଦ ହେବାକୁ ବସିଛି । କେବଳ ନାଁ ପରିବର୍ତ୍ତନ ଏବଂ ରଙ୍ଗ ପରିବର୍ତ୍ତନରେ ମାତିଛନ୍ତି ନୂତନ ସରକାର । ଏହାରି ଭିତରେ କେଉଁ ଯୋଜନା ବନ୍ଦ ହେବ ଏବଂ କେଉଁ ଯୋଜନାର ଲାଭ ପାଇବେ ହିତାଧିକାରୀ ତାହାକୁ ନେଇ ପଡ଼ିଛି ଭାଳେଣୀ । ଉଦାହରଣ ସୂରୁପ ଯଦି ଆମେ ନେବା ତେବେ ନିକଟରେ ଘୋଷଣା ହୋଇଥିବା ସୁଭଦ୍ରା ଯୋଜନାର ଗାଇଡଲାଇନକୁ ଆମେ ଲକ୍ଷ୍ୟ କରିବା । ଯେଉଁଥିରୁ ଆମେ ସ୍ପଷ୍ଟ ଭାବେ କହିପାରିବା କି ଯୋଜନାକୁ ନେଇ ଝୁଣ୍ଟୁଛନ୍ତି ସରକାର । ପ୍ରତିଦିନ ଆସୁଛି ଗୋଟିଏ ଗୋଟିଏ ନୂଆ ଗାଇଡଲାଇନ୍ । ସାଧାରଣ ମହିଳାଟିଏ ଆଜି ‘ସୁଭଦ୍ରା’ ଭଳି ଏକ ଜନହିତକାରୀ ଯୋଜନାକୁ ନେଇ ଖୁସି ହେବ ନା ଦୁଃଖ କରିବ ଦ୍ବନ୍ଦରେ ପଡ଼ିଯାଇଛି । ସେହିଭଳି ବାର୍ଦ୍ଧକ୍ୟ ଭତ୍ତାକୁ ନେଇ ସରକାର ସମାଲୋଚନାର ଶିକାର ହେବାକୁ ଲାଗିଛନ୍ତି।  ଗାଁର ବୃଦ୍ଧବୃଦ୍ଧା ଆଜି ସରକାରଙ୍କ ଏହି ଯୋଜନାକୁ ସିଧାସଳଖ କଟାକ୍ଷ୍ୟ କରିବାକୁ ମଧ୍ୟ ପଛାଉନାହାନ୍ତି ।
ସେହିଭଳି ଯଦି ଆମେ ଦେଖିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ କଥା ତେବେ ସେ ଏବେ ବିରୋଧୀଙ୍କ ଟାର୍ଗେଟରେ । ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀଙ୍କ ଭାଷଣକୁ ନେଇ ସୋସିଆଲ ମିଡ଼ିଆରେ ତୀବ୍ର ସମାଲୋଚନା ହେଉଛନ୍ତି ରାଜ୍ୟ ସରକାର । ମୋବାଇଲକୁ ମୋବାଇଲ ଘୁରି ବୁଲୁଛି ରିଲ୍ସ । ଯେଉଁଥିରେ ବିରୋଧୀଙ୍କ କଟାକ୍ଷ୍ୟ ନଜର ଆସୁଥିବା ଦେଖାଯାଉଛି । ଫେସବୁକରେ ଲମ୍ବା ଲମ୍ବା ପୋଷ୍ଟ ବି ଦେଖିବାକୁ ମିଳୁଛି।  ଯାହାକୁ ନେଇ ଏବେ ରାଜ୍ୟରେ ବିଜେପି ପ୍ରଶଂସା ବଦଳରେ ବେଶୀ ସମାଲୋଚନା ସାଉଁଟୁଛି । 
ଯେତେବେଳେ ଏହି ଖବର ଲେଖିବାକୁ ଆମ ‘ଓଡ଼ିଶା ଅପଡେଟ୍’ ଟିମ୍ ପ୍ରୟାସ କରିଥିଲା ସେତେବେଳେ ପ୍ରାୟ ଲୋକଙ୍କ ମୁହଁରୁ ଗୋଟିଏ ଶଦ୍ଦ ଶୁଣିବାକୁ ମିଳୁଥିଲା ଏହା ରଙ୍ଗ ବଦଳା ସରକାର।  ଏଠି କିଛି କାମ ହେଉନି । ଯାହା ପୂର୍ବ ସରକାର କରିଥିଲେ ତାହାକୁ ବନ୍ଦ କରିଦିଆଯାଉଛି ବରଂ କୌଣସି ନୂତନ ଯୋଜନା ହେଉନାହିଁ । ତେବେ ଅପେକ୍ଷା ଆଗାମୀ ଦିନରେ ମୋହନ ସରକାର ଓଡ଼ିଶାବାସୀଙ୍କ ମନ ଜିଣି ପାରୁଛନ୍ତି କି ନାହିଁ ।