ହିନ୍ଦୀ ଭର୍ସନରେ ଜାତୀୟ ଓଟିଟିରେ ମୁକ୍ତିଲାଭ କରିବ ଓଡ଼ିଆ ସିନେମା ‘ମାମା ଓ୍ବେଡ୍ସ ପାପା' : ସରିଲା ସ୍ବତନ୍ତ୍ର ସ୍କ୍ରିନିଂ; ଭାବପ୍ରବଣ ହୋଇ କାନ୍ଦିଲେ ଦର୍ଶକ

ହିନ୍ଦୀ ଭର୍ସନରେ ଜାତୀୟ ଓଟିଟିରେ ମୁକ୍ତିଲାଭ କରିବ ଓଡ଼ିଆ ସିନେମା ‘ମାମା ଓ୍ବେଡ୍ସ ପାପା' : ସରିଲା ସ୍ବତନ୍ତ୍ର ସ୍କ୍ରିନିଂ; ଭାବପ୍ରବଣ ହୋଇ କାନ୍ଦିଲେ ଦର୍ଶକ

ଭୁବନେଶ୍ବର, ୧୮/୬ : ଜାତୀୟ ଓଟିଟିରେ ସ୍ଥାନ ପାଇବା ପୂର୍ବରୁ ହିନ୍ଦୀ ଭର୍ସନରେ ଓଡ଼ିଆ ସିନେମା ‘ମାମା ଓ୍ବେଡ୍ସ ପାପା’ର ହେଲା ସ୍ବତନ୍ତ୍ର ସ୍କ୍ରିନିଂ । ଆଜି ସନ୍ଧ୍ୟା ୫ ଘଟିକା ସମୟରେ ଭୁବନେଶ୍ୱରସ୍ଥିତ ଆଇନକ୍ସ ଭବାନି ମଲ ସ୍ଥିତ ପ୍ରେକ୍ଷାଳୟରେ ‘ମାମା ଓ୍ବେଡ୍ସ ପାପା’ର ସ୍ବତନ୍ତ୍ର ସ୍କ୍ରିନିଂ ପୂର୍ବରୁ ପ୍ରଥମେ ଗତକାଲି ଘଟିଥିବା ଅହମ୍ମଦାବାଦ ବିମାନ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ବିମାନ ଯାତ୍ରୀଙ୍କ ଅମର ଆତ୍ମାର ସଦଗତି କାମନା କରି ୨ ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା । ଏହାପରେ ଏହି ସିନେମାର ସ୍ବତନ୍ତ୍ର ସ୍କ୍ରିନିଂ ହୋଇଥିଲା ।

ସୂଚନାଯୋଗ୍ୟ ଓଡ଼ିଆ ଚଳଚ୍ଚିତ୍ର ‘ମାମା ଓ୍ବେଡ୍ସ ପାପା ’ ଜାତୀୟ ଓଟିଟିରେ ସ୍ଥାନ ପାଇବ । ପୂର୍ବରୁ ଏହି ସିନେମା ଓଡ଼ିଆ ଭାଷାରେ ରିଲିଜ ହୋଇ ବେଶ୍ ଲୋକପ୍ରିୟତା ସାଉଣ୍ଟିଥିଲା । ବର୍ତ୍ତମାନ ଏହା ଓଟିଟିରେ ରିଲିଜ ହେବାକୁ ଯାଉଛି । ଯାହା ହିନ୍ଦୀ ଭର୍ସନରେ ଆସିବ । ଏକ ଓଡ଼ିଆ ଫିଲ୍ମ ଜାତୀୟ ଓଟିଟିରେ ସ୍ଥାନ ପାଇବା ଓଡିଶା ସିନେମା ଇଣ୍ଡଷ୍ଟ୍ରି ପାଇଁ ଗର୍ବର ବିଷୟ ବୋଲି ସିନେପ୍ରେମୀ କହିଛନ୍ତି । 

ଏହାର କାହାଣୀ ଗୋଟିଏ କୁନି ଝିଅ ତା’ର ପାପା ମାମାଙ୍କର କିଭଳି ବାହାଘର କରୁଛି ତାକୁ ନେଇ ଗତିଶୀଳ ହୋଇଛି । ପୂର୍ବରୁ ଏହାର ଦମଦାର୍ କାହାଣୀ ଏବଂ ସୁନ୍ଦର ଗୀତ ସିନେମାଟିକୁ ବେଶ୍ ଲୋକପ୍ରିୟ କରିବାରେ ସଫଳ ହୋଇଥିଲା । ୨ବର୍ଷ ତଳେ ଏହି ସିନେମା ଓଡ଼ିଆ ଭାଷାରେ ସିନେମା ହଲରେ ରିଲିଜ ହୋଇଥିଲା । ଏହାର ଗୀତକୁ ଆଜି ବି ଦର୍ଶକ ଗୁଣୁଗୁଣାଇଥା'ନ୍ତି । ହଲରେ ରିଲିଜ ହେବା ପରେ ପ୍ରଯୋଜନା ସଂସ୍ଥା ପକ୍ଷରୁ ଏହାକୁ ହିନ୍ଦୀ ଭର୍ସନରେ ରିଲିଜ କରିବାକୁ ଯୋଜନା ରଖାଯାଇଥିଲା ।  

ଏହି ଚର୍ଚ୍ଚିତ ଚଳଚ୍ଚିତ୍ରଟି ଶ୍ରୀହାନ ସିନେକ୍ରିଏନ୍ସ ବ୍ୟାନରରେ ନିର୍ମିତ ହୋଇଛି । ପ୍ରଯୋଜନାରେ ଅଛନ୍ତି ବି. ଚନ୍ଦ୍ରପ୍ରିୟ ସୁବୁଦ୍ଧି । କାହାଣୀ, ଚିତ୍ରନାଟ୍ୟ ଏବଂ ନିର୍ଦ୍ଦେଶନା ଦାୟିତ୍ବରେ ଆପ୍ପୁ କାନୁନଗୋ ରହିଛନ୍ତି । ସେହିପରି ସଂଗୀତରେ ଆସଦ ନିଗମ ଥିବାବେଳେ ଡିଓପିରେ ନିରଞ୍ଜନ ଦାଶ ଏବଂ ପ୍ରଚାର ପ୍ରସାର ଦାୟିତ୍ୱରେ ଗୁରୁପଦ ନାଥ ରହିଛନ୍ତି । ପ୍ରଥମ ଥର ପାଇଁ ଏଥିରେ ବଲିଉଡ଼ ଅଭିନେତା କୃଷ୍ଣା ଅଭିଷେକ ସ୍କ୍ରିନ ସେୟାର କରିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଅଭିଷେକ ରଥ, ଋତିଶା, ପ୍ରିୟଙ୍କା ପାଣିଗ୍ରାହୀ, ଜ୍ୟୋତି ମିଶ୍ର, ଦେବୁ ପଟ୍ଟନାୟକ, ଗୁଡ୍ଡୁ ପ୍ରମୁଖ ଅଭିନୟ କରିଛନ୍ତି । ଏହାର ସ୍ବତନ୍ତ୍ର ସ୍କ୍ରିନିଂରେ ଓଲିଉଡ଼ ଜଗତର ବହୁ ବିଶିଷ୍ଟ ବ୍ୟକ୍ତି, ଅଭିନେତା, ଅଭିନେତ୍ରୀ ଏବଂ ସାମ୍ବାଦିକମାନେ ଯୋଗଦେଇ ଏହି ସିନେମାକୁ ବେଶ୍ ପ୍ରଶଂସା କରିଛନ୍ତି । ଅପରପକ୍ଷେ ଏହି ସିନେମାଟି ଓଡିଶା ଭଳି ଜାତୀୟ ସ୍ତରରେ ମଧ୍ୟ ଲୋକପ୍ରିୟତା ସାଉଣ୍ଟିବ ବୋଲି ଏହାର ପ୍ରଯୋଜନା ସଂସ୍ଥା ଆଶାବାଦୀ ଅଛନ୍ତି ।